ଦେବପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର ୨୦|୪: ପୂର୍ବତନ ବିଧାୟକ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଆଜି ସକାଳେ ପରଲୋକ ହୋଇଛି । ଅଗ୍ରଓ୍ବାଲଙ୍କ ବିୟୋଗ ପରେ ବାତିଲ ହେବ ପାଟକୁରା ବିଧାନସଭା ନିର୍ବାଚନ । ନିର୍ବାଚନ ନିୟମ ଅନୁଯାୟୀ ପାଟକୁରା ବିଧାନସଭା ଆସନରେ ବାତିଲ ହେବା ସହ କେନ୍ଦ୍ରାପଡା ଲୋକସଭା ଆସନର ଫଳାଫଳ ମଧ୍ୟ ବିଳମ୍ବିତ ହେବା ଆଶଙ୍କା ରହିଛି । ପୁଣି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯାଇ ନିର୍ବାଚନ ପ୍ରକ୍ରିୟା ହେବ । ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡା ଲୋକସଭା ଏବଂ ପାଟକୁରା ବିଧାନସଭାରେ ମତଦାନ ହେବାର ଥିଲା ।

ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ନେତା ବେଦ ପ୍ରକାଶ ଅଗ୍ରଓ୍ବାଲ ଏବଂ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ମଧ୍ୟ ଟକ୍କର ହେବ ବୋଲି ଶୁଣାଯାଉଥିଲା । ମାତ୍ର ଏବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ବିଜୟ ପାଟକୁରା ଆସନରେ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ଦୀର୍ଘ ଦିନ ପରେ ବିଧାନସଭାକୁ ଫେରିବାର ଆଶା ରଖିଥିଲେ । ଏବେ ସେଥିରେ ସମସ୍ୟା ଭାବେ ଛିଡା ହୋଇଛି ବେଦପ୍ରକାଶଙ୍କ ପରଲୋକ ।

ଏନେଇ ବିଜୟ ମହାପାତ୍ର କହିଛନ୍ତି, ଦେବପ୍ରକାଶ ଅଗ୍ରଓ୍ବାଲଙ୍କ ସହିତ ମୋର ପୁରୁଣା ସମ୍ପର୍କ ଥିଲା। ତିନି ମାସ ଧରି ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଯେହେତୁ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତାଙ୍କର ଦେହାନ୍ତ ହୋଇଯାଇଛି ତେଣୁ ପରବର୍ତ୍ତୀ ନିର୍ବାଚନର ପ୍ରକ୍ରିୟା କଣ ହେବ ସେ ସମ୍ପର୍କରେ ନିର୍ବାଚନ କମିସନର ସ୍ଥିର କରିବେ। ଆଇନର ବ୍ୟବସ୍ଥା ଅନୁସାରେ ଯେତେଶ୍ରୀଘ୍ର ନିର୍ବାଚନ କରିବା ନିର୍ବାଚନ କମିସନରଙ୍କ ଦାୟିତ୍ବ। ଯେତେଶୀଘ୍ର ରିଟର୍ଣ୍ଣିଂ ଅଫିସର ନିର୍ବାଚନ କମିସନଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇବେ ତାପରେ ନିର୍ବାଚନ କମିସନ ଏକ ସ୍ବତନ୍ତ୍ର ତାରିଖ ଘୋଷଣା କରିବେ। ତାଙ୍କର ରାଜନୈତିକ ଦିଗ ଉପରେ ଆଜି ମୁଁ କୈାଣସି ମତ ରଖିବି ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର।

ଏପରିକି ବିଜୟଙ୍କ ଭାଗ୍ୟ ତାଙ୍କ ସାଥ୍ ଦେଉନଥିବା ଚର୍ଚ୍ଚା ବି ବଢିଛି । କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ବିଜୟ ମହାପାତ୍ର ୨୦୦୦ ମସିହାରୁ ବିଭିନ୍ନ ଭାବରେ ବିଧାନସଭାକୁ ଆସିବାରେ ବିଫଳ ହୋଇ ଆସୁଛନ୍ତି । ବିଜେଡିରୁ ବହିଷ୍କାର ଯୋଗୁଁ ୨୦୦୦ ମସିହା ନିର୍ବାଚନ ଲଢିପାରିନଥିଲେ ବିଜୟ । ୨୦୦୪ ନିର୍ବାଚନରେ ତାଙ୍କ ଦଳ ଓଡ଼ିଶା ଗଣପରିଷଦ କଂଗ୍ରେସ ସହ ମେଣ୍ଟ କରିଥିଲେ ବି ନିର୍ବାଚନ ଜିତି ପାରିନଥିଲେ ବିଜୟ ମହାପାତ୍ର । ୨୦୦୯ରେ ବିଜେପିରେ ଯୋଗଦେଇ ନିର୍ବାଚନ ଲଢିଥିଲେ ବିଜୟ । କିନ୍ତୁ ୨୦୦୯ ଏବଂ ୨୦୧୪ ନିର୍ବାଚନ ଜିତିପାରିନଥିଲେ ସେ । ଏବେ ପୁଣି ସେ ବିଜେପିକୁ ଫେରି ଦଳର ପ୍ରାର୍ଥୀ ଭାବେ ପାଟକୁରାରେ ନିର୍ବାଚନ ଲଢୁଛନ୍ତି । ଶେଷ ନିର୍ବାଚନ ଲଢୁଥିବା କହି ପ୍ରଚାର କରୁଥିବା ବିଜୟଙ୍କ ପଲା ଭାରି ଥିବା ଦଳୀୟ ମହଲ ଦାବି କରୁଥିବା ବେଳେ ବେଦପ୍ରକାଶଙ୍କ ପରଲୋକ ବିଜୟଙ୍କ ଭାଗ୍ୟରେ ଗ୍ରହଣ ଭଳି ଅନୁଭବ ହେଉଛି ।