PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ୟୁପିରେ ବିଜେପିକୁ ୩୬ ଆସନ

ନୂଆଦିଲ୍ଲୀ,୪ା୪(ଏଜେନ୍ସି): ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ବିଜେପିକୁ ଏଥର ମାତ୍ର ୩୬ଟି ଆସନ ମିଳିବ । ଅନ୍ୟପକ୍ଷରେ ୟୁପିରୁ ସପା-ବସପା ମେଣ୍ଟକୁ ୪୨ ଲୋକସଭା ଆସନ ମିଳିବ । ରାଜ୍ୟ ନିର୍ବାଚନ ମାହୋଲ୍‌ରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ଯାଦୁ କାମ କରିବ ନାହିଁ । ଫଳରେ ଦଳକୁ ଆଖିଦୃଶିଆ ଆସନ ମିଳିବା ଆଶା ଅତ୍ୟନ୍ତ କମ୍‌ । ଏବିପି ନ୍ୟୁଜ୍‌ ଏବଂ ସର୍ଭେ ଏଜେନ୍ସି ସଂସ୍ଥା ନିଲ୍‌ସନ୍‌ ପକ୍ଷରୁ ହୋଇଥିବା ଏକ ମିଳିତ ସର୍ଭେରୁ ଏହି ରିପୋର୍ଟ ମିଳିଛି ।
୨୦୧୪ ଲୋକସଭା ନିର୍ବାଚନରେ ଦେଶବ୍ୟାପୀ ମୋଦି ଲହରି ଦେଖିବାକୁ ମିଳିଥିଲା । ଫଳରେ ବିଜେପିକୁ ଉତ୍ତର ପ୍ରଦେଶରେ ବିରାଟ ସଫଳତା ମିଳିଥିଲା । ରାଜ୍ୟର ୮୦ ଲୋକସଭା ଆସନ ମଧ୍ୟରୁ ଦଳ ଏକାକୀ ୭୧ଟି (ଏନ୍‌ଡିଏ ୭୩) ଅକ୍ତିଆର କରିନେଇଥିଲା । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୫ଟି ଆସନ ପାଇଥିଲା ବେଳେ ବହୁଜନ ସମାଜ ପାର୍ଟି ଆଦୌ ପାଇନଥିଲା । କଂଗ୍ରେସ ଓ ଅପ୍‌ନା ଦଲ୍‌ ଦୁଇଟି ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଥିଲେ । ୨୦୦୯ ନିର୍ବାଚନରେ ସପା ୨୩ଟି ଲୋକସଭା ଆସନ ପାଇଥିଲା ବେଳେ ବସପା ୨୦ ଏବଂ କଂଗ୍ରେସ ୨୧ଟି ଆସନ ପାଇଥିଲା ।
ସଦ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଯଦିଓ ୟୁପିରେ ୩୬ ଆସନରେ ସୀମିତ ରହିବ, ଏହାର ଭୋଟ୍‌ ଭାଗ କିନ୍ତୁ ୨୦୧୪ ଭଳି ସମାନ ହେବ । ୨୦୧୪ରେ ଦଳର ଭୋଟ୍‌ ଭାଗ ୪୩.୩% ଥିଲା ବେଳେ ୨୦୧୯ରେ ଏହା ୪୩% ହେବ ବୋଲି ଆକଳନ କରାଯାଇଛି । ମେଣ୍ଟକୁ ୪୨% ଭୋଟ୍‌ ମିଳିବ ବୋଲି ଆଶା କରାଯାଉଛି ।
ୟୁପିରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇ ବଡ଼ ପ୍ଲାଟ୍‌ଫର୍ମରେ ଲଞ୍ଚ୍‌ କରାଯାଇଛି । ୧୨ କିଲୋମିଟରର ବିରାଟ ରାଲିରେ କଂଗ୍ରେସ ତାଙ୍କୁ ଉତ୍ତର ପ୍ରଦେଶରେ ବୁଲାଇଥିଲା । ଏହାକୁ ନେଇ ଚର୍ଚ୍ଚା ବି ହୋଇଥିଲା । କିନ୍ତୁ ଏ ସବୁ କିଛି କାମ ଦେବନାହିଁ ଏବଂ ପ୍ରିୟଙ୍କାଙ୍କ ଯାଦୁ ଚାଲିବ ନାହିଁ । କଂଗ୍ରେସ ରାଏବରେଲି ଓ ଆମେଥି ବ୍ୟତୀତ ରାଜ୍ୟରେ ଅନ୍ୟ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ । ବିଜେପି ପକ୍ଷରୁ ଲୋକସଭା ଟିକେଟ୍‌ ପାଇଥିବା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ୟୁପି ରାଜ୍ୟ ମନ୍ତ୍ରୀ ରିତା ବହୁଗୁଣା ଯୋଶୀଙ୍କୁ ନେଇ କିଛି ସମସ୍ୟା ରହିଛି । ସେମାନଙ୍କ ଲୋକପ୍ରିୟତା ସେତେଟା ଦୃଶ୍ୟମାନ ହେଉନାହିଁ । ତେଣୁ ଏମାନଙ୍କ ଜିତିବା ଆଶା ଅତ୍ୟନ୍ତ କମ୍‌ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି । ମନୋଜ ସିହ୍ନା ଗାଜିପୁର ଏବଂ ରିତା ଆଲ୍ଲାହାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ରିପୋର୍ଟ ମୁତାବକ ପଶ୍ଚିମ ୟୁପିରେ ଥିବା ୨୭ ଆସନରୁ ବିଜେପି ମାତ୍ର ୧୨ଟି ପାଇବାକୁ ଥିବା ବେଳେ ସପା-ବସପା-ଆର୍‌ଏଲ୍‌ଡି ମେଣ୍ଟକୁ ୧୫ଟି ମିଳିବ । କଂଗ୍ରେସ ଏଠାରେ ଖାତା ଖୋଲିପାରିବ ନାହିଁ ।
ଅୱଧରେ ଥିବା ୨୩ ଆସନରୁ ବିଜେପି ୧୧ଟି ଓ ମେଣ୍ଟ ୧୦ଟି ପାଇବାକୁ ଥିବା ବେଳେ ରାଏବରେଲି ଓ ଆମେଥି କଂଗ୍ରେସ ଖାତାକୁ ଯିବାଟା ନିଶ୍ଚିତ । ପୂର୍ବ ୟୁପିରେ ଥିବା ୨୬ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ବଡ଼ ଝଟ୍‌କା ଲାଗିବ । ମେଣ୍ଟକୁ ଏଠାରେ ୧୫ଟି ଆସନ ମିଳିବାକୁ ଥିବା ବେଳେ ବିଜେପି ୧୧ ପାଇବ । ବୁନ୍ଦେଲଖଣ୍ଡରେ ଥିବା ୪ଟି ଆସନରୁ ବିଜେପି ଓ ମେଣ୍ଟ ଦୁଇଟି ଲେଖାଏଁ ପାଇବେ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି ।