ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ ପ୍ରଶ୍ନ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣ ମାରିଛି ବିଜେଡି । କେନ୍ଦ୍ର ମନ୍ତ୍ରୀ ସରକାରଙ୍କୁ ଘେରିଥିବାବେଳେ ବିଜେଡି ବି ପାଲଟା ଆକ୍ରମଣ କରିଛି । ଉଜ୍ୱଳା, ତୈଳ ଦରଠୁ ନେଇ ମହାନଦୀ ଓ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ସମେତ ୨୦ଟି ପ୍ରଶ୍ନ ପଚାରିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଛି ।
ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଉଜ୍ୱଳା ଯୋଜନାରୁ ପ୍ରଶ୍ନ ଆରମ୍ଭ କରିଛନ୍ତି ଅମର । କହିଛନ୍ତି, ଏଯାବତ୍‌ କାହିଁକି ୱେବସାଇଟରେ ହିତାଧିକାରୀଙ୍କ ତାଲିକା ଦିଆଯାଇନି? ଖାଲି ସେତିକି ନୁହେଁ, କେତେ ହିତାଧିକାରୀ ଦ୍ୱିତୀୟ ଥର ସିଲିଣ୍ଡର ରିଫିଲିଂ କରିଛନ୍ତି, ସେ କଥା ବି ପଚାରିଛନ୍ତି ।
ଏହା ପରେ ଅମର ଉଠାଇଛନ୍ତି ତୈଳ ଦର ପ୍ରସଙ୍ଗ । ସେ କହିଛନ୍ତି, ୨୦୧୪ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ଦର ୧୧୨ ଡଲାର ଥିଲା । ଏବେ ଏହା ୫୮ ଡଲାର । ପାଖାପାଖି ଅଧା । ହେଲେ ତୈଳ ଦର ଅଧା ହେଉନି କାହିଁକି? ପେଟ୍ରୋଲିୟମ ଉତ୍ପାଦରୁ ତୈଳ କମ୍ପାନିମାନଙ୍କୁ ମିଳୁଥିବା ଲାଭ ଟଙ୍କା କ’ଣ ବିଜେପି ପ୍ରଚାରରେ ଖର୍ଚ୍ଚ ହେଉଛି କି? କେନ୍ଦ୍ର ମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି ଅମର କହିଛନ୍ତି ।
ରେଳବାଇ ପ୍ରସଙ୍ଗ ଉଠାଇ ଅମର କହିଛନ୍ତି, ଓଡ଼ିଶାରୁ ହାରାହାରି ୨୦ ହଜାର କୋଟି ଟଙ୍କାର ଟିକସ ପ୍ରତିବର୍ଷ ରେଳବାଇକୁ ଯାଉଛି । ସେହି ଅନୁପାତରେ ରାଜ୍ୟରେ ରେଳବାଇ କ୍ଷେତ୍ରରେ ଖର୍ଚ୍ଚ କରାଯିବା କଥା । କିନ୍ତୁ, ଓଡ଼ିଶାରେ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କ’ଣ ପାଇଁ? ଅନ୍ୟ ରାଜ୍ୟକୁ ନୂଆ କୋଚ୍‌ ଚାଲୁଥିବାବେଳେ ଆମ ରାଜ୍ୟକୁ ସବୁବେଳେ ପୁରୁଣା ଦଦରା କୋଚ୍‌ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅମର ପୁଣି କହିଛନ୍ତି, ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଆହାର ଯୋଜନା କରିଛନ୍ତି । ଏହି ଯୋଜନା ପାଇଁ ସହାୟତା ଦେବାକୁ ଏମ୍‌ସିଏଲ୍‌, ଗେଲ୍‌ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଏମ୍‌ଓୟୁ କରିଥିଲେ । ମାତ୍ର କ’ଣ ପାଇଁ ଶେଷ ପର୍ଯ୍ୟାୟରେ ଓହରିଲେ? ଏହାର ଉତ୍ତର କେନ୍ଦ୍ର ମନ୍ତ୍ରୀ ରଖିବା ଉଚିତ୍‌ । ସେହିପରି କୋଲ୍‌ ରୟାଲଟି ରିଭିଜନ ହୋଇନଥିବାରୁ ଓଡ଼ିଶା ପ୍ରତିବର୍ଷ ୨ ହଜାର କୋଟି ଟଙ୍କା କ୍ଷତି ସହୁଛି । ଏଭଳି ଭାବେ ରାଜ୍ୟ ୮ ହଜାର କୋଟି ଟଙ୍କାର କ୍ଷତି ସହିଲାଣି । ହେଲେ କୋଲ୍‌ ରୟାଲଟି ରିଭିଜନ ହେଉନି । କେନ୍ଦ୍ର ମନ୍ତ୍ରୀ ଏହାର ଜବାବ ଦେବା ଦରକାର । କ୍ଲିନ୍‌ ଏନର୍ଜି ସେସ୍‌ ବାବଦରେ ଓଡ଼ିଶାରୁ କେନ୍ଦ୍ର ସରକାର ୨୧ ହଜାର କୋଟି ଟଙ୍କା ନେଇ ସାରିଲେଣି । ମାତ୍ର ଓଡ଼ିଶାକୁ ଆଜି ଯାଏଁ ଟଙ୍କାଟିଏ ମିଳିନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ସରକାର ଓ ବିଜେପି ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛି ବିଜେଡି । ଅମର କହିଛନ୍ତି, ଆଇଓସିଏଲ୍‌ ପ୍ରକଳ୍ପରେ କେତେ ଓଡ଼ିଆ ଚାକିରି ପାଇଛନ୍ତି? ତା’ର ତଥ୍ୟ କେନ୍ଦ୍ର ମନ୍ତ୍ରୀ ଦିଅନ୍ତୁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ଏ ଦିଗରେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି? ସ୍ୱାମୀନାଥନ କମିଟି ସୁପାରିଶ ଆଜି ପର୍ଯ୍ୟନ୍ତ କାହିଁକି ଲାଗୁ କରାଯାଇନି? ଏହାର ଉତ୍ତର ଦିଅନ୍ତୁ ବୋଲି ଅମର କହିଛନ୍ତି । ମହାନଦୀ ଓ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ବି ଉଠାଇଛି ବିଜେଡି । ଅମର କହିଛନ୍ତି, ମହାନଦୀ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କ’ଣ, ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି । ଛତିଶଗଡ଼ ସରକାର ଯେତେବେଳେ ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଚାଲିଲେ, ସେତେବେଳେ କେନ୍ଦ୍ରମନ୍ତ୍ରୀ ଏହାକୁ ସମର୍ଥନ କରି ଚାଲିଲେ । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଓ ରାଉରକେଲା ଇସ୍ପାତ ମେଡିକାଲକୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବା ନେଇ ପ୍ରତିଶ୍ରୁତି କୁଆଡ଼େ ଗଲା? ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ବିଜେପି କାହିଁକି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା? କେନ୍ଦ୍ର ସରକାର ୩୩ଟି ଯୋଜନାରେ ସେୟାରିଂ ପାର୍ଟନ ବଦଳାଇ ଥିବାବେଳେ ୮ଟି ଯୋଜନାରେ କାହିଁକି ଅନୁଦାନ ବନ୍ଦ କରିଛନ୍ତି? କେନ୍ଦ୍ରମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ ।
ଅମର ଆହୁରି କହିଛନ୍ତି, ଓଡ଼ିଶାରେ ଟେଲି କମ୍ୟୁନିକେସନ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସହର ଓ ଗାଁରେ ମୋବାଇଲ୍‌ ନେଟୱାର୍କ କାମ କରୁନି । ଲୋକେ ଗଛ, ପାହାଡ଼, ଛାତ ଉପରକୁ ଯାଇ ନେଟୱାର୍କ ଖୋଜୁଛନ୍ତି । ବ୍ୟାଙ୍କିଙ୍ଗ୍‌ ସୁବିଧା ଏବେ ବି ଅନେକ ଗାଁରେ ପହଞ୍ଚି ପାରିନି । ବର୍ଷକୁ ୨ କୋଟି ଚାକିରି ପାଇଁ ବିଜେପି ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲା । ଏହି ଅନୁପାତରେ ଓଡ଼ିଶା ଭାଗରେ ୩୬ ଲକ୍ଷ ଚାକିରି ପଡ଼ିବା କଥା । ଚାକିରି କୁଆଡ଼େ ଗଲା? ଆଉ ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଆସିବା ନେଇ ଯେଉଁ ପ୍ରତିଶ୍ରୁତ ଦିଆଯାଇଥିଲା, ତାହା କୁଆଡ଼େ ଗଲା ବୋଲି ଅମର ପ୍ରଶ୍ନ ପଚାରିଛନ୍ତି ।
ଏଭଳି ଭାବେ ୨୦ଟି ପ୍ରଶ୍ନ ପଚାରି ଧର୍ମେନ୍ଦ୍ରଙ୍କଠାରୁ ଜବାବ ମାଗିଛି ବିଜେଡି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ.ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ବିଶ୍ବର ୧୦୦ ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ମିଳିଲା ସ୍ଥାନ

ଉପବାସରେ ରାଜ୍ୟସଭାର ଉପ-ସଭାପତି: ଉପରାଷ୍ଟ୍ରପତିଙ୍କୁ ୩ ପୃଷ୍ଠାର ଚିଠି ଲେଖି କହିଲେ- ବହୁତ କଷ୍ଟ ଲାଗିଛି, ସାରା ରାତି ଶୋଇପାରିନି…’

ସଂସଦରେ ପାରିତ କୃଷି ବିଲ୍‌ ଐତିହାସିକ: ଧର୍ମେନ୍ଦ୍ର

କୃଷି ବିଲ୍‌କୁ ରାଜ୍ୟସଭାରେ ବିଜେଡିର ବିରୋଧ -ଚାଷୀ ସ୍ୱାର୍ଥ ବିରୋଧୀ, ଅଭାବୀ ବିକ୍ରି ବଢ଼ିବ

ବିଧାନସଭାରେ ଆସିବ ୧୨ ବିଲ୍‌ – ୨୫ରେ ସର୍ବଦଳୀୟ ବୈଠକ

କୃଷି ଅଧ୍ୟାଦେଶ ବିରୋଧରେ କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ ଅକାଳି ନେତ୍ରୀ