ଭାଇରାଲ ଅଡିଓ ଖବର ପ୍ରସଙ୍ଗ: ସାତ ଦିନ ମହଲତ ମାଗିଲା ଓଟିଭି

ଭୁବନେଶ୍ୱର,୯/୦୮: କୋଭିଡ ହସ୍ପିଟାଲ ସମ୍ପର୍କରେ ମିଛ ଖବର ପ୍ରସାରଣ ପ୍ରସଙ୍ଗରେ କ୍ୟାପିଟାଲ୍‌ ଥାନାରେ ହାଜର ହୋଇନାହାନ୍ତି ଓଟିଭି (ଓଡ଼ିଶା ଟେଲିଭିଜନ୍‌) ନ୍ୟୁଜ୍‌ ଚ୍ୟାନେଲ ପରିଚାଳକ । ନିଜ ପକ୍ଷ ରଖିବା ପାଇଁ ଚ୍ୟାନେଲ ପକ୍ଷରୁ ୭ ଦିନ ସମୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ଚ୍ୟାନେଲ୍‌ର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ପରିଡ଼ା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସଂପୃକ୍ତ ଚ୍ୟାନେଲ ଏହି ମହଲତ ମାଗିଥିବା ଜଣାପଡ଼ିଛି । ହେଲେ ପୁଲିସ ୭ ଦିନ ମହଲତ ନଦେଇ ରବିବାର ଦିନ ୧୧ଟା ସୁଦ୍ଧା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ସମୟ ମଧ୍ୟରେ ନ ପହଞ୍ଚିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍‌ ପୁଲିସ ସ୍ପଷ୍ଟ କରିଛି । ଓଟିଭି ମିଥ୍ୟା ଖବର ପ୍ରସାର କରୁଛି ବୋଲି ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ବିଏମ୍‌ସି । ଅଭିଯୋଗ ଆଧାରରେ ସମ୍ପୃକ୍ତ ଚ୍ୟାନେଲକୁ ନୋଟିସ୍‌ କରିଥିଲା ପୁଲିସ୍‌ ।

ଓଟିଭିର ସ୍ପଷ୍ଟୀକରଣ

ଘଟଣାରେ ସ୍ପଷ୍ଟୀକରଣ ଦେଇ ଓଟିଭି କହିଛି, ଅଗଷ୍ଟ ୬ ତାରିଖରେ ଏକ ଅଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା । ଉକ୍ତ ଅଡିଓରେ ଜଣେ କରୋନା ରୋଗୀ ନିଜ ବନ୍ଧୁଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ରହିବା ସମୟରେ ନିଜ ଅନୁଭୁତି ବର୍ଣ୍ଣନା କରୁଛନ୍ତି । ଏ ଖବର ପ୍ରସାରଣ ସମୟରେ ଏହା ଏକ ଭାଇରାଲ୍‌ ଅଡିଓ ବୋଲି ଓଟିଭି ସ୍ପଷ୍ଟ କରିଥିଲା । ଏସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ତୁରନ୍ତ ପୋଷ୍ଟ କରିବୁ । କୋଭିଡ୍‌ ସମୟରେ ସମସ୍ତ ସରକାରୀ ତଥ୍ୟ ଓ ସୂଚନାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟା ବ୍ୟବସ୍ଥା ନିକଟରେ ପହଞ୍ଚାଇବା ଯେକୌଣସି ଗଣମାଧ୍ୟମର କର୍ତ୍ତବ୍ୟ । ଆମେ ଆମ ଦାୟିତ୍ୱ, କର୍ତ୍ତବ୍ୟରୁ କେବେ ବିଚ୍ୟୁତି ହୋଇନାହୁଁ ବୋଲି ଓଟିଭି ସ୍ପଷ୍ଟ କରିଛି ।

   ସମ୍ବନ୍ଧିତ ଖବର


ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଡେପୁଟି କଲେକ୍ଟରଙ୍କ ବିରୋଧରେ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ରିୟାଙ୍କ ଏଫଆଇଆଇ ସିବିଆଇ ନିକଟରେ ପହଁଞ୍ଚିଲା, ସୁଶାନ୍ତଙ୍କ ଭଉଣୀଙ୍କୁ ଯେକୌଣସି ସମୟରେ ପଚରାଉଚରା ପାଇଁ ଡକାଯାଇପାରେ