ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

କୋଲକାତା,୩୦।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ବିଜେପି ଓ ଶାସକ ଦଳ ତୃଣମୂଳ କଂଗ୍ରସ ଭିତରେ ରାଜନୈତିକ ବିବାଦ ଓ ଦଳ ବଦଳକୁ ନେଇ ସ୍ଥିତି ଖୁବ୍ ଉତ୍ତେଜନା ମୂଳକ ରହିଛି। ଏହା ଭିତରେ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି ଯେ, ଟିଏମସିର ୬୨ ବିଧାୟକ ଦଳର ସମ୍ପର୍କରେ ଅଛନ୍ତି।ଏମାନେ କେବେ ବି ଦଳ ବଦଳ କରିପାରନ୍ତି। ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି, ୧୫ ଡିସେମ୍ବର ପର୍ଯ୍ୟନ୍ତ ଟିଏମସିକୁ ଭାଙ୍ଗିଦେବୁ। ମମତା ବାନାର୍ଜୀଙ୍କର ସ୍ଥିତି ଏଭଳି ହୋଇଯିବ ଯେ, ସେ ସରକାର ଚଳାଇ ପାରିବେ ନାହିଁ।

ଏହା ପୂର୍ବରୁ ସୌମିତ୍ର କହିଥିଲେ, ଏଭଳି ସମ୍ଭାବନା ଅଛି ଯେ ରାଜ୍ୟପାଳ ଜଗଦୀପ ଧନଖଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟ ବିଧାନସଭାରେ ବହୁମତ ପ୍ରମାରିତ କରିବାକୁ କହିପାରନ୍ତି। ଖାନ୍ ୨୮ ନଭେମ୍ବରରେ ଏଠାରେ ଏକ କାର୍ଯ୍ୟକ୍ରମରେ କହିଥିଲେ- ରାଜ୍ୟପାଳ ହଠାତ୍ ମୁଖ୍ୟମନ୍ତ୍ରୀଙ୍କୁ ୧୪୯ ସଂଖ୍ୟା(ବହୁମତ) ପ୍ରମାଣିତ କରିବା ପାଇଁ କହିପାରନ୍ତି। ଏହାର ସମ୍ଭାବନା ଖୁବ୍ ଅଧିକ।

ଉଲ୍ଲେଖନୀୟ ଯେ, ମମତା ସରକାରରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେବାପରେ ଆଶଙ୍କା କରାଯାଉଥିଲା ଯେ, ସେ ବିଜେପିରେ ସାମିଲ ହୋଇପାରନ୍ତି। ଏଭଳି ସ୍ଥିତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଟିଏମସିର ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ପାଇଁ ଏହା ସବୁଠାରୁ ବଡ ଝଟକା ହେବ।  ଶୁଭେନ୍ଦୁ ମେଦିନାପୁରର ଜଣେ ଦବଙ୍ଗ ନେତା। ଶୁଭେନ୍ଦୁଙ୍କ ଇସ୍ତଫା ପରେ ଗୁଜବ ହେଉଛି ଯେ, ଟିଏମସିର ୬୨ ବିଧାୟକଙ୍କ ଯୋଗାଯୋଗରେ ବିଜେପି ରହିଛି। ଅନ୍ୟପକ୍ଷେ ଟିଏମସି ଦାବି କରୁଛି, ବିଜେପିର ୩-୪ ସାଂସଦଙ୍କ ସହିତ ବିଜେପିର ବହୁ ନେତା ଟିଏମସିରେ ଆସିବାର ଚେଷ୍ଟା କରୁଛନ୍ତି। ବିଜେପି କିନ୍ତୁ ଟିଏମସିର ଏହି ଦାବିକୁ ନେଇ ଏବେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।