ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ପାଟନା,୨୭/ ୧୧: ରାଜ୍ୟସଭା ଯିବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ। ଏନେଇ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ବିଜେପି ତାଙ୍କୁ ଆଗାମୀ ରାଜ୍ୟସଭା ଉପ-ନିର୍ବାଚନ ୨୦୨୦ର ଆଶାୟୀ ପ୍ରାର୍ଥୀ କରିଛି। ରାଜ୍ୟସଭା ଉପନିର୍ବାଚନ ଡିସେମ୍ବର ୧୪ରେ ହେବାକୁ ଯାଉଛି। ସୂଚନାଥାଉକି, ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶଓ୍ବାନଙ୍କ ଦେହାନ୍ତ ପରେ ସେହି ଆସନ ଖାଲି ରହିଛି।

ସୁଶୀଲ ମୋଦୀ ବିହାର ରାଜନୀତିର ଜଣେ ଦିଗ୍ଗଜ ନେତା। ଏଥିସହିତ ସେ ୨୦୦୫ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଏନଡିଏ ସରକାରର ଉପମୁଖ୍ୟମନ୍ତ୍ରୀ ଥିଲେ। ଚଳିତଥର ନିର୍ବାଚନ ଫଳାଫଳ ପରେ ମୋଦୀଙ୍କ ସ୍ଥାନରେ କିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି ବିଜେପି। ଏଭଳିକି ବିଜେପିର ଏ ନିଷ୍ପତ୍ତିରେ ସୁଶୀଳ ମୋଦୀ ନାରାଜ ଥିବା ଚର୍ଚ୍ଚା ହେଉଥିଲା।

ସୂଚନାଥାଉକି, ଡିସେମ୍ବର ୩ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ଡିସେମ୍ବର ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହାପରେ ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ବିହାରରେ ବର୍ତ୍ତମାନ ଏନଡିଏ ସରକାର ଶାସନ ଭାର ନେଇଛି। ଏଥିରୁ ସ୍ପଷ୍ଟ ଯେ ସୁଶୀଲ ମୋଦୀ ରାଜ୍ୟସଭା ଯିବା ଏକ ପ୍ରକାର ନିଶ୍ଚିତ।

ରାଜନୀତୀରେ ସୁଶୀଲ ମୋଦୀଙ୍କ ଏଣ୍ଟ୍ରି ଛାତ୍ରସଂଘ ନିର୍ବାଚନରୁ ହୋଇଥିଲା। ୧୯୭୩ ରେ ସୁଶୀଲ ମୋଦୀ ପାଟନା କଲେଜ ଛାତ୍ରସଂସଦର ସାଧାରଣ ସଂପାଦକ ଓ ଲାଲୁ ଯାଦବ ସଭାପତି ହୋଇଥିଲେ। ଏହାପରେ ମୋଦୀ ୧୯୭୪ରେ ଛାତ୍ର ସଂଘର୍ଷ ସମିତିର ସଦସ୍ୟ ହୋଇଥିଲେ।

୧୯୯୦ ମସିହାରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ସୁଶୀଲ ମୋଦୀ। ୧୯୯୦ ବିହାର ବିଧାନସଭା ନିର୍ବାଚନରେ ପାଟନା ମଧ୍ୟ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ସେହି ଆସନରୁ ସୁଶୀଲ ମୋଦୀ ୨ଥର ନିର୍ବାଚନ ଲଢ଼ିଥିଲେ ଓ ଦୁଇଥର ଜିତିଥିଲେ।