ବିଜେଡ଼ି ଘୋଷଣା କଲା ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ

ଭୁବନେଶ୍ବର,୩୧।୩: ବାକି ଥିବା ୨୯ଟି ବିଧାନସଭା ଆସନରୁ ବିଜେଡି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଘୋଷଣା କରିଛି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ତାଲିକା ଅନୁସାରେ ପିପିଲିରୁ ପ୍ରଦୀପ ମହାରଥିଙ୍କୁ ଦଳ ଆଉଥରେ ଟିକେଟ୍ ଦେଇଛି। ସେଭଳି ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ନିଆଳିରୁ ପ୍ରମୋଦ ମଲ୍ଲିକ, ନିମାପଡାରୁ ସମୀର ଦାସଙ୍କୁ ଟିକେଟ୍ ଦେଇଛି। ଅନ୍ୟପକ୍ଷେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ରଘୁନନ୍ଦନ ଦାସଙ୍କୁ ଏରସମାରୁ ଦଳ ପ୍ରାର୍ଥୀ କରିଛି। ବିଜେପିରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତଙ୍କ ସହ ସେଠାରେ ରଘୁନନ୍ଦନଙ୍କ ହେବ ଲଢେଇ। ଅନ୍ୟମାନଙ୍କ ମଧ୍ୟରେ କାକଟପୁରରୁ ସୁରେନ୍ଦ୍ର ସେଠୀ, ନୀଳଗିରିରୁ ସନ୍ତୋଷ ଖଟୁଆଙ୍କୁ ଦଳ ଦେଇଛି ଟିକେଟ। ୨ ଦିନ ପୂର୍ବରୁ ବିଜେପି ଟିକେଟ ପାଇବା ପରେ ମଧ୍ୟ ବିଜେଡିରେ ଯୋଗ ଦେଇଥିବା ଭାଗିରଥି ସେଠୀଙ୍କୁ ଦଳ ଆନନ୍ଦପୁର ନିର୍ବାଚନୀ ମଣ୍ଡଳୀ ପାଇଁ ଟିକେଟ ଦେଇଛି। ଧାମନଗରର ପାଇଁ ରାଜେନ୍ଦ୍ର ଦାସଙ୍କୁ ଟିକେଟ ଦିଆଯାଇଛି।