ବେଲେଶ୍ୱର ବେଳାଭୂମିରେ ବିରଳ ସମୁଦ୍ର ଝିଙ୍କ!

ପୁରୀ,୦୭/୦୩ ବେଲେଶ୍ୱର ବେଳାଭୂମିରେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ କହୁଛନ୍ତି ଏହା ସମୁଦ୍ର ଝିଙ୍କ । ପୁରୀ-କୋଣାର୍କ ମାର୍ଗ ଡିଫେନ୍ସ ପ୍ରତିଷ୍ଠାନ ସମ୍ମୁଖ ଜଙ୍ଗଲ ପାର୍ ହୋଇ ବେଳାଭୂମିରେ ପଡ଼ିଥିଲା ଏହି ଜୀବ । ଏଭଳି ଜୀବକୁ ସ୍ଥାନୀୟ ବାସିନ୍ଦା ଆଦୌ ଦେଖିନଥିଲେ। ଏହାର ଆକୃତି ବିଚିତ୍ର । ପେଟୁଆ ଜୀବର ଦେହ ସାରା ଅସଂଖ୍ୟ କଣ୍ଟା ଭର୍ତ୍ତି ହୋଇଥିଲା । ଏହା ପଫର ଫିସ୍, ଗ୍ଲୋବ ଫିସ୍ ଓ ବ୍ଲୋ ଫିସ୍ ପ୍ରଜାତିର ବୋଲି ବିଶେଷଜ୍ଞ କହୁଛନ୍ତି ।
ପୁରୀ ସମୁଦ୍ର ବାଲିରେ ଭଳିକିଭଳି ସାମୁଦ୍ରିକ ଜୀବ ପଡ଼ିଥାନ୍ତି । କିନ୍ତୁ ଏଭଳି ବିଚିତ୍ର ଜୀବ ପ୍ରଥମ କରି ଦେଖିବାକୁ ମିଳିଛି । ଶରୀର ହାତେ ଲମ୍ବରୁ ଅଧିକ । ଦୁଇ ଚାଖଣ୍ଡ ପ୍ରାୟ ଓସାର । ମୁହଁଟି ଚେପଟା ଓ ଭୟଙ୍କର । ଝିଙ୍କ ଶରୀର ଭଳି ଦେହସାରା କଣ୍ଟା । ଲାଞ୍ଜ ଓ ପର ସାମାନ୍ୟ ଖଣ୍ଡିଆ ହୋଇଛି । ତଳପଟ ପେଟରେ କେବଳ କଣ୍ଟା ନାହିଁ । ଶରୀର ବିଭିନ୍ନ ସ୍ଥାନରେ ଧଳା ଚିହ୍ନ ରହିଛି । ସମୁଦ୍ର କୂଳିଆ ଗ୍ରାମର ବହୁ ଲୋକ ଏହି ଜୀବକୁ ଦେଖିଲେଣି । ହେଲେ ଏଭଳି ଜୀବ କେହି କେବେ ଦେଖି ନଥିବା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ସମୁଦ୍ର ବିଜ୍ଞାନୀ ସୁବଳ କୁମାର ରାଉଳ କୁହନ୍ତି ଏହା ହେଉଛି ଡାଇଡନ୍ ହାଷ୍ଟ୍ରିକ୍ସ ଲିନାୟସ-୧୭୫୮ । ସାଧାରଣରେ କୁହାଯାଏ ସ୍ପଟ୍ ଫିନ୍ ପୋରକୁପାଇନ୍ ଫିସ୍ । ଏହା ଏକ ବିଷାକ୍ତ ମାଛ । ସମୁଦ୍ରର ପଥୁରିଆ ସ୍ଥାନ, ଗୁମ୍ଫା ତଥା ପ୍ରବାଳ ଆଦି ଅଞ୍ଚଳରେ ଏମାନେ ରୁହନ୍ତି । ଏକୁଟିଆ ବୁଲନ୍ତି । ରାତିରେ ଅଧିକ ସକ୍ରିୟ ହୋଇଥାନ୍ତି । ଓଡ଼ିଶା ଉପକୂଳରେ ବହୁତ କମ୍ ଦେଖାଯାନ୍ତି ।