ଧରା ପଡିଲା ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟେଷ୍ଟ ଡ୍ରାଇଭ୍ ବାହାନାରେ ଲୁଟୁଥିଲା ବାଇକ୍

ଭୁବନେଶ୍ୱର ୨୭/୪: ଧରା ପଡିଲା ସ୍ମାର୍ଟ ଲୁଟେରା । ଟେଷ୍ଟ ଡ୍ରାଇଭ୍ ନାଁରେ ଲୁଟୁଥିଲା ବାଇକ୍ । ଦୀର୍ଘଦିନ ହେଲା ପୋଲିସକୁ ଚକମା ଦେଇ ଟ୍ୱିନ୍ ସିଟିରୁ ଗାଡି ଲୁଟ୍ କରିଚାଲିଥିଲା । ଶେଷରେ ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ୍ ହାତରେ ଧରାପଡିଲା ଏହି ‘ଓଏଲଏକ୍ସ ଠକ’ ।

କିଛି ଦିନ ହେବ ରାଜଧାନୀର ବିଭିନ୍ନ ସ୍ଥାନରୁ ଲଗାତାର ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡି ଲୁଟ୍ ହେଉଥିଲା । ଶହୀଦନଗର, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଂଚଳରୁ ଗାଡି ଲୁଟ୍ ହୋଇଥିବା ଅଭିଯୋଗ ଆସିଥିଲା । ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଭାର ସ୍ପେଶାଲ ସ୍କ୍ବାର୍ଡକୁ ଦିଆଯାଇଥିଲା । ସ୍ପେଶାଲ ସ୍କ୍ବାର୍ଡ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଥିଲା । ତଦନ୍ତ ବେଳେ ପୋଲିସ ପେଶାଦାର ଓଏଲଏକ୍ସ ଲୁଟେରା ମନୋଜ ପାତ୍ରର ଗତିବିଧି ଉପରେ ନଜର ରଖିଥିଲା । ପରେ ପୋଲିସ ତାକୁ ହେପାଜତକୁ ନେଇ ଜେରା କରିବା ପରେ ‘ଓଏଲଏକ୍ସ’ ଠକ ଗ୍ୟାଙ୍ଗ ସମ୍ପର୍କରେ ସୁରାକ ପାଇଥିଲା ।

ପୋଲିସ ବୁଧବାର ରାତିରେ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରିବା ପରେ ସେ ଭୁବନେଶ୍ବର ଓ କଟକରୁ ପାଖାପାଖି ୫୦ରୁ ଅଧିକ ଗାଡି ଲୁଟ୍ କରିଥିବା ସ୍ବୀକାର କରିଥିଲା । ପୋଲିସ ତା’ ବୟାନକୁ ଆଧାର କରି ଲୁଟ୍ ଗାଡିକୁ ଜବତ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲା ଓ ଜିଲ୍ଲା ବାହାରେ କମିଶନରେଟ୍ ପୋଲିସ ଚଢଉ କରି ପାଖାପାଖି ୨୫ରୁ ଅଧିକ ଗାଡି ଜବତ କରିସାରିଲାଣି । କମିଶନରେଟର ୪ରୁ ଅଧିକ ଟିମ୍ ଏବେ ଜିଲ୍ଲା ବାହାରେ ଡେରା ପକାଇଛି । ମନୋଜ ଓଏଲଏକ୍ସରେ ଦିଆଯାଉଥିବା ବିଜ୍ଞାପନକୁ ଆଧାର କରି ସଂପୃକ୍ତ ବିକ୍ରେତାଙ୍କ ସହ ଯୋଗାଯୋଗ କରିଥାଏ । ପରେ ଗାଡି କିଣିବା ନାଁରେ ଆସି ଟେଷ୍ଟ୍ ଡ୍ରାଇଭ ବାହାନାରେ ଲୁଟ୍ କରିଥାଏ । ଏହିଭଳି ଭାବେ ଭୁବନେଶ୍ବର ଓ କଟକରୁ ପ୍ରାୟ ୫୦ରୁ ଅଧିକ ଗାଡି ଲୁଟ୍ କରିଛି ।