
ଭୁବନେଶ୍ବର,୨୫/ ୧୧: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସଇ)ରୁ ଯୁକ୍ତ ଦୁଇ ପାସ୍ କରୁଥିବା ୧୫ ହଜାର ଶ୍ରେଷ୍ଠ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମିିଳୁଥିଲା ଲାପଟପ୍ । ତେବେ ଏଣିକି ଲାପଟପ୍ ବଦଳରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟି ଯୋଜନାରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା ହେବ । ଫଳରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଭାବେ ଲାଭବାନ ହେବେ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘୫ଟି’ କାର୍ଯ୍ୟକାରୀ କରିବାକୁ ଯାଇ ଏହି ଅଭିନବ ପଦକ୍ଷେପ ନିଆଯାଇଛି ।
ଚଳିତ ମାସ ୬ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏପରିକି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ କିଭଳି ସୁରୁଖୁରୁରେ ଟଙ୍କା ଯାଇପାରିବ ସେ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ଓଡ଼ିଶା କମ୍ପ୍ୟୁଟର୍ ଆପ୍ଲିକେସନ୍ ସେଣ୍ଟର୍ ବା ଓକାକ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓକାକର ସାମ୍ସ୍ ଟିମକୁ ସଫ୍ଟୱେର ମଡ୍ୟୁଲ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏ ବାବଦରେ ପ୍ରକ୍ରିୟା ଜାରି ରହିଛି । ତେବେ ବିଜୁ ଯୁବ ସଶକ୍ତିକରଣ ଯୋଜନା ୨୦୧୩ରୁ ଆରମ୍ଭ ହୋଇଥିବା ବେଳେ ୭ ବର୍ଷ ହେବ ଯୋଜନା ସଫଳ ଭାବେ ରୁପାୟନ ହୋଇଥିବା ବୈଠକରେ ସୂଚନା ଦିଆଯାଇଛି ।
ସେହିପରି ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୯୯ଜଣ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସ୍ କୋଚିଂ ଦିଆଯାଉଛି । ଛାତ୍ରଛାତ୍ରୀଙ୍କୁ ଧ୍ୟେୟ ଆଇଏଏସ୍ ଏଜୁକେସନାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କୋଚିଂ ଦିଆଯାଉଥିବା ବେଳେ କରୋନା ମହାମାରୀ ପାଇଁ ଏବେ ଅନଲାଇନରେ କ୍ଲାସ୍ ହେଉଛି । ୯୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ଜଣ ଭୂଗୋଳ ଇଚ୍ଛାଧୀନ ବିଷୟ ଭାବେ ଚୟନ କରିଥିବା ବେଳେ ୧୩ଜଣ ସାଧାରଣ ପ୍ରଶାସନକୁ ଅପ୍ସନାଲ୍ ରଖିଛନ୍ତି । ଗତ ଅକ୍ଟୋବର ୪ ତାରିଖରେ ୟୁପିଏସସି ପ୍ରିଲିମ୍ ପରୀକ୍ଷା ହୋଇଥିବା ବେଳେ ୨୦୨୧ ଜାନୁଆରୀ ୮ରେ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଅପରପକ୍ଷେ କରୋନା ମହାମାରୀ ଭଳି ପରିସ୍ଥିତି ଯୋଗୁଁ ୨୦୨୦-୨୧ରେ ଦ୍ୱିତୀୟ ବ୍ୟାଚ୍ ସିଭିଲ୍ ସର୍ଭିସ୍ କୋଚିଂକୁ ସ୍ଥଗିତ ରଖାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।