ବିଜୁଳି ଦରବୃଦ୍ଧି, ଘେରିଲେ ବିରୋଧୀ

ଭୁବନେଶ୍ୱର : ବିଜୁଳି ଦରବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କରୋନା ସଂକଟ କାଳରେ ବିଜୁଳି ଦର ଖାଉଟିକୁ ବାଧିବ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିବ । ଏହା ସମ୍ପୂର୍ଣ୍ଣ ଭାବେ ଅପରିଣାମଦର୍ଶୀ ନିଷ୍ପତ୍ତି । ବିଜୁଳି କଂପାନିକୁ ଲାଭ ଦେବାକୁ ଏହା ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏ ପ୍ରସଙ୍ଗକୁ ଦଳ ବିଧାନସଭାରେ ଉଠାଇବ ବୋଲି କଂଗ୍ରେସ କହିଛି । ଉପଭୋକ୍ତା ସଂଘ ଆଇନର ଆଶ୍ରୟ ନେବ ବୋଲି ମଧ୍ୟ ଧମକ ଦେଇଛି ।

ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ବୃଦ୍ଧି ହେବ ବୋଲି ଓଇଆରସି ବିଜ୍ଞପ୍ତି ଜାରି କରିବା ପରେ ରାଜନୈତିକ ଦଳଗୁଡ଼ିକ ବେଶ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ରାଜ୍ୟବାସୀ କରୋନା ସହ ଲଢ଼େଇ କରୁଛନ୍ତି । ଲୋକଙ୍କ ହାତରେ କାମ ନାହିଁ କି ରୋଜଗାର ନାହିଁ । ସାଧାରଣ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ମଧ୍ୟରେ ସମୟ କାଟୁଥିଲା ବେଳେ ବିଜୁଳି ଦର ବଢ଼ାଇବା କଟା ଘା’ରେ ଲୁଣ ଛିଟା ଭଳି ହୋଇଛି ।

ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ସରକାର ଟାଟା ପ୍ରେମରେ ବାଉଳା ହୋଇ ଏ ଦର ବଢ଼ାଇଛନ୍ତି । ଏହା ଉପଭୋକ୍ତାଙ୍କୁ ବାଧିବ । ତୁରନ୍ତ ଏ ବର୍ଦ୍ଧିତ ଦର ପ୍ରତ୍ୟାହାର ନକଲେ କଂଗ୍ରେସ ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ଏବଂ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବ । ବିଜୁଳି ଉପଭୋକ୍ତା ସଂଘ ମଧ୍ୟ ଏହା ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।

ଅପରପକ୍ଷେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ବିଜୁଳି ଦର ବୃଦ୍ଧିରେ ସରକାରଙ୍କର କିଛି ଭୂମିକା ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ହିଁ ଏସଂପର୍କରେ ନିଷ୍ପତ୍ତି ନେଇଥାନ୍ତି । ବିଜୁଳି ଉତ୍ପାଦନ, ପ୍ରସାରଣ ଓ ବଣ୍ଟନ ଦର ବୃଦ୍ଧିରୁ ଓଇଆରସି ଏ ଶୁଳ୍କ ବୃଦ୍ଧି କରିଛନ୍ତି । ତେବେ ୭ ବର୍ଷ ପରେ ୪ ପ୍ରତିଶତ ଦର ବଢ଼ିଛି ବୋଲି  ଶ୍ରୀ ମିଶ୍ର କହିଛନ୍ତି ।

  ଉଲ୍ଲେଖଯୋଗ୍ୟ, ଓଇଆର୍‌ସି ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ୟୁନିଟ୍‌ ପିଛା ୨୦ ପଇସା ଶୁଳ୍କ ବଢ଼ିଛି । ପ୍ରଥମ ୫୦ ୟୁନିଟ୍‌ ପାଇଁ ବିଜୁଳି ଉପଭୋକ୍ତାମାନେ ଏଣିକି ୟୁନିଟ୍‌ ପିଛା ଟ. ୨.୭୦  ଦେବେ । ସେହିଭଳି ୫୧ ରୁ ୨୦୦ ୟୁନିଟ୍‌ ଯାଏ ୪.୫୦, ୨୦୧ରୁ ୪ ଶହ ୟୁନିଟ୍‌ ଯାଏ ଟ.୫.୫୦ ହିସାବରେ ଶୁଳ୍କ ଦେବାକୁ ହେବ । ସେହିଭଳି ୪୦୧ ରୁ ଉଧ୍ୱର୍ ୟୁନିଟ୍‌ ବିଜୁଳି ବ୍ୟବହାର ପାଇଁ ୫.୯୦ ମୂଲ୍ୟରେ ଦେୟ ଦାଖଲ କରିବାକୁ ପଡ଼ିବ । ବିଜୁଳି ଦେୟ ବୃଦ୍ଧି ପାଇଁ ଓଇଆରସି ଶୁଣାଣୀ ବେଳେ ଉପଭୋକ୍ତା ମହାସଂଘର ପ୍ରତିନିଧିମାନେ ତୀବ୍ର ବିରୋଧ କରିଥିଲେ ମଧ୍ୟ ଆୟୋଗ ଶୁଳ୍କ ବଢ଼ାଇଛନ୍ତି । ଗତ ମାର୍ଚ୍ଚ ମାସରେ ଶୁଣାଣୀ ସରିଥିଲେ ମଧ୍ୟ କରୋନା କାରଣରୁ କମିଶନ ନିଷ୍ପତ୍ତି ସ୍ଥଗିତ ରଖିଥିଲେ ।

   ସମ୍ବନ୍ଧିତ ଖବର


ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ