ୱାଟ୍‌କୋ ଜିଏମ୍‌ଙ୍କ ବିରୋଧରେ ବିଏମ୍‌ସିର ଏତଲା: ସାଲିଆ ସାହିରେ ଖୋଳିଲେ, ମରାମତି କଲେନି

ଭୁବନେଶ୍ୱର ୧୪/୯ : ସାଲିଆ ସାହିରେ ରାସ୍ତାକୁ ଖୋଳି ତାଡ଼ି ପକାଇ ଦେଲେ । ପାଇପଲାଇନ୍‌ ବିଛାଇବା ନାଁରେ ୫ କିଲୋମିଟର ଲମ୍ବା ଲେନ୍‌ ଓ ଗଳି ରାସ୍ତା ଖୋଳି ପକାଇଲେ । କିନ୍ତୁ ଆଉ ମରାମତି କଲେନି । ଏବେ ସାହି ଭିତରକୁ ଆଉ ସଫେଇ ଗାଡି କି ସେସପୁଲ ଗାଡ଼ି ପଶି ପାରୁନି । ଯାତାୟତରେ ଗୁରୁତର ସମସ୍ୟା ହେଉଛି । ଏହାକୁ ନେଇ ବିଏମ୍‌ସି ଆଜି ପାଇପଲାଇନ୍‌ ଖୋଳିବା ଦାୟିତ୍ୱରେ ଥିବା ୱାଟ୍‌କୋ ଜିଏମଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ।
 

ବିଏମ୍‌ସିର ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ ଆଜି ସାଲିଆ ସାହିକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ସେଠାରେ ବସ୍ତିର ବିପର୍ଯ୍ୟସ୍ତ ପରିମଳ ଚିତ୍ର ଦେଖିଥିଲେ । ଏହାର କାରଣ ଖୋଜିବାରୁ ରାସ୍ତା ନଥିବାରୁ ସଫେଇ ଗାଡ଼ି ବସ୍ତି ଭିତରକୁ ପଶିପାରୁନି ବୋଲି ସ୍ଥାନୀୟ ଲୋକେ କହିଥିଲେ । ଏଥିପାଇଁ ଲୋକଙ୍କ ଯାତାୟତରେ ବି ସମସ୍ୟା ହେଉଛି । ଅତିରିକ୍ତ କମିଶନର ସ୍ଥାନୀୟ ଲୋକେ ଓ ବିଏମ୍‌ସି ଅଧିକାରୀଙ୍କଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାକୁ ଖୋଳିତାଡ଼ି ପକାଇଥିବା ଏଜେନ୍ସୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
 

ବିଏମ୍‌ସି ଉତ୍ତର ଜୋନ୍‌ର ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଏହାକୁ ନେଇ ପାଇପଲାଇନ୍‌ ଖୋଳିଥିବା ୱାଟ୍‌କୋର ଡିଭିଜନ-୧ ଜିଏମ୍‌ ସରୋଜ କୁମାର ପାତ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ନୂଆପଲ୍ଲୀ ଥାନାରେ ଏତଲା ଦିଆଯାଇଛି । ଜଳଯୋଗାଣ ନିଗମ ୱାଟ୍‌କୋ ୫ ମାସ ତଳେ ସାଲିଆ ସାହି ଭିତର ରାସ୍ତାକୁ ଖୋଳିଥିଲା । ପାଇପଲାଇନ୍‌ ବିଛାଇବା ପାଇଁ ପ୍ରାୟ ୫ କିଲୋମିଟର ରାସ୍ତା ଖୋଳା ଯାଇଥିଲା । କାମ ସରିବା ପରେ ଏହାକୁ ମରାମତି କରିବା କଥା । କିନ୍ତୁ ମରାମତି ନ କରି ସେମିତି ଅବସ୍ଥାରେ ପକାଇ ଦେଇଥିଲେ । ଆଜିସୁଦ୍ଧା ଏହାକୁ ମରାମତି କରାଯାଇନି ୱାଟ୍‌କୋ ଅଧିକାରୀଙ୍କ ଅଣଦେଖା ପାଇଁ ସ୍ଥାନୀୟ ଲୋକେ ନାକେଦମ୍‌ ହେଉଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି ।
 

ସୂଚନା ଯେ, ଗତ ୯ ତାରିଖରେ ବିଏମସିରେ ବସିଥିବା ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ସହରର ପରିମଳ ଓ ରାସ୍ତା ମରାମତି ଉପରେ ଆଲୋଚନା ହୋଇଥିଲା । ସହରକୁ ୧୩ଟି ସବ୍‌ଜୋନ କରି ଏହା ଦାୟିତ୍ୱରେ ଅଧିକାରୀଙ୍କୁ ରଖାଯାଇଛି । ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିବାକୁ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ

କରୋନା ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର: ଭୁବନେଶ୍ବରରୁ ହାଇଦ୍ରାବାଦ ଯିବା ପାଇଁ ନୟାପଲ୍ଲୀ ରାସ୍ତାରେ ହେଲା ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା

ପୁଣି ୧୮ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨ଶହ ଟପିଲା

ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଡେଇଁଲା

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ