ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ନେଇ ଲାଗୁ ହୋଇଥିବା ଜରିମାନା ଉପରେ ରାଜନୀତି ସରଗରମ ହୋଇଛି । ମୁଖ୍ୟ ବିରୋଧିଦଳ ବିଜେପି ଅଭିଯୋଗ କରିଛି କି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ନିୟମକୁ ପାଳନ କରୁନାହାନ୍ତି । ଦିଲ୍ଲୀ ବିଜେପିର ସୋସିଆଲ ମିଡିଆ ସେଲ କିଛି ଫଟୋ ସେୟାର କରିଛି ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବିନା ମାସ୍କରେ ନଜର ଆସିଛନ୍ତି । ବିଜେପିର କହିବା କଥା ଏହି ଫଟୋ ଗତ ସୋମବାରରେ ହୋଇଥିବା ଏକ କାର୍ଯ୍ୟକ୍ରମର । ବିଜେପି କହିଛି ଯେ ଏମାନଙ୍କର ଚାଲାଣ କଟିବନି କାରଣ ଆପ୍‌ ଏବଂ ଆପ୍‌ର ନେତା ନିଜକୁ ଆଇନରୁ ଉର୍ଦ୍ଧରେ ମନେ କରୁଛନ୍ତି ।

ଗତ କିଛିଦିନ ତଳେ ଦିଲ୍ଲୀ ସରକାର ମାସ୍କ ନପିନ୍ଧିବାକୁ ନେଇ ଲୋକଙ୍କ ଉପରେ ଜରିମାନା ଚାରିଗୁଣା ବଢାଇଦେଇଥିଲେ । ଏବେ ୫ ଶହ ବଦଳରେ ୨ ହଜାର ହୋଇଛି ଜରିମାନା ରାଶି । ଏପରିକି କେତେକ ଲୋକଙ୍କ ମାସ୍କ ନପିନ୍ଧିବାକୁ ନେଇ ଚାଲାଣ ମଧ୍ୟ କଟାଯାଇଛି । ଏମିତି ସ୍ଥିତିରେ ବିଜେପି, ସିସୋଦିଆଙ୍କ ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରି କହିଛି ଯେ, “ମୁଖ୍ୟମନ୍ତ୍ରୀ ମହୋଦୟ ଏ ହେଉଛନ୍ତି ଆପଣଙ୍କ ସରକାରର ଉପମୁଖ୍ୟମନ୍ତ୍ରୀ, ଆଉ ଏ ହେଉଛି ଗତକାଲିର ଫଟୋ । ନା ମାସ୍କ ପିନ୍ଧିଛନ୍ତି ନା ସାମାଜିକ ଦୂରତା ରଖିଛନ୍ତି । କିନ୍ତୁ ତାଙ୍କର ଚାଲାଣ କଟିବନି କାରଣ ଆପଣ ଏବଂ ଆପଣଙ୍କ ନେତା ନିଜକୁ କାନୁନରୁ ଉର୍ଦ୍ଧରେ ରଖିଛନ୍ତି । ଚାଲାଣ କେବଳ ସାଧାରଣ ଲୋକ ଭରିବେ ଏବଂ ଆପଣ ସେହି ଟଙ୍କାରେ ବିଜ୍ଞାପନ ଦେବେ” ।  

ତେବେ ଆମ ଆଦମୀ ପାର୍ଟି ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ । ଦିଲ୍ଲୀ ସରକାର ଆହୁରି ମଧ୍ୟ ବିବାହ କାର୍ଯ୍ୟକ୍ରମରେ ୨୦୦ ବଦଳରେ ୫୦ ଜଣ ଅତିଥିଙ୍କୁ ନେଇ କାର୍ଯ୍ୟ କରିବାକୁ ନିୟମ ଲାଗୁ କରିଛି । ଦିଲ୍ଲୀର କରୋନାର ତୃତୀୟ ଲହରୀ ବଢୁଥିବାରୁ ନୂଆ ନିୟମ ଲାଗୁ କରିଥିଲେ ଦିଲ୍ଲୀ ସରକାର ।