ଜମ୍ବୁରେ ବିଜେଡିର ରୋଡ୍‌ ସୋ’: ବଙ୍ଗଭାଷୀଙ୍କ ଦେଶାନ୍ତର ଉଦ୍ୟମକୁ ବିଜେଡି ବିରୋଧ କରିବ: ଅତନୁ

ମହାକାଳପଡା,୨୪ା୪(ଆପ୍ର): ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ପ୍ରଚାରକୁ ଜୋର୍‌ଦାର କରିଛି । ନିର୍ବାଚନ ପ୍ରଚାରରେ ବହୁ ଚଳଚ୍ଚିତ୍ର ତାରକା ଯୋଗଦେଇ ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି । ଆଜି ବିଜେଡି ପକ୍ଷରୁ ମହାକାଳପଡ଼ା ଅଞ୍ଚଳରେ ରୋଡ୍‌ ସୋ କରାଯିବା ପରେ ଜମ୍ୱୁ ଖେଳ ପଡ଼ିଆରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ସଭାରେ ବିଧାୟକ ତଥା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ, ବିଜେଡି ସଦାସର୍ବଦା ବଙ୍ଗ ଭାଷାଭାଷୀଙ୍କ ବନ୍ଧୁ ହୋଇ ରହିଆସିଛି । ଏ ସମ୍ପର୍କକୁ କେହି ବି ଛିନ୍ନ କରିପାରିବେ ନାହିଁ । ବଙ୍ଗଭାଷୀଙ୍କୁ ମହାକାଳପଡ଼ା ମାଟିରୁ କେହି ହଟେଇ ପାରିବେ ନାହିଁ । ବିଜେଡି ବଙ୍ଗଭାଷୀ ଭାଇମାନଙ୍କୁ ସୁରକ୍ଷା ଦେବ । ଯେଉଁ ଦଳ ଅନୁପ୍ରବେଶକାରୀ ବାହାନା କରି ଆମ ଭାଇମାନଙ୍କୁ ଏଠାରୁ ବିଦା କରିବାକୁ ଯୋଜନା କରୁଛି ତାକୁ ଉପଯୁକ୍ତ ଜବାବ୍‌ ଦେବାକୁ ସଭାରେ ଆହ୍ୱାନ ଦେଇଥିଲେ । ବର୍ଷ ବର୍ଷ ଧରି ଏଠାରେ ବସବାସ କରିଆସୁଥିବା ବଙ୍ଗ ଭାଷୀଙ୍କ ଭିଟାମାଟିକୁ ଯଦି ବିଜେପି ଉଚ୍ଛେଦ କରିବାକୁ ଆସିବ ବିଜେଡି ପ୍ରଥମେ ଏହାକୁ ବିରୋଧ କରିବାକୁ ଆଗେଇ ଆସିବ ବୋଲି ବିଧାୟକ ଶ୍ରୀ ନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଜମ୍ୱୁ ପଞ୍ଚାୟତର ଅଧିବାସୀମାନେ ବିଜୁ ବାବୁଙ୍କର ପ୍ରିୟ ଲୋକ ।

ବିଜୁ ପରିବାରକୁ ପଛପଟୁ ଧକ୍କା ଦେଇଥିବା ବ୍ୟକ୍ତିଙ୍କୁ ମହାକାଳପଡ଼ା ମାଟିରୁ ହଟାଇବାକୁ ସଭାରେ ଆହ୍ୱାନ ଦିଆଯାଇଥିଲା । ଅନୁପ୍ରବେଶକାରୀ ଦ୍ୱାହି ଦେଇ କାହାକୁ ଏଠାରୁ ଦେଶାନ୍ତର କରିବାକୁ ଦିଆଯିବ ନାହିଁ ବୋଲି ବିଧାୟକ ଖୋଲାଖୋଲି ଆହ୍ୱାନ ଦେଇଥିଲେ । ସେହିପରି ବତୀଘର ପଞ୍ଚାୟତରେ ଅନୁଭବ ମହାନ୍ତି ଓ ଅତନୁ ସବ୍ୟସାଚୀ ନାୟକ ଏକ ରୋଡ୍‌ ସୋ’ରେ ଭାଗ ନେଇଥିଲେ । ଏହି ରୋଡ଼୍‍ ସୋ କୋଚିଳା ବେଲାରିଠାରୁ ବାହାରି ପ୍ରତ୍ୟେକ ଗ୍ରାମକୁ ଯାଇଥିଲା । ବିଭିନ୍ନ ଛକରେ ଶହଶହ ସଂଖ୍ୟାରେ ଲୋକ ଉଭୟ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ନାୟକ କହିଥିଲେ ଏ ମାଟି ବିଜୁ ବାବୁଙ୍କର, ବିଜୁବାବୁଙ୍କ ଅଞ୍ଚଳରେ ଯାହା ଉନ୍ନତି ହୋଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ସମ୍ଭବ ହୋଇପାରିଛି । ବନ୍ୟା ବାତ୍ୟା ସମୟରେ ଏ ଅଞ୍ଚଳର ଦରଦୀ ବନ୍ଧୁ ଭାବେ ବିଜୁ ପଟ୍ଟନାୟକ ଆସୁଥିଲେ । ଏବେ ନବୀନ ପଟ୍ଟନାୟକ ଆସୁଛନ୍ତି । ୱାଟର ଆମ୍ୱୁଲାନ୍ସ, ଖୋଳା ସେତୁ ଓ ବତୀଘର ପଞ୍ଚାୟତରେ ବିଜୁଳି ଆଲୁଅ କେବଳ ବିଜେଡି ପାଇଁ ସମ୍ଭବ ହୋଇପାରିଛି ବୋଲି ବିଧାୟକ କହିଥିଲେ । ଖରିନାସୀ ସେତୁ କାମ ଖୁବ୍‍ଶୀଘ୍ର ଆରମ୍ଭ ହେବ । ବତୀଘର ପଞ୍ଚାୟତରେ ଆଉ ଯାହା ସମସ୍ୟା ଅଛି ତାହାକୁ ଦୂର କରାଯିବ ବୋଲି ପଥପ୍ରାନ୍ତ ସଭାରେ ବିଧାୟକ କହିଥିଲେ । ବିଜୁଙ୍କ ମାଟିରେ ବେଇମାନିଙ୍କର ସ୍ଥାନ ନାହିଁ ତେଣୁ ସାଂସଦ ଅନୁଭବ ମହାନ୍ତିଙ୍କୁ ଆପଣମାନେ ଜିତାଇବାକୁ ବିଧାୟକ କହିଥିଲେ ।

ସୂଚନାଯୋଗ୍ୟ, ଗତକାଲି ଦିନ ତମାମ ଚଳଚ୍ଚିତ୍ର ତାରକା ଆକାଶ ଦାସ ଖରିନାସୀ ପଞ୍ଚାୟତରେ ରୋଡ୍‌ ସୋ କରିଥିବାବେଳେ ଅନ୍ୟତମ ଚଳଚ୍ଚିତ୍ର ତାରକା ବର୍ଷା ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ପାଟଳିପଙ୍କଠାରୁ ବିରାଟ ରୋଡ୍‌ ସୋ’ରେ ବାହାରି ତିଖିରୀ ପଞ୍ଚାୟତ ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ତିଖିରୀ, ଅମେଇପାଳ, ଖୁରୁସିଆ ଓ ପାଳଟଳିପଙ୍କରେ ବିଜେଡିର ଦମଦାର ରୋଡ୍‌ ସୋ’ ପରେ ଆଜି ଜମ୍ୱୁ ଓ ସୁନତି ପଞ୍ଚାୟତରେ ବିଜେଡି ତାର ମାରାଥନ୍‍ ପ୍ରଚାର ଓ ରୋଡ଼୍‍ ସୋ କରିଛି । ଏଥିରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଯୋଗ ଦେଇଥିଲେ । ଜଗରଜୋର ହାଟରୁ ବିରାଟ ମୋଟରସାଇକେଲ୍‍ ଶୋଭାଯାତ୍ରାରେ ଉଭୟ ନେତା ବାହାରି ଜମ୍ୱୁ ଓ ସୁନତି ଦୁଇଟି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ ।

   ସମ୍ବନ୍ଧିତ ଖବର


କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଜୈବିକ ଉପାୟରେ କଳାଧାନ ଚାଷ କଲେ ଯୁବ ଇଞ୍ଜିନିୟର: କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଦେଲେ ଉପକାରୀ ଆହାର, ହେଲେ ଆଦର୍ଶ