ମହଙ୍ଗା ପଡ଼ିଲା ଥାନା ପରିସରରେ ଗୁଣ୍ଡାଗର୍ଦି: ଜେଲ୍‌ ଗଲେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ

ଖଡ଼ିଆଳ ୩/୦୧: ଥାନା ପରିସରରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା ଖଡ଼ିଆଳ ବ୍ଲକ୍‌ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ । ପୁତୁରା ପାଇଁ ଓକିଲାତି କରିବାକୁ ଯାଇ ନିଜେ ବନ୍ଧାହେଲେ ଶ୍ରୀ ଶବର । ମାର୍‌ପିଟ୍‌ ଅଭିଯୋଗରେ ଆଜି ଖଡ଼ିଆଳ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସମାନ ଅଭିଯୋଗରେ ପୂର୍ବରୁ ତାଙ୍କ ପୁତୁରା ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି ।

ଶ୍ରୀ ଶବର ଡିସେମ୍ବର ୩୦ ତାରିଖ ଖଡ଼ିଆଳ ଏନ୍‌ଏସି ଅନ୍ତର୍ଗତ ପୁଟୁପଡ଼ାର ସନ୍ତୋଷ ନାଇଡୁ(୬୧)ଙ୍କୁ ଥାନା ପରିସରରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା । ସେହିଦିନ ସନ୍ଧ୍ୟାରେ ବ୍ଲକ୍‌ ଅଧ୍ୟକ୍ଷଙ୍କ ପୁତୁରା ପ୍ରଲେନ୍ଦୁ ଶବର (୧୯) ସନ୍ତୋଷଙ୍କ ପୁଅ ସୁନୀଳ ନାଇଡୁ (୨୩) ଅଟୋ ଚଲାଇ ଯାଉଥିବାବେଳେ ତାଙ୍କୁ ସାପ୍ତାହିକ ବଜାରପଡ଼ା ପାଖରେ ଅଟକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଘଟଣା ପରେ ସୁନୀଳର ପରିବାର ଥାନାରେ ପ୍ରଲେନ୍ଦୁ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ଶବର ମଧ୍ୟ ଥାନାରେ ପହଞ୍ଚିଥିଲେ । ତାଙ୍କ ପୁତୁରାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଦର୍ଶାଇ ସୁନୀଳର ବାପା ସନ୍ତୋଷକୁ ଥାନା ପରିସରରେ ଚାପୁଡ଼ା ମାରିଥିବା ବ୍ଲକ୍‌ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ସନ୍ତୋଷ ଏନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ସନ୍ତୋଷଙ୍କ ଅଭିଯୋଗ ଆଧାରରେ ଖଡ଼ିଆଳ ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ସମୟରେ ପ୍ରଲେନ୍ଦୁକୁ କୋର୍ଟଚାଲାଣ କରାଯାଇଥିବାବେଳେ ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ବ୍ଲକ୍‌ ଅଧ୍ୟକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବିଭିନ୍ନ ମହଲରେ ପୁଲିସର କାର୍ଯ୍ୟପନ୍ଥାକୁ ନେଇ ସମାଲୋଚନା କରାଯାଇଥିଲା । ଶେଷରେ ଆଜି ଖଡ଼ିଆଳ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଶ୍ରୀ ଶବରଙ୍କୁ ଘରୁ ଆଣି ଜେରା କରିଥିଲା । ପରେ ଗିରଫ କରି କୋର୍ଟଚାଲାଣ କରିଥିଲା । ଶ୍ରୀ ଶବରଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପ୍ରକାଶ ଯେ ପୂର୍ବରୁ ମଧ୍ୟ ବିବାଦୀୟ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚା ପରିସରରେ ରହି ଆସିଛନ୍ତି ଖଡ଼ିଆଳ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶବର । ପଞ୍ଚାୟତ ସମିତି ସଭ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ଲୋକସଭା ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ହୋଇଥିଲା । ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆସ୍ଥା ଭୋଟ୍‌ ଗ୍ରହଣ କରାଯାଇଥିଲା । ହେଲେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ତାର ଫଳାଫଳ ଘୋଷଣା ହୋଇନଥିଲା । ଏବେ ଅପେକ୍ଷା ହାଇକୋର୍ଟଙ୍କ ରାୟ ଉପରେ । ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି ରହିଛି । ଦେଖିବାକୁ ବାକି ରହିଲା ରାୟ ବ୍ଲକ୍‌ ଅଧ୍ୟକ୍ଷଙ୍କ ସପକ୍ଷରେ ଯାଉଛି ନା ବିପକ୍ଷରେ ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ବର୍ଷକ ତଳର ମୃତ ଝିଅକୁ ଜୀବିତ ଘୋଷଣା କଲା ସିଡବ୍ଲ୍ୟୁସି

ବୋଲେରୋ ଗାଡିରୁ ୧୧ ବସ୍ତା ଗଞ୍ଜେଇ ଜବତ : ଡ୍ରାଇଭର ଓ ହେଲ୍‌ପର ଫେରାର୍

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ନଳକୂଅ ଖୋଳା ବେଳେ ଅଘଟଣ: ୩୦ ଫୁଟ୍‌ ଉପରକୁ ଉଠିଲା ଗରମ ବାଲି ଓ ପାଣି, ଭୂମିକମ୍ପ ଭଳି ଦୋହଲିଲା ମାଟି