କେନ୍ଦ୍ରୀୟ ଯୋଜନା ହଡପ ନେଇ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଓ କରିବ ବିଜେପି: ବସନ୍ତ ପଣ୍ଡା

ଭୁବନେଶ୍ୱର ୨୩/୯: ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ରାଜ୍ୟ ବିଜେପି ଆଗାମୀ ୨୭  ତାରିଖ ଦିନ ରାଜ୍ୟର ସମସ୍ତ ୩୧୪ ବ୍ଲକ, ସମସ୍ତ ଏନଏସି/ମ୍ୟୁନିସପାଲିଟି ଘେରାଓ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର  ଦିଆଯିବ ବୋଲି ରାଜ୍ୟ ସଭାପତି ତଥା ସାସଂଦ ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ,  ୨୦୧୧ ଜନଗଣନା ଅନୁଯାୟୀ SECC ଲିଷ୍ଟ ଅନୁଯାୟୀ ସ୍ଥାନୀୟ ପଂଚାୟତ ଅଧିକାରୀ ଗରୀବ ହିତାଧିକାରୀ ସୂଚୀ ତଦାରଖ କରିବା କଥା । କିନ୍ତୁ ଏହି ସୂଚୀକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ବଂଚିତ କରାଯାଉଛି । ଗୋଟିଏ ପରବିାରରେ ୨ରୁ ୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି । କାର୍ଯ୍ୟାଦେଶ ପାଇବା ପାଇଁ ବ୍ୟାପକ ଅର୍ଥ କାରବାର ହେବା ନଜରକୁ ଆସିଛି । ସେହିପରି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା ଆବଶ୍ୟକ । କାର୍ଯ୍ୟାଦେଶକୁ ପଂଚାୟତ/ବ୍ଲକରେ ଦିଆନଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଂଟାଯିବା ପାଇଁ ସ୍ଥଗିତ ରଖାଯାଉଛି । ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି । ସେଥିପାଇଁ ବ୍ୟାପକ ଅର୍ଥ ଓଡିଶାକୁ ଆସୁଅଛି । କିନ୍ତୁ ଏଠି ରାଜ୍ୟସରକାର କେନ୍ଦ୍ରସରକାରଙ୍କ ନାଁ ଧରୁନାହାଁନ୍ତି । ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ  ନାହିଁ । ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ମାତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ ‘ବିଜୁ ପକ୍କାଘର‛ ବୋଲି କହି ବିଜ୍ଞାପନ ଦେଉଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ ‘ବିଜୁ ପକ୍କାଘର’ ବୋଲି କହି ବିଜ୍ଞାପନ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଅର୍ଥରେ ହେଉଥିବା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ସହ ଦଳୀୟ ଭିତିରେ ଘର ନଦିଆଯାଇ ପ୍ରକୃତ ହିତାଧିକାରୀକୁ ପକ୍କା ଘର ବଂଟନ କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ ଏବଂ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ବିହାର ନିର୍ବାଚନ; ଏଲଜେପି ପ୍ରାର୍ଥୀ ନଥିବା ଆସନରେ ବିଜେପିକୁ ଭୋଟ ଦେବାକୁ କହିଲେ ଚିରାଗ ପାଶଓ୍ବାନ…