୪୪୦ ଭୋଲ୍ଟ ଭଳି ବିଜେପି ବିପଜ୍ଜନକ: ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜି ହୁଗୁଳିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ସେ ମୋଦି ଏବଂ ବିଜେପିଙ୍କୁ ୪୪୦ ଭୋଲ୍ଟ ସହ ତୁଳନା କରିଛନ୍ତି । କହିଛନ୍ତି ଉଭୟ ମୋଦି ଏବଂ ବିଜେପି ଯଦି ପୁଣିଥରେ କ୍ଷମତାକୁ ଆସନ୍ତି ତେବେ ଦେଶ ଧ୍ୱଂସ ହୋଇଯିବ । ସେ ଆହୁରି ମଧ୍ୟ କହିଛନ୍ତି, ୪୪୦ ଭୋଲ୍ଟ ଭଳି ମୋଦି ଦେଶ ପାଇଁ ବିପଜ୍ଜନକ । ତାଙ୍କ ପାଇଁ ଅନେକ ଚାଷୀ ଆତ୍ମହତ୍ୟା କରିବା ସହ ଦେଶର ଅନେକ ଯୁବକ ବେରୋଜଗାର ହୋଇଛନ୍ତି । ମୋଦିଙ୍କ ଶାସନରେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦରବୃଦ୍ଧି ହୋଇଥିବା କହିବା ସହ ମୋଦିଙ୍କ ନୀତି ଯୋଗୁ ଅନେକ ଲୋକ ବ୍ୟାଙ୍କରୁ ଟଙ୍କ ପାଉ ନଥିବା ମଧ୍ୟ ମମତା ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟରେ ବିଜେପିକୁ ସିପିଏମ୍‌ ସାହାଯ୍ୟ କରୁଛି ବୋଲି ମଧ୍ୟ ମମତା ଅଭିଯୋଗ କରିଛନ୍ତି ।

ବିଜେପି ଧର୍ମ ନାମରେ ଲୋକଙ୍କୁ ବିଭାଜିତ କରୁଛି ବୋଲି ସେ ଅଭିଯୋଗ କରିବା ସହ ବିଜେପି ନିଜକୁ କିଭଳି ଭାବେ ହିନ୍ଦୁମାନଙ୍କ ଦଳ କହୁଛି ବୋଲି ମମତା ସେଠାରେ ଉପସ୍ଥିତ ଲୋକମାନଙ୍କୁ ପ୍ରଶ୍ନ କରିଥିଲେ । ବିଜେପି ଟଙ୍କା ବାଣ୍ଟି ଭୋଟ କିଣୁଥିବେ ବେଳେ ଟିଏମ୍‌ସି ଲୋକଙ୍କ ପାଇଁ ଉନ୍ନତିମୂଳକ କାମ କରି ଭୋଟ ନେଉଥିବା ମମତା କହିଥିଲେ । ଏହା ବ୍ୟତୀତ ଚଳିତ ନିର୍ବାଚନରେ ବିଜେପି ୮୦ଟି ଆସନରେ ଜିତିବା ମଧ୍ୟ କଷ୍ଟକର ହୋଇପଡିବ ବୋଲି ମମତା ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ପଞ୍ଜାବ, କେରଳ ଏବଂ ପଶ୍ଚିମବଙ୍ଗରେ ବିଜେପି ଆଦୌ ଖାତା ଖୋଲିପାରିବନି ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।