PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଅସହ୍ୟ ହେଲାଣି ବାଇକ୍‌ ଚୋରଙ୍କ ଦୌରାତ୍ମ୍ୟ – ମାମଲା ରୁଜୁ କରିବାକୁ ପୋଲିସ୍‌ କୁନ୍ଥୁକୁନ୍ଥୁ

ଅନୁଗୁଳ (ବ୍ୟୁରୋ): ଅସହ୍ୟ ହେଲାଣି ବାଇକ୍‌ ଚୋରଙ୍କ ଦୌରାତ୍ମ୍ୟ । ପୁଲିସ୍‌ ନିଷ୍କ୍ରିୟତା ପାଇଁ ଏକରକମ ଆଖିରୁ ନିଦ ହଜାଇ ସାରିଲେଣି ବାଇକ୍‌
ଲୁଟେରା । ଅନୁଗୁଳ ସହରରେ ବାଇକ୍‌ ଚୋରି ପଛରେ ଏକାଧିକ ଗ୍ୟାଙ୍ଗ୍‌ କାମ କରୁଥିବା ବେଳେ ପୁଲିସ୍‌ କିନ୍ତୁ ନୀରବ, ନିଶ୍ଚଳ । ବାଇକ୍‌ ଲୁଟେରାଙ୍କୁ ଧରିବା ତ ଦୂରର କଥା, ଲୋକ ଅଭିଯୋଗ ଆଣିବା ପରେ ମାମଲା ରୁଜ୍ଜୁ କରିବାକୁ କୁନ୍ଥ କୁନ୍ଥ ହେଉଛି ପୁଲିସ୍‌ । ସବୁ ଜାଣି ଚୁପ୍‌ ବସିବା ପୁଲିସ୍‌ର ଏହି ଫଣ୍ଡା ବାଇକ୍‌ ଲୁଟେରାଙ୍କୁ ସତେ ଯେମିତି ସାହାସ ଯୋଗାଉଛି । ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇ ଦୁର୍ବୃତ୍ତ ନିୟମିତ ବାଇକ୍‌ ଚୋରି କରୁଥିବା ବେଳେ ପୁଲିସ୍‌ ଖାତାରେ କିନ୍ତୁ ବାଇକ୍‌ ଚୋରି ମାମଲା ଚଢ଼ୁନି । ସେପଟେ ପୁଲିସ୍‌ର ଢିଲାପଣ ପାଇଁ ଲୋକ ନାକରେ କାନ୍ଦିଲେଣି । ସାମାନ୍ୟ ଅସାବଧାନତା
ହେଲେ ବାଇକ୍‌ ଚୋରି ହୋଇଯାଉଛି । ଏମିତିକି ଗାଡ଼ିରେ ଦୁଇ ଦୁଇଟା ତାଲା ଠୁଙ୍କିବା ପରେ ମଧ୍ୟ ଗାଏବ୍‌ ହୋଇଯାଉଛି ବାଇକ୍‌ ।


ଦୁଇ ମାସ ହେଲା ତାମ୍ରିତ୍‌ କଲୋନୀରେ ଭଡ଼ାରେ ରହୁଛନ୍ତି ମନୋଜ ଭୋଇ । ସବୁଦିନ ପରି ସେ ଗତ ୨ ତାରିଖ ମଧ୍ୟାହ୍ଣରେ ଭଡ଼ାଘର ସାମ୍ନାରେ ବାଇକ(ଓଡି୦୨ଏଜି୨୮୪୫)କୁ ରଖି ଘରକୁ ଯାଇଥିଲେ । ଖାଇପିଇ ସାରି ବାହାରକୁ ଆସିଲା ବେଳକୁ ବାଇକ୍‌ ଗାଏବ୍‌ । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଥାନାରେ ଏତଲା ଦେଇଥିଲେ । ଘଟଣାକୁ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ପୁରିଲାଣି ।

ହେଲେ ପୁଲିସ୍‌ ଲୁଟେରାଙ୍କୁ କାବୁ କରିବା ତ ଦୂରର କଥା, ମାମଲାଟିଏ ବି ରୁଜ୍ଜୁ କଲା ନାହିଁ । ସେହିପରି ଅନୁଗୁଳ ସହରରେ ଘରଭଡ଼ା ନେଇ ରୁହନ୍ତି ବନ୍ତଳା ଅଞ୍ଚଳର ରଶ୍ମିରଞ୍ଜନ ସାହୁ । ସେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ଭାବେ କାମ କରନ୍ତି । ଗତ ମେ’ ମାସ ୩୧ ତାରିଖରେ ଆର୍ମି କ୍ୟାଣ୍ଟିନ୍‌ ସାମ୍ନାରୁ
ତାଙ୍କ ବାଇକ୍‌ ଚୋରି ହୋଇଗଲା । ସେ ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ୍‌ ତୁରନ୍ତ ମାମଲା ରୁଜ୍ଜୁ କରି ଚୋରଙ୍କୁ ଧରିବା ବଦଳରେ ମାମଲାକୁ
ହାଲ୍‌କା ଭାବେ ନେଲା । ଗାଡ଼ି ତ ମିଳିଲାନି, ମାମଲା ରୁଜ୍ଜୁ କଲେ ଇନ୍‌ସୁରାନ୍ସ ଟଙ୍କା ମିଳିବ ବୋଲି ପୁଲିସ୍‌କୁ କହିଥିଲେ ରଶ୍ମି । ପ୍ରାୟ ଦେଢ଼ ମାସ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ପୁଲିସ୍‌ ମାମଲା ରୁଜ୍ଜୁ କରିଥିବା ଜଣାପଡ଼ିଛି । କେବଳ ଏହି ଦୁଇ ଘଟଣା ନୁହଁ, ନିୟମିତ ସହରରୁ ବାଇକ୍‌ ଚୋରି ହେଉଥିବା ବେଳେ ପୁଲିସ୍‌ର ଏହି ବେପରବାୟ ମନୋଭାବ ଯୋଗୁ ଏକାଧିକ କେସ୍‌ ସାମ୍ନାକୁ ଆସିପାରୁନି । ମାମଲା ରୁଜ୍ଜୁ କଲେ ଚାପ ବଢ଼ିବ, ତେଣୁ ପୁଲିସ୍‌ ଜାଣିଶୁଣି ମାମଲା ରୁଜ୍ଜୁ କରୁନଥିବା ଅଭିଯୋଗ ହୋଇଛି । ଯେଉଁ ବାଇକ୍‌ ଚୋରିରେ ଗାଡ଼ି ମାଲିକ ନିଜେ ଚୋରକୁ ଧରୁଛନ୍ତି କିମ୍ବା ଚୋରକୁ ଧରିବା ପୁଲିସ୍‌ ପାଇଁ ସହଜ, ସେହି ପରିପ୍ରେକ୍ଷୀରେ ପୁଲିସ୍‌ ମାମଲା ରୁଜ୍ଜୁ କରୁଥିବା ଜଣାପଡ଼ିଛି ।

ସାପ୍ତାହିକ ହାଟ, ଡେଲି ମାର୍କେଟ, ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏକାଧିକ ନକଲି ଚାବି ଧରି ଘୁରି ବୁଲୁଛନ୍ତି, କାଇଦା କରି ବାଇକ୍‌ ଧରି ଅର୍ନ୍ତଧ୍ୟାନ ହୋଇଯାଉଛନ୍ତି । ପାର୍ବଣ ସମୟରେ ଏହି ବାଇକ୍‌ ଚୋରଙ୍କ ଦୌରାତ୍ମ୍ୟ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିବା ବେଳେ ପୁଲିସ୍‌ ଏଥିରେ ରୋକ୍‌ ଲଗାଇବା ଦିଗରେ କାଣିଚାଏ ବି ଆନ୍ତରିକତା ଦେଖାଉନି । ସେପଟେ ସହରରେ ଦେଢ଼ କୋଟିରୁ ଊଦ୍ଧ୍ୱର୍ ଟଙ୍କାର କ୍ୟାମେରା ଲାଗିଛି । ଯଦି ସହରରେ ବାଇକ୍‌ ଚୋରିଠୁ ନେଇ ରାହାଜାନୀ ଏଭଳି ଉପରମୁହାଁ ହେବ, ତେବେ ଏତେ ଟଙ୍କାର ସିସିଟିଭି କେଉଁ କାମକୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବାଇକ୍‌ ଚୋରଙ୍କୁ କାବୁ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରି ହୋଇ ପଡ଼ିଛି । କେବଳ ବାଇକ୍‌ ଚୋରି ନୁହଁ ମୋବାଇଲ୍‌ ଚୋରି କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ନିତି ସହରରୁ ଏକାଧିକ ମୋବାଇଲ୍‌ ଚୋରି ହେଉଛି । ଦୁର୍ବୃତ୍ତ ସହର ସାରା ପଇଁତରା ମାରି
ମୋବାଇଲ୍‌ ଝାମ୍ପି ନେଉଛନ୍ତି । ପୁଲିସ୍‌ ଲୁଟେରାଙ୍କୁ ଚେକ୍‌ ଦେବା ପରିବର୍ତ୍ତେ କେହି ଏତଲା ଦେଲେ ଚୋରି ନୁହଁ ବରଂ ମୋବାଇଲ୍‌ ହଜି ଯାଇଛି ବୋଲି ଲେଖିବାକୁ ବାଧ୍ୟ କରାଉଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଏସ୍‌ପି ଜଗମୋହନ ମୀନାଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର