ବିଜେଡିର ୧୫ ପ୍ରଶ୍ନ: ଭୂଆଁ ବୁଲାଇବାକୁ ବିଜେପି ଇସ୍ତାହାର, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କୁଆଡ଼େ ଗଲା ?

ଭୁବନେଶ୍ୱର,୭ା୪(ବ୍ୟୁରୋ): ୨୦୧୪ରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବ ବୋଲି ସଂକଳ୍ପ ନେଇଥିଲ । କେନ୍ଦ୍ରରେ ସରକାର ରହିବା ପରେ ମଧ୍ୟ ଏ ମାନ୍ୟତା ଦେଲନି । ଏବେ ୨୦୧୯ରେ ଆଣିଥିବା ସଂକଳ୍ପରେ ଏକଥା ବି ଭୁଲିଗଲ । ବିଜେପି ହେଉଛି ଅଭ୍ୟାସଗତ ମିଛୁଆ । ୨୦୧୪ ଭଳି ଏଥର ନିର୍ବାଚନ ପାଇଁ ଇସ୍ତାହାର ଜରିଆରେ ମିଛ କହିଛି । ଏବେ ପୁଣି ଲୋକଙ୍କୁ ଭୂଆଁ ବୁଲାଇବାକୁ ମିଛ ପ୍ରତିଶ୍ରୁତି ଦେଇଛି । ବିଜେପିକୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରି ୧୫ଟି ପ୍ରଶ୍ନ ପଚାରିଛି ବିଜେଡି ।
ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ କହିଛନ୍ତି, ୨୦୧୪ ଇସ୍ତାହାରରେ ବିଜେପି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା କହିଥିବା ବେଳେ ଏଥର ନିର୍ବାଚନରେ କାହିଁକି ଏ ବିଷୟରେ ଉଲ୍ଲେଖ କରିନି? ବିଜେପି କ’ଣ ଚାହୁଁନି ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାଉ ବୋଲି? ଏମିତି ପ୍ରଶ୍ନ କରିଛି । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ କଥା ମନେ ପକାଇବା ସହ ଇସ୍ପାତ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କଥା କ’ଣ ହେଲା ବୋଲି ପଚାରିଛି । ଏହା ହିଁ ପଶ୍ଚିମ ଓଡ଼ିଶା ପ୍ରତି ବିଜେପି ମନରେ ଥିବା ମାନସିକତାକୁ ଦର୍ଶାଉଛି । ସେହିଭଳି ମହାନଦୀ ଓ ପୋଲାଭରମ୍‌ ମାମଲାରେ ବିଜେପିର ଆଭିମୁଖ୍ୟ କାହିଁକି ଇସ୍ତାହାରରେ ଦର୍ଶାଯାଇନି ବୋଲି ବିଜେଡି ପ୍ରଶ୍ନ କରିଛି ।
ରେଲୱେ ଅବହେଳା କଥା ଦର୍ଶାଇ ଶ୍ରୀ ମଙ୍ଗରାଜ କହିଛନ୍ତି, ଓଡ଼ିଶାରୁ ରେଲୱେ ପ୍ରତ୍ୟେକ ବର୍ଷ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ନେଉଛି । ହେଲେ ଦେଉଛି ମାତ୍ର ୧ ହଜାର କୋଟି । ଗତ ୫ ବର୍ଷ ଭିତରେ ବିଜେଡି ସରକାର ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ରେଳ ବିକାଶ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ମାଗଣାରେ ଜମି ସହ ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ମଧ୍ୟ ଭରଣା କରିଛନ୍ତି । ଏହାସତ୍ତେ୍ୱ ଏ ଦୁଇ ଜିଲ୍ଲାରେ ରେଳ ପ୍ରକଳ୍ପ ଆଗେଇନି । ଆଉ ଏବେ ସବୁ ଜିଲ୍ଲାକୁ ରେଳ ସଂଯୋଗ କଥା କହୁଛନ୍ତି? ଏହା ଜୁମଲା ନୁହେଁ ତ ଆଉ କ’ଣ?
ଧାନର ଏମ୍‌ଏସପି ଦେଢ ଗୁଣା କରିବାକୁ ୨୦୧୪ରେ ପ୍ରତିଶ୍ରୁତି ଦେଇଥିବା ବେଳେ ଏ ଯାଏ ପାଳନ କରିନି । ଏବେ ସେଇ ପୁରୁଣା ମିଛକୁ ଆଉ ଥରେ ଦୋହରାଇଛି । ରାଜ୍ୟର ମୋଟ ବଜେଟ୍‌ ହେଉଛି ୧.୨ ଲକ୍ଷ କୋଟି ତେବେ କେବଳ ଜଳସେଚନ ପାଇଁ ବିଜେପି କେଉଁଠୁ ୧ ଲକ୍ଷ କୋଟି ଟଙ୍କା ଆଣିବ? ଆଶ୍ଚର୍ଯ୍ୟର କଥା ହେଉଛି, କେନ୍ଦ୍ର ସରକାରଙ୍କ ଜଳସେଚନ ବଜେଟ ମଧ୍ୟ ଲକ୍ଷେ କୋଟି ଟଙ୍କା ନୁହେଁ । ବିଜେପି ବ୍ୟାଙ୍କିଂ ଓ ଟେଲିକମ୍ୟୁନିକେସନ୍‌ କଥା କାହିଁକି ତା’ର ଇସ୍ତାହାରରେ ସ୍ଥାନ ଦେଇନି । ଜାତୀୟ ରାଜପଥ ଉନ୍ନତିକରଣ ଓ କୋଷ୍ଟାଲ ହାଇୱେ ଉନ୍ନତିକରଣ ବିଷୟରେ କିଛି କୁହାଯାଇନି । କେବିକେ ଅଞ୍ଚଳର ୩୩ ଯୋଜନା କାଟିବା ସମ୍ପର୍କରେ କାହିଁକି ସଂକଳ୍ପ ପତ୍ରରେ ଉଲ୍ଲେଖ କରିନି ବିଜେପି । ଚାଷୀଙ୍କ ଆୟ ଦୁଇଗୁଣ କଥା ବିଜେପି କହୁଥିବା ବେଳେ ବିଜେପି ୧୦ ବର୍ଷରେ ଏହା କରିକି ଦେଖାଇ ସାରିଛି । ୧୫ଟି ପୋର୍ଟ (ବନ୍ଦର) ପ୍ରତିଶ୍ରୁତିକୁ ଜୁମଲା କହି ଉଡ଼ାଇ ଦେଇଛି ବିଜେଡି । କେନ୍ଦ୍ରରେ ସରକାର ଥାଇ ସାରାଦେଶରେ ୫ଟି ବନ୍ଦର କରିପାରିଲନି । ଆଉ ଓଡ଼ିଶାରେ ୫ବର୍ଷରେ ୫ଟି ବନ୍ଦର କରିବା କଥା ଜୁମଲା ନୁହେଁ ତ ଆଉ କ’ଣ?
ସହରାଞ୍ଚଳ ବିକାଶ ବଜେଟ କଥା ମନେ ପକାଇ ବିଜେଡି କହିଛି, ରାଜ୍ୟର ସମୁଦାୟ ବଜେଟ ୧ .୨ ଲକ୍ଷ କୋଟି ହୋଇଥିବା ବେଳେ ନଗର ଉନ୍ନୟନ ବଜେଟ ବିଜେପି ୧ ଲକ୍ଷ କୋଟି କରିବ ବୋଲି କହିଛି । ରାଜ୍ୟରେ ଏବେ ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ (ମହିଳା) ୭ ଲକ୍ଷ ଟଙ୍କା ଯାଏ ସହାୟତା ରାଶି ପାଉଛନ୍ତି । ହେଲେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରି ବିଜେପି କାହିଁକି ୨ ଲକ୍ଷ ଟଙ୍କାର ସହାୟତା ରାଶି କମାଇବାକୁ ଚାହୁଁଛି? କୋଇଲା ରୟାଲିଟି, କ୍ଲିନ ଏନର୍ଜୀ ସେସ୍‌ ଓ କୋଇଲା ନିଲାମ କଥା କାହିଁକି ବିଜେପି ସଂକଳ୍ପ କଥାରେ କହିନି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’

ଅସଦୁଦ୍ଧିନ ଓବେସୀଙ୍କ ଦୁର୍ଭାଗ୍ୟଜନକ ମନ୍ତବ୍ୟ, ପୁଣି ହିନ୍ଦୁତ୍ବ ଉପରେ କଲେ ବିବାଦୀୟ ଟ୍ବିଟ୍…

ଓଡିଆ ଗୀତରେ ରାପ୍‌ କଲେ ସୁର ଭାଇନା: ‘ଆସିଗଲା ସୁର ରାଉତ, କଡ୍ଡା ଉପହାର ନେଇ ତ’.. ‘ମାଡି ଚାଲ’…

କେଉଁ ମାସରେ ହେବ ନୂତନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ? ଖୁଲାସା କଲେ ଦଳର ମୁଖପାତ୍ର….