ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…

ବୁର୍ଲା, ୨୦/୧୦: କୁଖ୍ୟାତ ଅପରାଧୀଙ୍କ ଭିତରେ ବି ବେଳେ ବେଳେ ମାନବିକତା ଜାଗି ଉଠିଥାଏ। ଇତିହାସରୁ ଆରମ୍ଭ କରି ସାଂପ୍ରତିକ ସମୟରେ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଥାଏ । ତେବେ, ବୁର୍ଲା ସହରରେ ମଧ୍ୟ
ଅନୁରୂପ ଏକ ଘଟଣାଦେଖିବାକୁ ମିଳିଛି ।

ଜଣେ ଚୋର ଦେଖାଇଛି ମାନବିକତା। ଏହା ଶୁଣିନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ବାସ୍ତବରେ ଏହା ସତ।ଗତକାଲି ରାତିରେ ଜଣେ ଚୋର ଏକ ବାଇକ୍‌ ଚୋରି କରି ନେଇଯାଇଥିଲା। ହେଲେ ପରେ ଏହା ସମାଜସେବୀ ତଥାସୁପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ବୋଲି ଜାଣିବାରୁ ସେ ଅଧା ବାଟରୁ ବାଇକ୍‌ ଛାଡି ଚାଲିଯାଇଛି। ଆଉ ଏକ ହାତ ଲେଖା ଚିଠି ଟିଏ ଗାଡିରେ ରଖି ଡାକ୍ତର ରାମଚନ୍ଦାନୀଙ୍କୁ କ୍ଷମାପ୍ରାର୍ଥନା କରିଛି। ଘଟଣା ଟି ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା ସୂଚନା ମତେ ଭିମସାରର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ବୁର୍ଲା ଗୁପ୍ତା ନର୍ସିଂ ହୋମ୍‌ ସମ୍ମୁଖରେ ଥିବା ନିଜ ବାସଗୃହରୁ ଗତକାଲି ବିଳମ୍ୱିତ ରାତିରେ ତାଙ୍କ ଟିଭିଏସ୍‌ ଡିସ୍‌କଭର୍‌ ବାଇକ୍‌କୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିଲା । ଆଜି ସକାଳୁ ବାଇକ୍‌ ନ ଥିବା ଡା.ରାମଚନ୍ଦାନୀ ଜାଣିବା ପରେ ସେ ଚୋରି ହୋଇଥିବା ସନ୍ଦେହ କରିଥିଲେ। ଏହାପରେସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଦିନ ପ୍ରାୟ ୧୧ ଟା ସମୟରେ ତାଙ୍କ ଗାଡିଟି ଛାତି ଓ ସଂକ୍ରମଣ ବିଭାଗକୁ ଯିବା ରାସ୍ତା ରାସ୍ତା କଡ ଏକ ବୁଦା ଭିତରେ ଥିବା କେହି ଜଣେ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ଡା.ରାମଚନ୍ଦାନୀ ଯାଇ ଦେଖିବା ବେଳକୁ ବାଇକ୍‌ର ଟାଙ୍କିରେ ଏକ କାଗଜରେ ହାତ ଲେଖା ଚିଠି ଖଣ୍ଡିଏ ଲାଗିଥିବା ଦେଖିଥିଲେ । ଏଥିରେ ଲେଖାଥିଲା, ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ ।’ ଏହା ଦେଖିବା ପରେ ଡାକ୍ତର ରାମଚନ୍ଦାନୀ ମଧ୍ୟ ଚକିତ ହୋଇଯାଇଥିଲେ । ଏନେଇ ସେ ବୁର୍ଲା ପୁଲିସକୁ ସୂଚନା ଦେବା ସହ ଉକ୍ତ ଗାଡିକୁ ଉଦ୍ଧାର କରିଛନ୍ତି । ତେବେ, ଚୋରର ଏଭଳି ମଣିଷପଣିଆ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।