ବିଜେପୁର ଉପନିର୍ବାଚନ ପାଇଁ ତିନି ଦଳର ଜୋର୍‌ଦାର୍‌ ପ୍ରସ୍ତୁତି, ପ୍ରାର୍ଥୀଙ୍କ ଉପରେ ନଜର

ଭୁବନେଶ୍ୱର ୨୫/୯: ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଚଳଚଞ୍ଚଳ ତିନି ଦଳର କ୍ୟାମ୍ପ । ବିଜେପୁର ଗଡ଼ରେ ବିଜୟ ବାନା ଉଡ଼ାଇବାକୁ ଏବେ ପ୍ରସ୍ତୁତି ଜୋରଦାର । ମାତ୍ର କେହି ଏଯାଏ ପ୍ରାର୍ଥୀ ପେଡ଼ି ଖୋଲିନାହାନ୍ତି । ତିନି ଦଳରୁ କିଏ ପ୍ରାର୍ଥୀ ହେବେ ତାହାକୁ ରାଜନୈତିକ ମହଲ ଉତ୍ସୁକତାର ସହ ଅପେକ୍ଷା କରିଛି ।

ପ୍ରାର୍ଥୀ ଚୟନ ପାଇଁ ଆଜି କଂଗ୍ରେସର ବୈଠକ ବସିଥିଲା । ଦଳୀୟ ପ୍ରାର୍ଥୀ ହେବାକୁ ବହୁ ସଂଖ୍ୟାରେ ଆବେଦନପତ୍ର ଆସିଥିଲେ ମଧ୍ୟ ୫ ଜଣଙ୍କ ନାମକୁ କମିଟି ବିଚାରକୁ ନେଇଛି । ବୈଠକ ପରେ ଚୟନ କମିଟି ଅଧ୍ୟକ୍ଷ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପ୍ରାର୍ଥୀ କିଏ ହେବ ତାହା ଚୂଡ଼ାନ୍ତ ହୋଇନି । ଆମେ ବୈଠକରେ ଆଲୋଚନା ହୋଇଥିବା ନିର୍ଦ୍ଦିଷ୍ଟ କିଛି ନାମକୁ କେନ୍ଦ୍ରୀୟ କମିଟିକୁ ସୁପାରିସ କରିବୁ । ଏଆଇସିସି ହିଁ ଚୂଡ଼ାନ୍ତ ନାମ ଘୋଷଣା କରିବ ।

ବିଜେପି ମଧ୍ୟ ବିଜେପୁର ପାଇଁ ଜୋର୍‌ଦାର୍‌ ଅଭିଯାନ ଆରମ୍ଭ କରିଛି । ଦୁଇ ଦିନ ତଳେ ରାଜ୍ୟ କାର୍ଯ୍ୟାଳୟରେ ଏ ନେଇ ଏକ କବାଟକିଳା ବୈଠକ ବସିଥିଲା । ପଶ୍ଚିମ ଓଡ଼ିଶାରେ ଦଳ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ତେଣୁ ଏଥର ବିଜେଡି ହାତରୁ ଏ ସିଟ୍‌ ଛଡ଼ାଇ ନେବାକୁ ବିଜେପି ଗେମ୍‌ପ୍ଲାନ ଆଦରିଛି । ବିଜେପି ପାଇଥିବା ୮ ଲୋକସଭା ଆସନରୁ ପଶ୍ଚିମ ଓଡ଼ିଶାରୁ ୫ଟି ସିଟ୍‌ ପାଇଛି । କେନ୍ଦ୍ରରେ ମଧ୍ୟ ଦଳର ସରକାର ଅଛି । ତେଣୁ ବିଜେପୁରରେ ବିଜେଡିକୁ ପରାସ୍ତ କରି ସମ୍ମାନ ବୃଦ୍ଧି ସହ ଆତ୍ମବିଶ୍ୱାସ ବଢ଼ାଇବାକୁ ବିଜେପି ପାଇଁ ଏହା ସୁବର୍ଣ୍ଣ ସୁଯୋଗ ।

ଏଠାରେ ପ୍ରାର୍ଥୀ ହେବାକୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆଗ୍ରହ ପ୍ରକାଶ କରୁଥିଲା ବେଳେ ଦଳ ଗତ ନିର୍ବାଚନରେ ପ୍ରାର୍ଥୀ କରିଥିବା ସନତ ଗରତିଆଙ୍କୁ ବଦଳାଇପାରେ । ମାତ୍ର ଦଳରୁ ମିଳିଥିବା ସୂଚନା ଅନୁସାରେ ୩ ଜଣଙ୍କ ନାମ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ସୁପାରିସ କରାଯାଇଛି । କେନ୍ଦ୍ରୀୟ କମିଟି ଅନୁମୋଦନ କରିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ବିଜେଡି ପାଇଁ ବିଜେପୁର ଅଗ୍ନି ପରୀକ୍ଷା ଭଳି ହୋଇଛି । ଏଠାରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇ ଆସନ ଛାଡ଼ିଥିବାରୁ ଏ ଆସନର ଫଳାଫଳ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଦଳ କାହାକୁ ପ୍ରାର୍ଥୀ କରିବ ଏଯାଏ ନିଷ୍ପତ୍ତି ହୋଇନି । ଦଳର ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ଦୌଡ଼ରେ ସବୁଠାରୁ ଆଗରେ ଥିବା ବେଳେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ ମଧ୍ୟ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ମୁଁ ଏଠାରେ ସାଂସଦ ଥିଲି । ବିଜେପୁର ସହ ମୋର ଭଲ ପରିଚିତି ରହିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମିଳିଲେ ଯାଇ ଯାହା ହେବ । ଇତିମଧ୍ୟରେ ତୃଣମୂଳସ୍ତରର ରିପୋର୍ଟ ନବୀନଙ୍କ ହସ୍ତଗତ ହୋଇଥିଲା ବେଳେ ଆସନ୍ତାକାଲି ନବୀନ ନିବାସରେ ଏ ନେଇ ବୈଠକ ବସି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ । ନବୀନଙ୍କ ହସ୍ତଗତ ରିପୋର୍ଟରେ ରୀତା, ପ୍ରଭାସଙ୍କ ସହ ନାରାୟଣ ସାହୁଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ସୂଚନା ଅନୁସାରେ ବିଜେଡି ପ୍ରାର୍ଥୀଙ୍କ ନାମ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । ୨୬ରେ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ । ଏଥିପାଇଁ ପ୍ରସ୍ତୁତି ସରିଛି ।

   ସମ୍ବନ୍ଧିତ ଖବର


ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…

ନଦୀବନ୍ଧରେ ପାଇଖାନା ଟାଙ୍କି ନିର୍ମାଣ କରି ନଦୀ ଭିତରକୁ ଛଡାଯାଉଛି ମଇଳା ପାଣି, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକ…