PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁଙ୍କ ସମାଧି, ପୂର୍ବରୁ ସମାଧି ଉଛେଦ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ପୁରୀ, ୨୦ ।୧୨(ବ୍ୟୁରୋ): ଆଇନ ବିବାଦରେ ୨୨ ବର୍ଷ ଧରି ଛନ୍ଦି ହୋଇ ରହିଥିବା ସ୍ୱର୍ଗଦ୍ୱାରସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମାଧିକୁ ବୁଧବାର ବିଳମ୍ବିତ ରାତିରେ ପ୍ରଶାସନ ଉଚ୍ଛେଦ କରିଛି । ସଶସ୍ତ୍ର ପୁଲିସ ବାହିନୀ ସମାଧି ପୀଠକୁ ଘେରି ରହିଥିବା ବେଳେ ଏହି ସ୍ମାରକୀକୁ ଭାଙ୍ଗି ଦିଆଯାଇଥିଲା ।

ଗତ ନଭେମ୍ବର ୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗଦ୍ୱାର ଆଧୁନିକୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଯୋଜନା ଘୋଷଣା କରିଥିଲେ । ଏହି ପରିକଳ୍ପନା ପାଇଁ ୫କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଶ୍ମଶାନ ଘାଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ସମାଧିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ କହିଛି ସ୍ୱର୍ଗଦ୍ୱାର ଅବରୋଧ ହଟାଇ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଏହି କାରଣରୁ ବିଜୁବାବୁଙ୍କ ସମାଧିକୁ ଗତ ରାତିରେ ଉଚ୍ଛେଦ କରାଯାଇଛି ।

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅତ୍ୟାଧୁନିକ ଶ୍ମଶାନ ଘାଟ ନିର୍ମାଣ କରିଥିବା ଏକ ଘରୋଇ ସଂସ୍ଥାକୁ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ଳର ନିର୍ମାଣ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଶ୍ମଶାନଘାଟ ପ୍ରବେଶ ପଥ ଡାହାଣ ପାଖରେ ଥିବା ପଥ ଶ୍ରାଦ୍ଧ କୋଠା, ଶବ ପଞ୍ଜୀକରଣ ଅଫିସ କୋଠା, ଶ୍ରଦ୍ଧାଳୁ ବିଶ୍ରାମ କକ୍ଷ, ଧୂଆଁ ବିହୀନ ଶବ ସତ୍କାର ଚିମ୍‌ନି ଆଦିକୁ ଉଚ୍ଛେଦ କରାଯାଇଛି । ସ୍ୱର୍ଗଦ୍ୱାର ଶ୍ମଶାନ ଘାଟର ଖାଲି ହୋଇଥିବା ଜମିରେ ଦୁଇଟି ଧାଡ଼ିରେ ଶବଦାହ ପିଣ୍ଡି, ଅସ୍ଥି ସଂରକ୍ଷଣ ଲକର, ସ୍ନାନାଗାର, ପାନୀୟ ଜଳ, ବିଶ୍ରାମାଗାର ନିର୍ମାଣ ଆଦି ଆଧୁନିକୀକରଣ ପରିକଳ୍ପନା ସ୍ଥାନିତ ହୋଇଛି । ନିର୍ମାଣ ଆରମ୍ଭର ଦୁଇ ମାସ ମଧ୍ୟରେ ସ୍ୱର୍ଗଦ୍ୱାର ପରିସରର ଆଧୁନିକୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପରିକଳ୍ପନାକୁ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଜୁବାବୁଙ୍କ ସମାଧିକୁ ନେଇ ଦୀର୍ଘ ବର୍ଷର ଅଦାଲତି ଲଢ଼େଇ ଚାଲିଥିଲା । ପୁରୀ ଜୁନିଅର ଡିଭିଜନ୍‌ ସିଭିଲ ଜଜଙ୍କ ଅଦାଲତରୁ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଜିଲ୍ଲାଜଜ୍‌ଙ୍କ କୋର୍ଟରେ ଚଳିତ ମାସ ଶେଷ ସପ୍ତାହରେ ସମାଧି ଉଚ୍ଛେଦ ନେଇ ଚାଲିଥିବା ମାମଲାର ଶୁଣାଣି ହେବାର ଥିଲା । କୋର୍ଟ ଶୁଣାଣି ପୂର୍ବରୁ ଏହି ସମାଧିକୁ ପ୍ରଶାସନ ଉଚ୍ଛେଦ କରିଛି । ୧୯୯୭ରେ ସମାଧି ନିର୍ମାଣ ପରଠାରୁ ଆଇନଗତ ବିବାଦ ଚାଲିଥିଲା । ଜମିକୁ ଅବରୋଧ କରି ସମାଧି ନିର୍ମାଣ ହୋଇଥିବା ସଂପର୍କରେ ୩ଜଣ ଆଇନଜୀବୀ କୋର୍ଟରେ ଅଭିଯୋଗ କରିଥିଲେ ।

ଶ୍ମଶାନ ଘାଟ ଜମିରେ ନିର୍ମିତ ସମାଧି ପୀଠକୁ ଭାଙ୍ଗିଦେବାକୁ କୋର୍ଟରେ ଓକିଲମାନେ ମିଳିତ ଆବେଦନ କରିଥିଲୋ । ଓକିଲଙ୍କ ଆବେଦନକୁ ବିଚାର କରି କୋର୍ଟ ସମାଧି ପୀଠକୁ ଭାଙ୍ଗି ଦେବାକୁ ଆଦେଶ ଦେଇଥିଲେ । ତଳ କୋର୍ଟର ଏହି ରାୟକୁ ଜିଲ୍ଲାଜଜ୍‌ଙ୍କ କୋର୍ଟରେ ପ୍ରଶାସନ ଚ୍ୟାଲେଞ୍ଜ କରିଥିଲା । ଜିଲ୍ଲାଜଜ କୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଏହା ବିରୋଧରେ ପ୍ରଶାସନ ହାଇକୋର୍ଟକୁ ଯାଇଥିଲା । ହାଇକୋର୍ଟ ଜିଲ୍ଲା କୋର୍ଟରେ ଏହି ଆବେଦନ କରିବାକୁ ଆଦେଶ ଦେଇଥିଲେ । ପୁଣି ଥରେ ଜିଲ୍ଲାଜଜଙ୍କ ଅଦାଲତକୁ ମାମଲା ଫେରିଥିଲା । ଏହି ସମାଧି ପୀଠ ରହିଥିବା ଜମିର ମାଲିକାନା ଏବଂ କେଉଁ ଆଧାର ବା ଆଦେଶ ବଳରେ ଏହି ସମାଧି ନିର୍ମାଣ ହୋଇଛି ତାହାର ପ୍ରମାଣସ୍ୱରୂପ କାଗଜାତ ଅଦାଲତରେ ଦାଖଲ କରିବାକୁ କୋର୍ଟ ଆଦେଶ ଦେଇଥିଲେ । ଏହି କାଗଜାତ ଦାଖଲରେ ପ୍ରଶାସନ ବିଳମ୍ବ କରିଥିଲା । ଏହି କାରଣରୁ ଆବେଦନକାରୀ ଓକିଲମାନେ ପୁଣି ଥରେ ତଳ କୋର୍ଟ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମାମଲାର ଶୁଣାଣି ଡିସେମ୍ବର ଶେଷ ସପ୍ତାହରେ ହେବ ବୋଲି କୋର୍ଟ ଆଦେଶ ଦେଇଥିଲେ । ତେବେ ଶୁଣାଣି ତାରିଖ ପୂର୍ବରୁ ପ୍ରଶାସନ ଉଚ୍ଛେଦ କରିଛି ।

ସମ୍ବନ୍ଧିତ ଖବର