ବେଫିକର ଗାଡି଼ଚାଳକ, ‘ଟି’ ଜଙ୍କସନ୍ରେ ସବୁ ମାଫ୍

ଭୁବନେଶ୍ୱର,୧୧ ।୨(ବ୍ୟୁରୋ): ବଡ଼ ଟ୍ରାଫିକ୍ ପୋଷ୍ଟରେ ଫୁଲ୍ ସଚେତନ । ଜେବ୍ରା କ୍ରସିଂରୁ ଇଞ୍ଚିଏ ବି ଆଗକୁ ମାଡୁନାହାନ୍ତି । ହେଲେ ‘ଟି’ ଜଙ୍କସନରେ ଫୁଲ ବେଫିକର୍ ହୋଇ ଯାଉଛନ୍ତି ଆମ ସ୍ମାର୍ଟସିଟିର ଗାଡି଼ଚାଳକ । ଟ୍ରାଫିକ୍ ସିଗନାଲ କଥା ଛାଡନ୍ତୁ, ଗାଡି଼ ଚାଳକମାନେ ଏଠି ମନଇଚ୍ଛା ଗାଡି଼ ଚଳାଉଛନ୍ତି । ଜେବ୍ରା କ୍ରସିଂକୁ ମାଡି଼ ଡେଞ୍ଜର ଜୋନ୍ରେ ଗାଡି଼ ରଖୁଛନ୍ତି । ଟ୍ରାଫିକ୍ ଜଗିବା ଦାୟିତ୍ୱରେ ଥିବା ପୁଲିସ ବି ଏଠି ବେଫିକର । ସତେ ଯେମିତି, ଏହି ‘ଟି’ ଜଙ୍କସନରେ ଗାଡି଼ ଚାଳକଙ୍କ ପାଇଁ ସବୁ ମାଫ୍ । ପୁଲିସ ଏହି ନିୟମ ଭଙ୍ଗକାରୀଙ୍କୁ ଧରିବା ପରିବର୍ତ୍ତେ ହେଲମେଟ୍ ଚେକିଂରେ ମାତିଛି ।
ସହରର ଅନେକ ଛକରେ ଇଂରାଜୀ ଅକ୍ଷର “ଟି’ ଆକୃତିର ଟ୍ରାଫିକ୍ ପୋଷ୍ଟ ରହିଛି । ସମାନ ଢ଼ଙ୍ଗରେ ଟ୍ରାଫିକ୍ ସିଗନାଲ୍ ମଧ୍ୟ ଅଛି । ହେଲେ ଏଠି ଟ୍ରାଫିକ୍ ନିୟମ ମାନିବାକୁ ଅଧିକାଂଶ ଗାଡିଚାଳକ ନାରାଜ୍ । ଏଜି ଛକ, ନାଲ୍କୋ ଛକ ଭଳି ବଡ଼ ଟ୍ରାଫିକ୍ରେ ନିୟମକୁ ଅକ୍ଷରେ ଅକ୍ଷରେ ମାନୁଥିବା ଗାଡି଼ଚାଳକ “ଟି’ ଜଙ୍କସନରେ ସବୁ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି । ପୁଲିସ କି ଫାଇନ୍ର ଡର ନାହିଁ । ଟ୍ରାଫିକ୍ ସିଗନାଲରେ ନାଲି ଆଲୁଅ ଜଳୁଥିଲେ ବି ଖାତିର୍ ନାହିଁ । କିଛି ପୋଷ୍ଟରେ ଟ୍ରାଫିକ୍ ପୁଲିସଙ୍କ ଦେଖା ମିଳୁନି । ଟ୍ରାଫିକ୍ ସିଗନାଲ ତା ବାଟରେ ଚାଲୁଛି । ତିନି ଆଡୁ ଏକା ବେଳକେ ଗାଡି଼ମଟର ମାଡି଼ଯିବା ଫଳରେ ଟ୍ରାଫିକ୍ ଜାମ୍ ହେଉଛି । ଏଥିରେ ସଚେତନ ଗାଡ଼ିଚାଳକମାନେ ଅଧିକ ଫସୁଛନ୍ତି । ଟ୍ରାଫିକ୍ ସିଗନାଲକୁ ମାନି ଯଦି ଗାଡ଼ି ଅଟକାଉଛନ୍ତି, ଓଲଟି ନିୟମ ଭାଙ୍ଗୁଥିବା ଚାଳକଙ୍କଠାରୁ ଗାଳି ଶୁଣିବାକୁ ପଡ଼ୁଛି ।
ସବୁଠୁ ହାଇ ସିକ୍ୟୁରିଟି ଜୋନ୍ ବୋଲାଉଥିବା ବିଧାନସଭା ସାମ୍ନା ପିଏମ୍ଜି ଛକ ଓ ରବୀନ୍ଦ୍ର ମଣ୍ଡପ ଛକ ହେଉ ଅବା ପୁଲିସ ମୁଖ୍ୟାଳୟ ସାମ୍ନା ୧୨୦ ବାଟାଲିୟନ ଛକ । ଏସବୁ ଛକରେ ସକାଳୁ ରାତି ଯାଏଁ ଏମିତି ରିତିମତ ଟ୍ରାଫିକ୍ ନିୟମକୁ ଦଳି ମକଚି ଦେଉଛନ୍ତି ଗାଡିଚାଳକ । ପ୍ରମେୟ ଅଫିସ ସାମ୍ନା ଛକ, ସୌଭାଗ୍ୟ ନଗର, ଗଙ୍ଗନଗର, ନବୀନ ନିବାସ ଆଡ଼କୁ ଥିବା ଫରେଷ୍ଟ ପାର୍କ ଛକ, ରାମ ମନ୍ଦିର, ସତ୍ୟନଗର, ଶାସ୍ତ୍ରୀନଗର ଆଦି ଛକରେ ଅନେକ ସମୟରେ ପୁଲିସ କର୍ମଚାରୀ ରହୁନାହାନ୍ତି । ଯଦି ଡ୍ୟୁଟିରେ ରହୁଛନ୍ତି, ଟ୍ରାଫିକ୍ ପୋଷ୍ଟ ଛାଡି ରାସ୍ତାକଡରେ ଛିଡା ହେଉଛନ୍ତି । ଫଳରେ ଗାଡିଚାଳକମାନେ ଏଠି ବେଫିକର୍ ହୋଇଯାଉଛନ୍ତି । ଶୈଳଶୀ ବିହାର, ରୁପାଲି ଛକ, ଆନନ୍ଦ ବଜାର, ରିଜିଓନାଲ କଲେଜ ଛକ, ରେଡ୍କ୍ରସ୍ ଛକରେ ମଧ୍ୟ ସମାନ ଅବସ୍ଥା । ଫଳରେ ଏଭଳି “ଟି’ ଜଙ୍କସନର ଛକଗୁଡ଼ିକରେ ସବୁଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି ।
ଏସବୁ ସ୍ଥାନରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିବାକୁ ଅନେକ ବରିଷ୍ଠ ନାଗରିକ ବାରମ୍ବାର ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲମେଟ୍ ଚେକିଂ ସହ ଏସବୁ ସ୍ଥାନରେ ସଡ଼କ ସୁରକ୍ଷା ବିଷୟରେ ମଧ୍ୟ ପୁଲିସ ଚିନ୍ତା କରିବା ଦରକାର ବୋଲି ମତ ଦେଉଛନ୍ତି । ଏବେ ବହୁସଂଖ୍ୟକ ଟ୍ରାଫିକ୍ ଭଲ୍ୟୁଣ୍ଟରଙ୍କୁ ଟ୍ରାଫିକ ନିୟନ୍ତ୍ରଣରେ ମୁତୟନ କରାଯାଇଛି । ଏହି ସ୍ୱେଚ୍ଛାସେବୀମାନଙ୍କ ସହ କିଛି ଗୃହରକ୍ଷୀଙ୍କୁ ‘ଟି’ ଜଙ୍କସନରେ ମୁତୟନ କରାଯାଉ । ଆଉ ନିୟମ ଭାଙ୍ଗୁଥିବା ଗାଡିଚାଳକଙ୍କଠାରୁ ଜରିମାନା ଆଦାୟ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି । ଫଳରେ ବିଶୃଙ୍ଖଳିତ ଚାଳକମାନେ ସାବାଡ୍ ହୋଇଯିବେ ବୋଲି ମତପ୍ରକାଶ ପାଇଛି ।