ବିଜେପିର ନିର୍ବାଚନୀ ରଣନୀତି: ସୈନିକ, ଯୁଦ୍ଧ ବିମାନ ଓ ମୋଦିଙ୍କ ଫଟୋ ଥିବା ଶାଢୀ ଆସିଲା

ଜୟପୁର,୧୦।୩: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ବିଜେପି) ଖାସ୍ କିସମର ଏକ ଶାଢୀ ତିଆରି କରୁଛି। ସୈନିକ, ଯୁଦ୍ଧ ବିମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିଣ୍ଟ ଥିବା ଏହି ଦଳ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। କୁହାଯାଉଛି ଯେ ବିଜେପି ଏହାଦ୍ବାରା ପ୍ରଚାର କାମ ଆରମ୍ଭ କରିବାକୁ ଚାହୁଁଛି। ନିକଟରେ ନିର୍ବାଚନ କମିଶନ(ଇସି) ସମସ୍ତ ରାଜନୈତିକ ଦଳକୁ ଚେତାଇଥିଲେ ଯେ ସେମାନେ ସେନା ଓ ସେନାକର୍ମୀଙ୍କ ଫଟୋକୁ ବ୍ୟବହାର ନକରନ୍ତୁ।

ଶାଢୀ ସମ୍ପର୍କରେ ରାଜସ୍ଥାନରେ ବିଜେପି କ୍ରିଏଟିଭ ଟିମ୍ ମୁଖ୍ୟ ଆଶିଷ ଜୈନ କହିଚନ୍ତି ଦଳ ଦୁଇ ପ୍ରକାର ସାଢୀ ଡିଜାଇନ୍ କରିଛି। ଯାହାକି ସୁରଟରୁ ମିଳୁଛି। ଏହାକୁ ଆଜି ଜୟପୁରରେ ଥିବା ଦଳର ମୁଖ୍ୟାଳୟ ସ୍ଥିତ ଆଉଟଲେଟ୍(ବିଜେପିର ପ୍ରଚାର ସାମଗ୍ରୀ ଏଠାରେ ବିକ୍ରି ହୁଏ)ରେ ସମସ୍ତଙ୍କୁ ଦେଖାଯିବ। ଲୋକସଭା ନିର୍ବାଚନ ପାଇଁ ରାଜସ୍ଥାନର ବିଜେପି ପ୍ରଭାରୀ ପ୍ରକାଶ ଜାଭେଡକର ଏହି ଆଉଟଲେଟକୁ ଉଦଘାଟନ କରିବେ।

ଏୟାରଷ୍ଟ୍ରାଇକ୍(ପାକିସ୍ତାନ ବାଲକୋଟରେ) ଫଟୋ ଥିବା ଶାଢୀ ବ୍ୟତୀତ ଆଉ ଏକ ଶାଢୀ ରହିଛି। ଯାହାକି କ୍ରୀମ, କେଶରୀ ଏବଂ ସବୁଜ ରଙ୍ଗର। ଏଥିରେ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟଦଳର ନେତାଙ୍କର ଫଟୋ ରହିଛି। ଏଥିରେ ବସୁନ୍ଧରା ରାଜେଙ୍କ ମୁହଁ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ଦଳୀୟ ନିର୍ବାଚନୀ ଚିହ୍ନ ପଦ୍ମଫୁଲ ଅଛି।

ଆଉଟଲେଟ ଷ୍ଟୋର ମ୍ୟାନେଜରଙ୍କ କହିବା ଅନୁସାରେ ଡିଜିଟାଲ ପ୍ରିଣ୍ଟ କରାଯାଇଥିବା ଏହି ଶାଢୀର ମୂଲ୍ୟ ପ୍ରାୟ ୬୫୦ ଟଙ୍କା ରଖାଯାଇଛି। ତେବେ ପ୍ଳେନ ଶାଢୀ ୧୫୦ ଟଙ୍କା ରହିବ। ପାର୍ଟି ସ୍ଥିତ ଏହି ଷ୍ଟୋରରେ ନେତାଙ୍କ କଟ-ଆଉଟ୍ ଓ କେଶରୀ ରଙ୍ଗରେ ବିଜେପିର ଟ୍ରେଡମାର୍କ ଥିବା ପୋଷ୍ଟର, ସ୍କାର୍ଫ,କଫି ମଗ, ହେୟାର କ୍ଲିପ, ଚୁଡି, ଘଡି, ସନଗ୍ଲାସ, ପତାକା, ହେଲମେଟ ଓ ଛତା ଆଦି ପ୍ରଚାର ସାମଗ୍ରୀ ମିଳିବ।