ଲକି ଚେୟାରରେ ପୁଣିଥରେ ମୋଦିଙ୍କୁ ବସାଇବାକୁ ପ୍ରସ୍ତୁତି, ୫ ବର୍ଷ ହେବ କାଚ ବାକ୍ସରେ ରହିଛି ଏହି କାଠ ଚୌକି, ଜାଣନ୍ତୁ ବିଜେପି କାହିଁକି ଏହାକୁ ମାନେ ଶୁଭ

ଲକ୍ଷ୍ନୌ,୭।୩: ୫ ବର୍ଷ ପରେ ପୁଣିଥରରେ ବିଜେପି ପାଇଁ ଭାଗ୍ୟଶାଳୀ ବୋଲି ମନେ କରାଯାଉଥିବା ‘କାଠ ଚୌକି’କୁ କାଚ ବାକ୍ସରେ ଭିତରୁ ବାହାର କରାଯିବ। ଯାହାକୁ ନେଇ ଏବେ ଲାଗି ରହିଛି ବେଶ୍ ଚର୍ଚ୍ଚା । ଭାରତୀୟ ଜନତା ପାର୍ଟିର ନେତାଙ୍କ ମତରେ ଏହି ଚୌକି ଦଳ ପାଇଁ ଖୁବ୍ ଭାଗ୍ୟଶାଳୀ। କାରଣ ଯେବେ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାଠ ଚୌକିରେ ବସିଥାନ୍ତି, ବିଜେପି କାନପୁରର ଆଖପାଖର ଆସନ ଜିତିଛି, ଏହା ସହ କେନ୍ଦ୍ର ଓ ପ୍ରଦେଶରେ ଦଳ ଅଦ୍ଭୂତପୂର୍ବ ସଫଳତା ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶନିବାର ଅର୍ଥାତ ୮ ମାର୍ଚ୍ଚ ରାଲି ପାଇଁ ପୁଣିଥରେ ଏହି କାଠ ଚୌକିକୁ ନୂଆ ରଙ୍ଗ କରି ରଖିଦିଆଯାଇଛି। ବିଜେପିର ନେତାଙ୍କ ଇଛା ଯେ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ଏହି କାଠ ଚୌକିରେ ବସନ୍ତୁ ଓ କେନ୍ଦ୍ରରେ ମୋଦି ସରକାର ଗଠନ ହେଉ।

ବିଜେପି କାନପୁର ଜିଲ୍ଲା ଅଧ୍ୟକ୍ଷ ସୁରେନ୍ଦ୍ର ମୈଥାନି କହିଛନ୍ତି ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ନିଜର ପ୍ରଥମ ବିଜୟ ଶଙ୍ଖନାଦ ରାଲି ୧୯ ଅକ୍ଟୋବର ୨୦୧୩ରେ ଇନ୍ଦିରା ନଗର ମୈଦାନରୁ କରିଥିଲେ। ସେତେବେଳେ ସେ ଏହି ଚୌକିରେ ପ୍ରଥମ ଥର ବସିଥିଲେ। ଏହାପରେ ଅପ୍ରେଲ ୨୦୧୪ରେ କୋୟଲା ନଗରରେ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ରାଲିରେ ମୋଦି ଏହି କାଠ ଚୌକି ଉପରେ ବସିଥିଲେ। ଏହାପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେପ୍ଟେମ୍ବର ୨୦୧୬ ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନିରାଲ ନଗର ମୈଦାନରେ ଏକ ନିର୍ବାଚନୀ ସଭା କରିଥିଲେ। ସେଠାରେ ମଧ୍ୟ ସେ ଏହି କାଠ ଚୌକିରେ ବସିଥିଲେ। ୨୦୧୭ରେ ଉତ୍ତର ପ୍ରଦେଶରେ ସଂଖ୍ୟା ଗରିଷ୍ଠତାର ସହ ବିଜେପି ସରକାର ଗଠନ ହୋଇଥିଲା।

ବିଜେପି ନେତାମାନେ ବିଶ୍ବାସ କରନ୍ତି ଯେ, ଯେତେବେଳେ ଏହି ଚୌକିରେ ବସିଥାନ୍ତି ରାଜ୍ୟରେ ଓ କେନ୍ଦ୍ରରେ ଦଳ ବିଜୟୀ ହୋଇଥାଏ। ତେଣୁ ବିଜେପି ଏହି ଚୌକିକୁ ସେହି ଡିଲରଙ୍କ ପାଖରୁ କିଣିଥଲା ଯିଏ ରାଲି ପାଇଁ ଏହାକୁ ଦେଇଥିଲେ। ଏହାପରେ ବିଜେପି କାର୍ଯ୍ୟାଳୟରେ କାଚ ବାକ୍ସ ଭିତରେ ମୂଲ୍ୟବାନ ସମ୍ପତ୍ତି ଭାବରେ ଏହାକୁ ରଖି ଦିଆଯାଇଛି। ଯାହାକି ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରହିଛି।