ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ବିଜେଡି, ବିଜେପି

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଏବେ ବି ସରକାରୀ କଳର ବ୍ୟବହାର କରୁଛି । ଉଜ୍ଜ୍ୱଳା ଯୋଜନାରେ ନୂଆ ଗ୍ୟାସ ସଂଯୋଗ ଏବେ ବି ମିଳୁଛି । ଏହାବାଦ୍‌ ବିଏସ୍‌ଏନ୍‌ଏଲ୍‌ର ‘ମେରା ଦେଶ ବଦଲ ରହାହେ’ କଲର ଟ୍ୟୁନ୍‌ ଏବେ ବି ବାଜୁଛି । ଯେଉଁଥିରେ ବିଜେପିର ପ୍ରଚାର କରାଯାଉଛି । ତୁରନ୍ତ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଦାବି କରିଛି ।
କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ଚାଲୁଥିବା ଉଜ୍ଜ୍ୱଳା ଯୋଜନାରେ ଆଜି ବି ନୂଆ ସଂଯୋଗ ମିଳୁଛି । ଅଧିକରୁ ଅଧିକ ହିତାଧିକାରୀ ଚିହ୍ନଟ କରି ସଂଯୋଗ ଦେବାକୁ ବିତରକ ସଂସ୍ଥା ଇଣ୍ଡେନ୍‌କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ଆଚରଣବିଧି ସତ୍ତେ୍ୱ ଡିଲରଙ୍କୁ ବେଆଇନ୍‌ କାମରେ ବାଧ୍ୟ କରାଯାଉଛି । ଏତିକି ନୁହେଁ, ନୂଆ ଗ୍ୟାସ ସଂଯୋଗ ବେଳେ ଗ୍ୟାସ୍‌ ଷ୍ଟୋଭର ପ୍ଲାଷ୍ଟିକ କଭରରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଫଟୋ ମାରି ହିତାଧିକାରୀଙ୍କୁ ଦେବାକୁ ବାଧ୍ୟ କରାଯାଉଛି । ସରକାରୀ ଟଙ୍କାରେ ବିଜେପି ନିଜର ଖୋଲାଖୋଲି ଭାବେ ପ୍ରଚାର ଓ ପ୍ରସାର କରୁଛି । କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମକୁ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) କାର୍ଯ୍ୟକାରୀ କରୁଛି । ତେଣୁ ନିଗମର ଅଧ୍ୟକ୍ଷ ଓ ଓଡ଼ିଶା ଦାୟିତ୍ୱରେ ଥିବା ଜେନରାଲ ମ୍ୟାନେଜରଙ୍କୁ କରାଣ ଦର୍ଶାଅ ନୋଟିସ୍‌ ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେଡି ।
ଆଉ ଏକ ପିଟିସନ୍‌ରେ ଭାରତ ସରକାରଙ୍କ ବିଏସ୍‌ଏନ୍‌ଏଲ୍‌ ସଂସ୍ଥା ନାମରେ ଗୁରୁତ୍ୱର ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଏସ୍‌ଏନଏଲ୍‌ କେନ୍ଦ୍ର ଓ ରାଜ୍ୟ ସରକାର ବିଜେପି ପ୍ରଚାରରେ ନିୟୋଜିତ ହୋଇଛି । ଟେଲି ଓ ମୋବାଇଲ୍‌ ସେବା ପ୍ରଦାନକାରୀ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱାର୍କ ମୋବାଇଲକୁ କଲ୍‌ କଲେ, ବିଜେପି ନେତୃତ୍ୱରେ ଚାଲିଥିବା ସରକାରର ସ୍ଲୋଗାନ୍‌ ‘ଦେଶ ବଦଲ୍‌ ରାହା ହେ’ କଲର୍‌ ଟ୍ୟୁନ୍‌ ବାଜୁଛି । ଏହା ଅତ୍ୟନ୍ତ ସାଙ୍ଘାତିକ କଥା । କେବଳ ଓଡ଼ିଶା ନୁହେଁ, ବିଏସ୍‌ଏନଏଲ୍‌ ସାରାଦେଶରେ ଏଭଳି ଭୋଟ୍‌ରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର କରୁଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଦଳର ମୁଖପାତ୍ର ସୁଲତା ଦେଓ, ଲେନିନ୍‌ ମହାନ୍ତି ଓ ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ମିଛ ପ୍ରତିଶ୍ରୁତି ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୟାଗଡ଼ ସଭାରେ ମିଛ ପ୍ରତିଶ୍ରୁତି ଦେଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରି ଆଚରଣବିଧି ଉଲ୍ଲଂଘନ କରିଛନ୍ତି । ସମାବେଶ ପାଇଁ ସରକାରୀ ଅଧିକାରୀମାନେ ମଞ୍ଚ ପରିଚାଳନା ଓ ଲୋକଙ୍କୁ ଆଣିବା କାମରେ ଲାଗିଥିଲେ । ଆଚରଣବିଧି ଉଲ୍ଲଂଘନ ପାଇଁ କଠୋର କାର୍ଯାନୁଷ୍ଠାନ ନିଆଯାଉ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ବିଜେପି ଏହି ଦାବି କରିଛି ।

ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡିର ଆଦର୍ଶ ଆଚରଣବିଧି ଉଲ୍ଲଂଘନ ନେଇ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିଲେ । ଶ୍ରୀ ମହାନ୍ତି ଅଭିଯୋଗ ଆଣି କହିଥିଲେ, ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ୩୦ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା କଥା କହିଛନ୍ତି । ପୁଣି କେନ୍ଦ୍ର ସରକାର ରେଳପଥରୁ ୨୦ ହଜାର କୋଟି ନେଇ ମାତ୍ର ୧ ହଜାର କୋଟି ଉନ୍ନତିକରଣ ବାବଦରେ ଖର୍ଚ୍ଚ କରିଛି ବୋଲି କହିଛନ୍ତି । ଏହି ତଥ୍ୟ ସମ୍ପୂର୍ଣ୍ଣ ମିଛ । ଖାଲି ସେତିକି ନୁହେଁ, ନୟାଗଡ଼ ସଭାରେ ସରକାରୀ ଅଫିସରମାନେ ନିୟୋଜିତ ହୋଇଥିଲେ । ନିୟମ ଅନୁସାରେ ସରକାରୀ ଅଫିସରମାନେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ଏହା ସତ୍ତେ୍ୱ ଗତକାଲି ନୟାଗଡ଼ ସଭାରେ ସରକାରୀ ଅଫିସରମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ନୟାଗଡ଼ରେ ଏ ଯାଏ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନି । ଏଣୁ ଗତକାଲି ସଭାରେ ହୋଇଥିବା ସବୁ ଖର୍ଚ୍ଚ ପ୍ରାର୍ଥୀ, ଦଳ କି ମୁଖ୍ୟମନ୍ତ୍ରୀଙ୍କ ଖାତାରେ ପଡ଼ିବ, ତାହା ସ୍ପଷ୍ଟ ହେବା ଦରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପୂର୍ବରୁ ଗତ ୧୩ ମାର୍ଚ୍ଚରେ କାଳିଆ ଅର୍ଥ ବିଜେଡି କର୍ମୀଙ୍କୁ ବାଣ୍ଟିବା, ବିଜୁ ଯୁବ ବାହିନୀଙ୍କୁ ଟଙ୍କା ବାଣ୍ଟିବା, ୧୪ ମାର୍ଚ୍ଚରେ ମନ୍ତ୍ରୀ ପ୍ରତାପ ଜେନା ଓ ରଙ୍ଗେଇଲୁଣ୍ଡା ବିଡିଓଙ୍କ ବିରୋଧରେ, ୧୯ ମାର୍ଚ୍ଚରେ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ, ୨୧ ମାର୍ଚ୍ଚରେ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦିଆଯାଇଛି । ମାତ୍ର ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍