ଫେରାର ଓମ୍‌ପ୍ରକାଶଙ୍କ ଭିଡିଓ ଭାଇରାଲ୍‌, ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ,୨୬ା୪(ବ୍ୟୁରୋ): ୪ ଦିନ ଧରି ଫେରାର୍‌ ଥିବା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଶୁକ୍ରବାର ଭିଡିଓ ଜାରି କରି ସଫେଇ ଦେଇଛନ୍ତି । ବିଜେଡି କର୍ମୀଙ୍କ ଉତ୍ପାତ ପାଇଁ ସେ ବୁଥ୍‌ ନିକଟକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ଓ ଏହି ବୁଥ୍‌ରେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା ଆରୋପ ଆଣି ସ୍ୱତନ୍ତ୍ର ଟିମ୍‌ ଗଠନ କରି ପ୍ରଶାସନ ଏହାର ତଦନ୍ତ କରୁ ବୋଲି ସେ ସୋସିଆଲ୍‌ ମିଡିଆରେ ଦାବି ଉଠାଇଛନ୍ତି । ଏହି ଭିଡିଓକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା କହିଛନ୍ତି ଏସ୍‌ପି ଉମାଶଙ୍କର ଦାଶ । ଏପରିକି ଓମ୍‌ପ୍ରକାଶ ଫେରାର୍‌ ଥିବାରୁ ତାଙ୍କୁ ପଳାତକ ଘୋଷଣା କରିବା ପାଇଁ ଅଦାଲତରେ ପୁଲିସର ପ୍ରକ୍ରିୟା ଆରମ୍ଭ ହୋଇଛି ।
ଶୁକ୍ରବାର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଫେରାର୍‌ ଓମ୍‌ପ୍ରକାଶଙ୍କ ଭିଡିଓ । ଏଥିରେ ସେ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବୀରକିଶୋରପୁର, ଜାଗୁଳାଇପଦର, ଦୋଛିଆଁ, ତେଲେଙ୍ଗାପଡା, ନୂଆଗାଁ ଭଳି ୭ଟି ବୁଥ୍‌ରେ ବେଆଇନ୍‌ ଭାବେ ମତଦାନ କରାଯାଇଛି । ବିଜେଡିର ଗୁଣ୍ଡାମାନେ ଆତଙ୍କ ଖେଳାଇ ଭୋଟ୍‌ ହାତେଇ ନେଇଥିଲେ । ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ଭୋଟ ଦିଆଯାଇଛି । ବିଜେପି ସମର୍ଥକମାନେ ବୁଥ୍‌ରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ନାମରେ ମଧ୍ୟ ଏହି ଗୁଣ୍ଡାମାନେ ଭୋଟ୍‌ ଦେଇଛନ୍ତି । ଡରାଇ ଧମକାଇ ଭୋଟ୍‌ ହାତେଇ ନେବା ଖବର ପାଇବାପରେ ସେ ବୀରକିଶୋରପୁର ବୁଥ୍‌ରେ ପହଞ୍ଚିଥିଲେ ।

ସେଠାରେ ତାଙ୍କୁ ଘେରିଯାଇ ବିଜେଡିର ସମର୍ଥକମାନେ ତାଙ୍କ କାର୍‌ରୁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଛଡ଼ାଇ ନେଇଥିଲେ ବୋଲି ଭିଡିଓରେ ଓମ୍‌ପ୍ରକାଶ କହିଛନ୍ତି । ଏପରିକି ସେ ଓ ତାଙ୍କ ସମର୍ଥକ ଇଭିଏମ୍‌ ମେସିନ୍‌ ଭାଙ୍ଗିନଥିବା ସଫେଇ ଦେଇଛନ୍ତି ଓମ୍‌ । ବିଜେଡିର ଗୁଣ୍ଡା ଇଭିଏମ୍‌ ଭାଙ୍ଗି ସେମାନଙ୍କୁ ଫସାଇଥିବା ମଧ୍ୟ ସେ କହିଛନ୍ତି । ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଫିସର୍‌ଙ୍କ ଉପରେ ଚାପ ପକାଇ ତାଙ୍କ ନାମରେ ଏତଲା କରାଇଥିବା ସେ ଭିଡିଓରେ କହିଛନ୍ତି । ସବୁ ବୁଥ୍‌କୁ ଯାଞ୍ଚ କରାଯାଇ ସ୍ୱତନ୍ତ୍ର ଟିମ୍‌ ମାଧ୍ୟମରେ ତଦନ୍ତ କରାଯାଉ । ମୋର ଅଭିଯୋଗ ଭୁଲ୍‌ ଥିଲେ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି । ଭିଡିଓରେ ଓମ୍‌ପ୍ରକାଶ ବନ୍ଧୁକ ନେଇଥିବା ସ୍ୱୀକାର କରିଥିବାରୁ ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା କହିଛନ୍ତି ଏସ୍‌ପି ଉମାଶଙ୍କର ଦାଶ ।