PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସିଏଏକୁ ହିଁ, ଏନ୍ଆରସିକୁ ନବୀନଙ୍କ ନାଁ…

ଭୁବନେଶ୍ୱର ୧୯/୧୨: ଜାତୀୟ ନାଗରିକ ପଞ୍ଜିକା ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନସ୍‌ ଅଫ ଇଣ୍ଡିଆ (ଏନ୍‌ଆରସି) କୁ ବିଜୁ ଜନତା ଦଳ ସମର୍ଥନ କରୁନି । ମାତ୍ର ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ଦଳ ପୂର୍ଣ୍ଣ ସମର୍ଥନ କରୁଛି । ଆଜି ଏମିତି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସମସ୍ତେ ଶାନ୍ତି ଓ ସଦ୍‌ଭାବ ବଜାୟ ରଖନ୍ତୁ । ଜନସାଧାରଣଙ୍କୁ ଏମିତି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ବୁଧବାର ନବୀନ ନିବାସରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ନାଗରିକ ସଂଶୋଧନ ଆଇନ ସହ ମୂଳ ଭାରତୀୟଙ୍କର କିଛି ସଂପର୍କ ନାହିଁ । ଏହା କେବଳ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ । ମାତ୍ର ଆମେ ଏନ୍‌ଆରସିକୁ ସମର୍ଥନ କରୁନାହୁଁ । ବିଜେଡିର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହା ସ୍ପଷ୍ଟ କରି ସାରିଛନ୍ତି । ସିଏଏକୁ ଏନ୍‌ଆରସି ସହ ଯୋଡ଼ା ନଯାଉ ।

ବିଜେଡି ସୁପ୍ରିମୋ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପରେ ଏନ୍‌ଆରସି ସପକ୍ଷରେ ଯେ ଦଳ ନାହିଁ ତାହା ଜଳଜଳ । ସଂଶୋଧିତ ନାଗରିକତା ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ହିଂସା ଉଗ୍ର ରୂପ ଧାରଣ କରଛି । ସମଗ୍ର ଦେଶରେ ଏହା ଏବେ ମୁଖ୍ୟ ପ୍ରସଙ୍ଗ ଭାବେ ମୁଣ୍ଡ ଟେକିଛି । ଉତ୍ତର ପୂର୍ବାଞ୍ଚଳରେ ନାଗରିକତା ଆଇନକୁ ନେଇ ନିଆଁ ଜଳୁଥିଲା ବେଳେ ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ପ୍ରତିବାଦର ସ୍ୱର ଉଠିଛି । ଭୁବନେଶ୍ୱରରେ ମଙ୍ଗଳବାର ସଂଖ୍ୟାଲଘୁ ସଂପ୍ରଦାୟ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଗତ ୪ ଦିନ ତଳେ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା ବେଳେ ଆଦୌ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । କିଛି ମାସ ତଳେ କେନ୍ଦ୍ରାପଡ଼ା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ ପାଇଁ ଏନ୍‌ଆରସି ଲାଗୁ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେଣୁ ରାଜ୍ୟବାସୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେବାକୁ ଆଜି ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନାଗରିକ ସଂଶୋଧନ ବିଲ ସଂପର୍କରେ ରାଜ୍ୟସଭାରେ ଚର୍ଚ୍ଚା ବେଳେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର କହିଥିଲେ, ଏ ବିଲ୍‌କୁ ବିଜେଡି ତର୍ଜମା କରି ଜାଣିବାକୁ ପାଇଛି ଯେ ଏହାର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ସହ କିଛି ସଂପର୍କ ନାହିଁ । ଏନ୍‌ଆରସି ହେଉଛି ଭିନ୍ନ ପ୍ରସଙ୍ଗ । ଏହା ଉପରେ ଦୀର୍ଘ ଆଲୋଚନାର ଆବଶ୍ୟକତା ରହିଛି। ଏହାଛଡ଼ା ନାଗରିକ ସଂଶୋଧନ ବିଲରେ ଶ୍ରୀଲଙ୍କାକୁ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସସ୍ମିତ ଦାବି ରଖିଥିଲେ। ମୁସଲମାନ ଭାଇ ଭଉଣୀଙ୍କ ସବୁ ସନ୍ଦେହ ଦୂର କରିବାକୁ ମଧ୍ୟ ଡ. ପାତ୍ର ରାଜ୍ୟସଭାରେ ପ୍ରସ୍ତାବ ରଖିଥିଲେ।ସେହିଭଳି ଲୋକସଭାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏ ବିଲ୍‌ ଚର୍ଚ୍ଚାରେ ଅଂଶଗ୍ରହଣ କରି କହିଥିଲେ, ଏନ୍‌ଆରସି ସହ ନାଗରିକତା ସଂଶୋଧନ ବିଲର କିଛି ସଂପର୍କ ନାହିଁ। ଏ ବିଲରେ ଶ୍ରୀଲଙ୍କାକୁ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରସ୍ତାବ ରଖିଥିଲେ। ସିଏବିକୁ ଏନଆରସି ସହ ଯୋଡ଼ା ନଯାଉ ବୋଲି ସେ ଦାବି ରଖିଥିଲେ ।

ସଂସଦରେ ନାଗରିକତା ସଂଶୋଧନ ନେଇ ବିଜେଡି ନିଜ ମତ ସ୍ପଷ୍ଟ କରିଥିଲା ବେଳେ ଆଜି ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହାକୁ ସ୍ୱାଗତ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଏନ୍‌ଆରସି ସହ ସିଏଏର କିଛି ସଂପର୍କ ନାହିଁ । ନାଗରିକତା ଆଇନରେ ମୂଳ ଭାରତୀୟମାନେ ଆଦୌ ପ୍ରଭାବିତ ହେବେ ନାହିଁ । ଏହା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୨୦ ବର୍ଷ ହେଲା ନବୀନ ମିଛ କହୁଛନ୍ତି । ସିଏଏ ଦ୍ୱାରା ଓଡ଼ିଶା ପ୍ରଭାବିତ ହେବନି ବୋଲି କହିବା ତାଙ୍କର ଡବଲ ଷ୍ଟାଣ୍ଡାର୍ଡ ନୀତି । ବିଜେପି ସହ ସଲାସୁତୁରାରେ ନବୀନ ବାବୁ ରାଜ୍ୟ ଚଳାଉଛନ୍ତି ।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ନାଗରିକତା ସଂଶୋଧନ ଆଇନ ନେଇ ଆଜି ମତ ରଖିଛନ୍ତି । ସେ କହିଛନ୍ତି, ନାଗରିକତା ଆଇନକୁ କଂଗ୍ରେସ ଓ ଅନ୍ୟ କିଛି ଦଳ ବିରୋଧ କରିବା ନିନ୍ଦନୀୟ । ଶ୍ରୀ ମହତାବ କହିଛନ୍ତି, କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ମୁସଲମାନ ସଂପ୍ରଦାୟ ମନରେ ଭୟ ସୃଷ୍ଟି କରୁଛନ୍ତି । ନିଜ ଭୋଟ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଏ ଆଇନକୁ ବିରୋଧ କରୁଛି ।

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ବିଲକୁ ବିଜେଡି ସଂସଦରେ ସମର୍ଥନ ଜଣାଇଥିଲା । ଜାତୀୟ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଦଳ ଏ ବିଲକୁ ସମର୍ଥନ ଦେଇଛି ବୋଲି ଯୁକ୍ତି କରିଥିଲା । ଆଜି ଦଳର ମୁଖିଆ ଏ ନେଇ ନିଜ ମତକୁ ସ୍ପଷ୍ଟ କରିଛନ୍ତି ।