ବିଜେଡିରେ ସତୁରି କଟିବେ !

source:http://www.newindianexpress.com
ଭୁବନେଶ୍ୱର, ୧୨ ।୩(ବ୍ୟୁରୋ): ପ୍ରାର୍ଥୀ ଚୟନର ମାତ୍ର ମାପକାଠି ହେବ ବିଜୟ ସମ୍ଭାବନା । ଏ ମନ୍ତବ୍ୟ ଦେଇ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଜଣାଇ ଦେଇଛନ୍ତି, ଯେଉଁ ବିଧାୟକ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି, ସେମାନଙ୍କ ଟିକେଟ କଟିବ, ତେଣିକି ସେ ଯେତେ ବରିଷ୍ଠ ହୁଅନ୍ତୁ ।
ଏ ବାର୍ତ୍ତା ପାଇବା ପରେ ଅଧିକାଂଶ ବିଜେଡି ବିଧାୟକ ଛାନିଆ ହୋଇ ଯାଇଛନ୍ତି । ଅନେକ ଧରି ନେଲେଣି ଏଥର ଟିକେଟ କଟିବ । ନିବୀନ ନିବାସରେ କାଟ୍ତି ଥିବା ନେତାଙ୍କୁ ଧରି ଟିକେଟ ବଞ୍ଚାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କଲେଣି । ଆଉ କେତେକ ନିରାଶ ହୋଇ ବିଦ୍ରୋହୀ ହେବେ ବୋଲି ଇସାରା ଛାଡ଼ୁଛନ୍ତି ।
ନିର୍ଭରଯୋଗ୍ୟ ସୂତ୍ରକୁ ବିଶ୍ୱାସ କରାଗଲେ ଏଥର ପାଖାପାଖି ୭୦ ବିଧାୟକଙ୍କ ଟିକେଟ କଟିବ । ଏଥିରେ ଅନେକ ମନ୍ତ୍ରୀ, ତିନି ଚାରି ଥରିଆ, ବରିଷ୍ଠ ଓ ଅତି ବରିଷ୍ଠ ବିଧାୟକ ବି ଅଛନ୍ତି, ଯେଉଁମାନେ ବିଜେଡି ଟିକେଟ ସେମାନଙ୍କ ହକ୍ ବୋଲି ଧରି ନେଇଛନ୍ତି ।
ଏସବୁ ବିଧାୟକଙ୍କ ବିରୋଧରେ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରବଳ ଜନ ଅସନ୍ତୋଷ ଥିବା ଦଳକୁ ଗୁଇନ୍ଦା ସୂଚନା ମିଳିଛି । ଅସନ୍ତୋଷ ଏତେ ପ୍ରବଳ ଯେ ସରକାର ବିରୋଧୀ ହାୱା ନ ଥିଲେ ବି ପ୍ରାର୍ଥୀ ହାରିବେ ।
ପଞ୍ଚାୟତ ନିର୍ବାଚନ ପରେ ହିଁ ଏଭଳି ବିଧାୟକ ଚିହ୍ନଟ ହୋଇ ସାରିଥିଲେ । ଏମାନଙ୍କ ଯୋଗୁଁ ବିଜେଡି ଅଢ଼େଇ ଶହରୁ ଅଧିକ ଜିଲ୍ଲା ପରିଷଦ ଆସନ ହରାଇଥିଲା । ସ୍ଥିତି ସୁଧାରିବାକୁ ଏହି ବିଧାୟକମାନଙ୍କୁ ସମୟ ଦିଆଯାଇଥିଲା । କିଛି ସୁଧୁରିଲା ନାହିଁ ।
ମିଳିଥିବା ସୂଚନା ଅନୁସାରେ ଏମାନଙ୍କ ସ୍ଥାନରେ ନୂଆ ମୁହଁ ବି ଚିହ୍ନଟ ପ୍ରାୟ ସରି ଯାଇଛି । ପୁରୁଣା ଓ ଦାଗ ଲଗା ବରିଷ୍ଠ ନେତାଙ୍କ ସ୍ଥାନରେ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ଯୁବ ଚେହେରାଙ୍କୁ ଟିକେଟ ଦେବାକୁ ନିର୍ଣ୍ଣୟ ହୋଇଛି । ୩୦ରୁ ୩୫ ଜଣ ମହିଳାଙ୍କୁ ବି ପ୍ରାର୍ଥୀ କରିବାକୁ ଦଳ ସ୍ଥିର କରିଥିବା ଶୁଣା ଯାଉଛି ।
ଏବେ ୫୦ରୁ ଅଧିକ ବିଜେଡି ବିଧାୟକଙ୍କ ବୟସ ୫୦ରୁ ଅଧିକ । ୧୧୭ରୁ ମାତ୍ର ୬୦ ବିଧାୟକଙ୍କ ବୟସ ୫୦ରୁ କମ୍ । ଯୁବ ମତଦାତାମାନେ ଏଭଳି ବରିଷ୍ଠ ନେତାଙ୍କୁ ଆଉ ପସନ୍ଦ କରୁ ନାହାନ୍ତି ବୋଲି ଦଳ ପକ୍ଷରୁ ହୋଇଥିବା ସର୍ଭେରୁ ଆଭାସ ମିଳିଛି । ୪୨ ପ୍ରତିଶତ ମତଦାତା ହେଲେ ଯୁବ ଗୋଷ୍ଠୀ । ଏଣୁ ସେମାନଙ୍କ ମତକୁ ଉପେକ୍ଷା କଲେ ମହଙ୍ଗା ପଡ଼ିବ । ନୂଆ ପ୍ରାର୍ଥୀ ଯୋଗାଡ଼ିବା ଲାଗି ବିଜେଡି ଏବେ ଅନ୍ୟ ଦଳର ନେତାଙ୍କୁ ଟାଣିବା ପ୍ରକ୍ରିୟା ଚଳାଇଛି । ଏ ସମସ୍ତଙ୍କୁ ଟିକେଟ ମିଳିବ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଏଥିରେ ମୂଳ ବିଜେଡି ନେତା ଏବଂ କର୍ମୀମାନେ ଖୁସି ନୁହନ୍ତି । ଦଳ ଡିଆଁଙ୍କୁ ବିଜେଡି ଟିକେଟ ମିଳିଲେ ସେମାନେ ଅନ୍ୟ ଦଳକୁ ଡେଇଁବେ କିମ୍ବା ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ବିଜେଡି ଭୋଟ କାଟିବେ ବୋଲି ଅନେକ ଆଶାୟୀ ଜଣାଇ ସାରିଲେଣି ।