PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

୯୪ ବିବାହ ମଣ୍ଡପକୁ ବିଏମ୍‌ସିର ସାନି ନୋଟିସ୍‌, ତ୍ରୁଟି ନ ସଜାଡ଼ିଲେ ଫେବ୍ରୁଆରୀରେ ସିଲ

ଭୁବନେଶ୍ୱର ୨୫/୧୨: ଆବଶ୍ୟକ ଅନୁମତି ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଚାଲିଥିବା ବିବାହ/କଲ୍ୟାଣ ମଣ୍ଡପକୁ ସିଲ୍‌ ପାଇଁ ଅଣ୍ଟା ଭିଡ଼ିଛି ବିଏମ୍‌ସି । ଆସନ୍ତା ୩୧ ଜାନୁୟାରୀ ୨୦୨୦ସୁଦ୍ଧା ଆବଶ୍ୟକ ଅନୁମତି, ପାର୍କିଂ ସୁବିଧା, ବର୍ଜ୍ୟ ପରିଚାଳନା ଓ ଡ୍ରେନେଜ୍‌ ସୁବିଧା କରିବାକୁ ନୋଟିସ୍‌ ଜାରି ହୋଇଛି । ଏହି ସମୟ ଭିତରେ ତ୍ରୁଟି ନ ସଜାଡିଲେ କଲ୍ୟାଣ ମଣ୍ଡପକୁ ସିଲ୍‌ କରାଯିବ ବୋଲି କଡ଼ା ଚେତାବନୀ ଦେଇଛି ବିଏମ୍‌ସି ।

ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ, ପାର୍କିଂ ସୁବିଧା, ପାର୍କିଂ ପାଇଁ ଯଥେଷ୍ଟ ସ୍ଥାନ, ଟ୍ରେଡ୍‌ ଲାଇସେନ୍ସ, ଆବାସିକ ଓ ବ୍ୟବସାୟିକ ଆଧାରରେ ହୋଲ୍ଡିଂ ଟିକସ ଆକଳନ, ବର୍ଜ୍ୟ ପରିଚାଳନା ଓ ଡ୍ରେନେଜ୍‌ ସୁବିଧା ଭଳି ମାପଦଣ୍ଡକୁ ନେଇ ବିଏମ୍‌ସି ବେଆଇନ କଲ୍ୟାଣ ମଣ୍ଡପର ତାଲିକା ପ୍ରସ୍ତୁତ କରିଛି । ଏଥିରେ ସହରରେ ଥିବା ଅଧିକାଂଶ କଲ୍ୟାଣ ମଣ୍ଡପ ଅନୁମତି ନ ନେଇ ମଣ୍ଡପ ଚଲାଇଥିବା ଜଣାପଡିଛି । କାହାର ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ନାହିଁ ତ’ ଆଉ କିଏ ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ ଚଳାଇଛନ୍ତି । ସବୁଥୁ ସାଙ୍ଘାତିକ ହେଉଛି ବିନା ପାର୍କିଂ ସୁବିଧାରେ ଅଧିକାଂଶ ମଣ୍ଡପ ଚାଲିଛି । ରାସ୍ତାକଡ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି ମଣ୍ଡପଗୁଡିକରେ ପାର୍କିଂ ସୁବିଧା ଓ ଯଥେଷ୍ଟ ସ୍ଥାନ ନଥିବାରୁ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହେଉଛି ।

ଡେପୁଟି ଜୋନାଲ କମିଶନରଙ୍କ ସାନି ସର୍ଭେ ଅନୁସାରେ ସହରରେ ମୋଟ ୯୪ଟି ମଣ୍ଡପ ବେଆଇନ ଭାବେ ଚାଲିଥିବା ଜଣାପଡିଛି । ବିଏମ୍‌ସି ସେମାନଙ୍କ ତାଲିକା ପ୍ରକାଶ କରିଛି । ଉତ୍ତର ଜୋନ୍‌ରେ ୩୦ଟି, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୩୦ଟି ଓ ଦକ୍ଷିଣ-ପୂର୍ବ ଜୋନ୍‌ରେ ୩୪ଟି ମଣ୍ଡପ ଆବଶ୍ୟକ ଅନୁମତି ଓ ଭିତ୍ତିଭୂମି ସୁବିଧା ରଖିନାହାନ୍ତି ।

୯୪ ମଣ୍ଡପରୁ ୫୩ଟି ମଣ୍ଡପର ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ନାହିଁ । ବାକି ଯେଉଁ ୪୧ଟି ମଣ୍ଡପର ବିଲ୍ଡିଂ ପ୍ଲାନ୍‌ ଅଛି ସେଥିରୁ ଅଧିକାଂଶ ଆବାସିକ କୋଠା ଭାବରେ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ପାଇଛନ୍ତି । ମାତ୍ର ୧୪ଟି ମଣ୍ଡପକୁ ଛାଡି ଦେଲେ ୮୦ ମଣ୍ଡପରେ କୌଣସି ପାର୍କିଂ ସୁବିଧା ନାହିଁ । ଅର୍ଥାତ୍‌ ଏହି ମଣ୍ଡପ ମାଲିକମାନେ ଲୋକଙ୍କୁ ରାସ୍ତାକଡ଼ରେ ପାର୍କିଂ କରିବାକୁ ବାଧ୍ୟ କରୁଛନ୍ତି । ପାର୍କିଂ ସୁବିଧା ନଥିବାରୁ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ସମୟରେ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ସଙ୍କୁଚିତ ହୋଇ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ହେଉଛି ।

ଆସନ୍ତା ଜାନୁୟାରୀ ୩୧ ତାରିଖ ସୁଦ୍ଧା ସରକାରୀ ନିୟମ ମୁତାବକ ସମସ୍ତ ପ୍ରକାର ଅନୁମୋଦନ ଓ ଭିତ୍ତିଭୂମି ସୁବିଧା କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ଏହି ସମୟସୀମା ଭିତରେ ଯେଉଁ କଲ୍ୟାଣ ମଣ୍ଡପ ଆବଶ୍ୟକ ଅନୁମତି ନେଇନଥିବେ ବିଏମ୍‌ସି ତାକୁ ସିଲ୍‌ କରିବ ବୋଲି ଚେତାଇ ଦେଇଛି ।

ତେବେ ଦକ୍ଷିଣ-ପୂର୍ବ ଜୋନ୍‌ରେ ଆହୁରି ୧୧ଟି କଲ୍ୟାଣ ମଣ୍ଡପକୁ ଏଯାଏ ଯାଞ୍ଚ କରାଯାଇନି । ଆସନ୍ତା ୨୭ ତାରିଖ ସୁଦ୍ଧା ଏହାକୁ ଯାଞ୍ଚ ରିପୋର୍ଟ ଆସିବ ବୋଲି ଦକ୍ଷିଣ-ପୂର୍ବ ଜୋନାଲ୍‌ ଡେପୁଟି କମିଶନର କହିଛନ୍ତି । ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ବିଏମ୍‌ସି କମିଶନରଙ୍କୁ ଚିଠି ଲେଖି ସହରରେ ଥିବା ବେଆଇନ ବିବାହ ମଣ୍ଡପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଏମ୍‌ସି ବେଆଇନ ମଣ୍ଡପ ତାଲିକା କରି ଚଢଉ ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ମଣ୍ଡପରେ ବୁକିଂ କରିଥିବା ଲୋକେ ଏହି ନିଷ୍ପତ୍ତି ବିରୋଧରେ ବିଏମ୍‌ସି କମିଶନର ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ମଣ୍ଡପ ମାଲିକମାନେ ମଧ୍ୟ ମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଥିଲେ।