ଖସି ପଡ଼ିଲା ବିମାନ ! ଦୁଇ ଘଣ୍ଟାରେ ମକ୍‌ ଡ୍ରିଲ୍‌ ଅପରେସନ୍‌ ସଫଳ

ଭୁବନେଶ୍ୱର ୨୭/୧୧: ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ରାତିରେ ଘଟିଛି ଏକ ଭୟାନକ ଦୁର୍ଘଟଣା । ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ହଠାତ ଖସି ପଡ଼ିଲା । ଫଳରେ ଏଥିରେ ନିଆଁ ଲାଗିଯାଇଥିଲା । ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିଲା । କମ୍ପି ଉଠିଥିଲା ସାଇରନ୍‌ । ଚହଳ ପଡି ଯାଇଥିଲା ବିମାନ ବନ୍ଦର ଭିତରେ । ଅଗ୍ନିଶମ, ସିଆଇଏସ୍‌ଏଫ୍‌, ବିମାନ ବନ୍ଦର କର୍ମଚାରୀ ଫୁଲ୍‌ ଦମ୍‌ରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଦୁଇ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇବା ସହ ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ ।

କ’ଣ ଡିରି ଗଲେକି… । ଆଜ୍ଞା ସେମିତି କିଛି ଘଟି ନାହିଁ । ବିମାନ ବନ୍ଦରରେ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇନାହିଁ। ବିମାନ ଦୁର୍ଘଟଣା ହେଲେ କେମିତି ଉଦ୍ଧାର କରାଯିବ ତାକୁ ନେଇ କରାଯାଇଥିଲା ଏକ ମକ୍‌ ଡ୍ରିଲ୍‌ । ଏଥିରେ ଅନେକ କିଛି ଶିଖିବାକୁ ପାଇଥିଲେ ବିମାନ ବନ୍ଦର କର୍ମଚାରୀ ।

ବିମାନ ଦୁର୍ଘଟଣାର ମୁକାବିଲା କରିବାକୁ ଉଦ୍ଦିଷ୍ଟ ଥିଲା ଏହି ମିଛମିଛିକା ଦୁର୍ଘଟଣାର ନାଟକ । ଏମିତି ଢଙ୍ଗରେ ବିମାନ ବନ୍ଦର କର୍ତ୍ତୃପକ୍ଷ ମକ୍‌ ଡ୍ରିଲ୍‌ କରିଥିଲେ ଯେ କେହି ବି ଦ୍ୱନ୍ଦ୍ୱରେ ପଡ଼ିଯିବ ।

ମଙ୍ଗଳବାର ରାତି ପ୍ରାୟ ୧୧ ଟା। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏକ ଚାଟାର୍ଡ୍‌ ଫ୍ଲାଇଟ୍‌ ୩୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ହେଲେ କାର୍ଗିଲ୍‌ ବସ୍ତି ପଟେ (ବିମାନ ବନ୍ଦର ଭିତର ପାଶ୍ୱର୍)ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ତଳେ ପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ସାଇରନ ବାଜିବା ପରେ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ଦୁର୍ଘଟଣା ସ୍ଥଳଟି ଅନ୍ଧାର ଥିଲା । ସେଠାରେ ଟାୱାର ଲାଇଟ୍‌ ଜରିଆରେ ଆଲୋକିତ କରାଯାଇଥିଲା । ହାଇ ସ୍ପିଡ୍‌ ମଟରରେ ପାଣି ସ୍ପ୍ରେ କରି ନିଆଁକୁ ଆୟତ୍ତ କରିଥିଲେ ଦମକଳ କର୍ମଚାରୀ । ତା’ପରେ ସେଠାରେ ଆମ୍ବୁଲାନ୍ସ ପହଞ୍ଚି ଥିଲା । ଜୁରୁରୀକାଳୀନ ଫାଟକ ଦେଇ ଯାତ୍ରୀମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇଥିଲେ ।

ବିମାନ ବନ୍ଦରର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟର ତରିକା ବିଷୟରେ ବୁଝାଇଥିଲେ। ଏହି ମକ୍‌ ଡ୍ରିଲରୁ ଉପସ୍ଥିତ କର୍ମଚାରୀମାନେ ମଧ୍ୟ ଅନେକ କିଛି ନୂଆ କଥା ଶିଖିଥିଲେ । ଯଦି କେବେ କିଛି ଅଘଟଣା ଘଟେ ତେବେ ତାର ମୁକାବିଲା କରିବା ପାଇଁ କର୍ମଚାରୀମାନେ ପୁରା ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ପୂର୍ବରୁ ବିମାନ ବନ୍ଦରରେ ଅନେକ ମକ୍‌ ଡ୍ରିଲ୍‌ ହୋଇଛି । ହେଲେ ଦୁର୍ଘଟଣା ପାଇଁ ଏହି ମକ୍‌ ଡ୍ରିଲ୍‌ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପ୍ରଥମ।

   ସମ୍ବନ୍ଧିତ ଖବର


ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା

ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି

ଓଡ଼ିଶାରେ ତଳକୁ ଖସିଲା କରୋନା ଗ୍ରାଫ୍: ୨୪ଘଣ୍ଟା ଆଉ ୫୯୪ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ଟପିଲା