PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଜି ପଞ୍ଚଭୂତରେ ଲୀନ ହେବ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର, ବିଜେଡି କାର୍ଯ୍ୟାଳୟରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ କର୍ମଚାରୀ

ଭୁବନେଶ୍ୱର୦୩/୦୬: ଗୁରୁବାର ସକାଳେ ଭୁବନେଶ୍ୱରରୁ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ମରଶରୀରକୁ ଗାଁ ତିହିଡ଼ି ମୁକୁନ୍ଦପୁର ଅଭିମୁଖେ ନିଆଯିବ । ଗାଁରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯିବ । ତା’ ପୂର୍ବରୁ ସକାଳ ତାଙ୍କ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳର ନେତୃମଣ୍ଡଳୀ ସ୍ୱର୍ଗତ ରାଉତରାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି । ବୁଧବାର ସନ୍ଧ୍ୟା ସାଢ଼େ ୫ଟାବେଳେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। 

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ସନ୍ଧ୍ୟା ସାଢ଼େ ୫ଟାବେଳେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ । କୋଭିଡ୍‌ରୁ ମୁକ୍ତ ହେବା ପରେ ବି ଜଟିଳ ରୋଗ (କୋମର୍‌ବିଡିଜ୍‌)ରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। 

ଏହି ଦୁଃଖଦ ଖବରରେ ରାଜଧାନୀରୁ ତାଙ୍କ ପୈତୃକ ମାଟି ଭଦ୍ରକର ତିହିଡ଼ି ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ରାଉତରାୟଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ରାଜ୍ୟ ରାଜନୀତିରେ ସେ ଥିଲେ ଜଣେ ସ୍ପଷ୍ଟବାଦୀ, ସରଳ ଓ ମେଳାପି ବ୍ୟକ୍ତିତ୍ୱ । ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଭଦ୍ରକର ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଶୋକରବାତାବରଣ ସୃଷ୍ଟି ହୋଇଛି । 

ସ୍ୱର୍ଗତ ରାଉତରାୟଙ୍କ ପରିବାରରେ ତାଙ୍କ ପତ୍ନୀ କମଳିନୀ, ବଡ଼ ପୁଅ ଦୁର୍ଗାବତ୍ର, ସାନ ପୁଅ ବିଷ୍ଣୁବ୍ରତ (ବାସୁଦେବପୁର ବିଧାୟକ) ଅଛନ୍ତି । ହସ୍ପିଟାଲରୁ ତାଙ୍କ ମୃତଦେହ ଭୁବନେଶ୍ୱରସ୍ଥିତ ବାସଭବନକୁ ନିଆଯାଇଛି । ଅନେକ ବରିଷ୍ଠ ନେତା ଓ ବିଜୟଶ୍ରୀଙ୍କୁ ଭଲପାଉଥିବା ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ସ୍ୱର୍ଗତ ରାଉତରାୟଙ୍କ ଜନ୍ମ ହୋଇଥିଲା ୧୯୫୩ ମସିହା ଜୁଲାଇ ୨୮ ତାରିଖରେ । ମେଧାବୀ ଛାତ୍ର ଥିଲେ । ଭୂଗୋଳରେ ଏମ୍‌ଏ କରି ଗୋଲ୍ଡ ମେଡାଲ ପାଇଥିଲେ । ପାଠପଢ଼ା ପରେ ପ୍ରଥମେ ସେ ରେଭେନ୍ସା କଲେଜରେ ଅଧ୍ୟାପକ ଥିଲେ । ପରେ ଅଧ୍ୟାପନା ଛାଡ଼ି ରାଜନୀତିରେ ସାମିଲ ହୋଇଥିଲେ । ୧୯୯୦ ଓ ୧୯୯୫ ମସିହାରେ ସେ ବାସୁଦେବପୁର ଆସନରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ବିଜୁବାବୁଙ୍କ ପରଲୋକ ପରେ ୧୯୯୭ରୁ ହିଁ ସେ ବିଜେଡି ପରିବାରର ପ୍ରମୁଖ ସଦସ୍ୟ ହୋଇ ରହିଥିଲେ । ୨୦୦୦, ୨୦୦୪, ୨୦୦୯, ୨୦୧୯ ନିର୍ବାଚନରେ ସେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏହି ଅପରାଜେୟ ନେତା ନବୀନଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ କାଳରେ ହିଁ ପ୍ରଥମ କରି ମନ୍ତ୍ରୀ ହୋଇଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ସେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ଥିଲେ ଜଙ୍ଗଲ ମନ୍ତ୍ରୀ । ୨୦୦୪-୨୦୦୬ ପର୍ଯ୍ୟନ୍ତ ଦୁଇ ବର୍ଷ କାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ପରବର୍ତ୍ତୀ ସମୟରେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ରହିଥିଲେ ବିଜୟଶ୍ରୀ ।

ଏହାସହ ଶ୍ରମ ମନ୍ତ୍ରୀ ବି ରହିଥିଲେ । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ରହିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ପରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ପୁନର୍ବାର ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ଜଙ୍ଗଲ ଓ ପରିବେଶ ବିଭାଗରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ୨୦୧୯ରେ ବିଜୟଶ୍ରୀ ଆଉ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ପରେ ପୁଅ ବିଷ୍ଣୁବ୍ରତ ବିଜେଡି ଟିକେଟରେ ସେଇ ବାସୁଦେବପୁର ଆସନରୁ ଲଢ଼ି ବିଧାୟକ ହୋଇଛନ୍ତି । ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ ବି ବିଜୟଶ୍ରୀ ବିଜେଡିର ଜଣେ ପ୍ରମୁଖ ନେତା ଥିଲେ । ଭଦ୍ରକ ରାଜନୀତିରେ ତାଙ୍କର ବେଶ୍‌ ପ୍ରଭାବ ରହିଥିଲା । ଜଣେ ସ୍ପଷ୍ଟବାଦୀ ଓ ମେଳାପି ନେତା ଭାବେ ସେ ପରିଚିତ ଥିଲେ ।