କିଲୋ ଦରରେ ବିକ୍ରି ହେବ ବିଜୁଙ୍କ ପ୍ରିୟ ଡାକୋଟା !

କଟକ,୪ା୩(ଜଗନ୍ନାଥ ରାଉତ): ପୁରୁଣା ଟିଣ, ଲୁହା ଭଳି ସ୍କ୍ରାପ୍ ଦରରେ ବିକ୍ରି ହେବ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ । ପୂର୍ବରୁ ଥରେ ଏହି ଡାକୋଟା ବିମାନକୁ ବିକ୍ରି କରାଯିବା ପାଇଁ ଯୋଜନା ହୋଇଥିଲା । ତେବେ ସୌଭାଗ୍ୟବଶତଃ ତାହା ସେତେବେଳେ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ବିକ୍ରି ଯୋଜନା କରାଯିବା ସହ ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଉଥିବା ସୂଚନା ମିଳିଛି ।
କୋଲକାତା ଏୟାରପୋର୍ଟରେ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଏହି ଚର୍ଚ୍ଚିତ ଡାକୋଟା । ରାଜ୍ୟ ସରକାର ଏହାକୁ ଓଡିଶା ଆଣି ବିଜୁବାବୁଙ୍କ ପୈତୃକ ଘର ତଥା ଜନ୍ମ ଓ କର୍ମସ୍ଥଳୀ କଟକର ଆନନ୍ଦ ଭବନ ସଂଗ୍ରହାଳୟରେ ରଖିବେ ବୋଲି ଯୋଜନା କରିଥିଲେ । କିନ୍ତୁ ସେ ଯୋଜନା ଯୋଜନାରେ ହିଁ ରହିଗଲା । ସରକାରୀ ଅଧିକାରୀମାନେ ଅଧିକ ପରିବହନ ଖର୍ଚ୍ଚର ଆଳ ଦେଖାଇ ଏହାକୁ ଅଣାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଦେଇ ଚୁପ୍ ବସିଗଲେ । ଫଳରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏହି ଡାକୋଟାକୁ ଖଣ୍ଡଖଣ୍ଡ କରି କାଟି କେଜି ପିଛା ୪୦ ଟଙ୍କା ହିସାବରେ ସ୍କ୍ରାପ୍ ଦର୍ରେ ବିକ୍ରି କରିବାକୁ ମସୁଧା କରିଥିବା ଜଣାପଡିଛି ।
ଓଡ଼ିଶାର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୪ଟି ବିମାନ ଥିଲା । ସେଥିରୁ ଡାକୋଟା ଥିଲା ଅନ୍ୟତମ । ଏହି ଡାକୋଟାକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ । ପରେ ଏହି ଡାକୋଟା ବିମାନଟି କେଉଁଆଡେ ଅନ୍ତର୍ହିତ ହୋଇଯାଇଥିଲା, ଆଉ କାହା ଆଖିରେ ପଡିନଥିଲା । ହଠାତ୍ ଏହି ଡାକୋଟାକୁ କୋଲକାତା ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଐତିହାସିକ ଅନୀଲ ଧୀର୍ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଜୁ ବାବୁଙ୍କ ଏହି ପ୍ରିୟ ବିମାନଟିକୁ ଓଡିଶାକୁ ଆଣିବାକୁ ଦାବି ହୋଇଥିଲା । ଏହାପରେ ରାଜ୍ୟ ସରକାର ଏହି ଡାକୋଟା ବିମାନକୁ କଟକସ୍ଥିତ ବିଜୁ ବାବୁଙ୍କ ପୁରୁଣା ବାସଭବନ ‘ଆନନ୍ଦଭବନ’ ସଂଗ୍ରହାଳୟରେ ରଖିବାକୁ ଯୋଜନା କରିଥିଲେ । ଏଥିପାଇଁ କଟକ ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ମଧ୍ୟ କୁହାଯାଇଥିଲା । ଆନନ୍ଦଭବନ ସାମ୍ନାରେ ଥିବା ଖୋଲା ଜାଗାରେ ଡାକୋଟା ରଖାଯିବାକୁ ସ୍ଥିର ହୋଇଥିଲା । କିନ୍ତୁ ପ୍ରକୃତରେ ବିଜୁ ବାବୁ ଆନନ୍ଦଭବନ ସମ୍ମୁଖ ଜାଗାଟିକୁ ୧୯୬୯ ମସିହାରେ ଏକ ଫୁଟବଲ କ୍ଲବ୍କୁ ଦାନ କରିଦେଇଥିବା କଥା ପରେ ଜଣାପଡିଥିଲା । ଫଳରେ କଟକରେ ଡାକୋଟା ବିମାନ ରଖିବାକୁ ଜାଗାର ଅଭାବ ପଡିଥିଲା । ଆନନ୍ଦଭବନ ନିକଟରେ ଜାଗା ନ ମିଳିବାରୁ କଟକକୁ ଡାକୋଟା ଆସିବା ଯୋଜନା ଫସର ଫାଟିଗଲା । ବିଜୁ ବାବୁଙ୍କ ନାଁରେ ଭୁବନେଶ୍ୱରର ଏୟାରପୋର୍ଟ ହୋଇଥିବାରୁ କୋଲକାତାରୁ ଆଣି ସେହିଠାରେ ହିଁ ଏହି ଡାକୋଟା ରଖିବାକୁ ମଝିରେ ପ୍ରସ୍ତାବ ଉଠିଥିଲା । ପରେ ରାଜ୍ୟ ଗୃହ ବିଭାଗର ବରିଷ୍ଠ ଅଧିକାରୀ କୋଲକାତା ଏୟାରପୋର୍ଟ ଯାଇ ଡାକୋଟାକୁ ଯାଞ୍ଚ୍ କରିଥିଲେ । କିନ୍ତୁ କୋଲକାତା ଏୟାରପୋର୍ଟରୁ ଡାକୋଟା ଓଡିଶା ଆସିବାରେ ପ୍ରଚୁର ଅର୍ଥ ଖର୍ଚ୍ଚ ହେବ ବୋଲି ସରକାରୀ ଅଧିକାରୀଙ୍କ ରିପୋର୍ଟରେ ସେତେବେଳେ ଦର୍ଶାଯାଇଥିଲା । ଏପରିକି ଖର୍ଚ୍ଚର ପରିମାଣ କୋଟି ଟପିବ ବୋଲି କୁହାଯିବାରୁ ସରକାରୀ କଳ ଏ ଦିଗରେ ଚୁପ୍ ପଡ଼ିଗଲା । ସରକାରୀ ଅଧିକାରୀଙ୍କ ଗସ୍ତ ପରେ ଆଉ ରାଜ୍ୟ ସରକାର ଡାକୋଟା ଆଣିବା ଦିଗରେ କୌଣସି ପ୍ରୟାସ କଲେ ନାହିଁ କି ଆଗ୍ରହ ଦେଖାଇଲେ ନାହିଁ ।
ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏ ନେଇ ରାଜ୍ୟ ସରକାରଙ୍କୁ ବାରମ୍ୱାର ଯୋଗାଯୋଗ କଲେ । କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ ନକରିବାରୁ ଶେଷରେ ଏହାକୁ ଲୁହା, ଟିଣ ଦରରେ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ କଲେ । ନିକଟରେ ସ୍କ୍ରାପ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ଡାକୋଟା ବିମାନର ବିକ୍ରି ପାଇଁ ଟେଣ୍ଡର ଆହ୍ୱାନ କରିବାର ଥିଲା । ତେବେ କୌଣସି କାରଣରୁ ଏହା ବାତିଲ୍ ହୋଇଯିବାରୁ ଏବେ ପୁଣି କର୍ପୋରେସନ୍ ଡାକୋଟାର ବିକ୍ରି ପାଇଁ ପଦକ୍ଷେପ ନେଇ ସାନି ଟେଣ୍ଡର୍ କରିବାକୁ ଯାଉଥିବା ଜଣାପଡିଛି । ବିଶେଷଜ୍ଞମାନଙ୍କ କହିବା କଥା, ଡାକୋଟା ଅଣାଯିବାରେ ପ୍ରଚୁର ଅର୍ଥ ଖର୍ଚ୍ଚ ହେବାର ଆଶଙ୍କା ଅମୂଳକ । ଖର୍ଚ୍ଚ ସେତେ ବେଶୀ ହେବନାହିଁ । ତାଛଡ଼ା ଯେଉଁ ବିଜୁ ବାବୁଙ୍କ ନାଁକୁ ନେଇ ଓଡିଶାରେ ଆଜି ଶାସନ ଚାଲିଛି, ଗୋଟିଏ ପରେ ଗୋଟିଏ ଯୋଜନା ଯାହାଙ୍କ ନାଁରେ ପ୍ରଣୀତ ହେଉଛି, ସେହି ବିଜୁ ବାବୁଙ୍କ ପ୍ରିୟ ସନ୍ତକ ଡାକୋଟାକୁ ଓଡ଼ିଶା ଆଣିବାରେ ଯଦି କିଛି ଟଙ୍କା ଖର୍ଚ୍ଚ ହେଉଛି, ତାହେଲେ ଖର୍ଚ୍ଚ କରିବାରେ ଅସୁବିଧା କେଉଁଠି? ବରଂ ଖର୍ଚ୍ଚକୁ ପରବାୟ ନକରି ଡାକୋଟାକୁ ଓଡ଼ିଶା ଅଣାଯାଉ, ସାଇତି ରଖାଯାଉ । ଏହାକୁ କବାଡିଆଙ୍କୁ ବିକ୍ରି କରି ଦିଆଗଲେ ବିଜୁପ୍ରେମୀମାନେ ଦାରୁଣ ଆଘାତ ପାଇବେ ।