ବାଇକକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ: ମହିଳାଙ୍କ ସମେତ ୨ ମୃତ, ୨ ଶିଶୁ ଆହତ

ତୁମୁଡ଼ିବନ୍ଧ ୧୬/୩: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋପାଳପୁର-ରାୟପୁର ଜାତୀୟ ରାଜପଥର ମୁଣ୍ଡିଗଡ଼ଠାରେ ବାଇକ୍‌ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଶିଶୁ ଆହତ ହୋଇଛନ୍ତି । ମୃତକ ହେଲେ ବାଇକ୍‌ ଚାଳକ ପ୍ରଭାତ ବଡ଼ସେଠ୍‌ ଓ ବାଇକ୍‌ ଆରୋହୀ ନିଳିମା ମାଝି ।

ମିଳିଥିବା ସୂଚନା ଅନୁସାରେ ମୁଣ୍ଡିଗଡ ପଞ୍ଚାୟତର ସନ୍ଦିପଦର ଗ୍ରାମର ପ୍ରଭାତ ବଡ଼ସେଠ(୨୬) କୌଣସି କାର୍ଯ୍ୟରେ ମୁଣ୍ଡିଗଡ଼ ପଞ୍ଚାୟତକୁ ଆସିଥିଲେ । ଏହି ସମୟରେ ବାଟିକିଲୁ ଗ୍ରାମର ନିଳିମା ମାଝି ଓ ରିବିକା ମାଝି ସେମାନଙ୍କ ୨ ଶିଶୁଙ୍କୁ ଧରି ଭତ୍ତା ଟଙ୍କା ନେଇ ଆସୁଥିଲେ । ଏହି ଦୁଇ ମହିଳା ଓ ଶିଶୁଙ୍କୁ ପ୍ରଭାତ ନିଜ ବାଇକରେ ବସାଇ ମୁଣ୍ଡିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାଟିକିଲୁ ଗ୍ରାମକୁ ଛାଡ଼ିବା ପାଇଁ ବାହାରିଥିଲେ । ମୁଣ୍ଡିଗଡ଼ ପଞ୍ଚାୟତଠାରୁ ମାତ୍ର ୧୦୦ମିଟର ରାସ୍ତା ଅତିକ୍ରମ କରିବା ପରେ ତୁମୁଡ଼ିବନ୍ଧ ଅଭିମୁଖେ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପ୍ରଭାତ ବଡ଼ସେଠଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ସମସ୍ତ ଆହତଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦକୁ ଚିକିତ୍ସା ପାଇଁ ଆଣିଥିଲେ ସ୍ଥାନୀୟ ଲୋକ ।

ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ବାଲିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ନିଳିମା ମାଝିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ଫେରାର ମାରିଥିଲା । ମୁଣ୍ଡିଗଡ଼ ଗ୍ରାମବାସୀ ପିଛାକରି ଆମ୍ବୁଲାନ୍ସକୁ ଗୋଡ଼ାଇ ଧରିବା ପରେ ପୁଲିସ ଜିମା ଦେଇଥିଲେ । ତେବେ କିଛି ସମୟପରେ ତୁମୁଡ଼ିବନ୍ଧ ପୁଲିସ ଆମ୍ବୁଲାନ୍ସକୁ ଛାଡ଼ି ଦେବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ଆମ୍ବୁଲାନ୍ସ ଅଟକାଇଥିଲେ । ଡ୍ରାଇଭରକୁ ଗିରଫ, ମୃତକ ପରିବାରକୁ କ୍ଷତିପୂରଣ, ସରକାରୀ ସହାୟତା, ଆହତଙ୍କୁ ମାଗଣା ଚିକିତ୍ସା ଓ ମୁଣ୍ଡିଗଡ଼ ବଜାରରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରି ହମ୍ପସ୍‌ ନିର୍ମାଣ ଦାବି କରିଥିଲେ । ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଥିଲେ ।

   ସମ୍ବନ୍ଧିତ ଖବର


ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ