ଅଡୁଆ ବିବାହ ବୁକିଂ! ଅଟକିଲା କଲ୍ୟାଣ ମଣ୍ଡପ ସିଲ୍‌

ଭୁବନେଶ୍ୱର ୭/୧୨: ରାଜଧାନୀରେ ଚାଲୁଥିବା ଅଧିକାଂଶ କଲ୍ୟାଣ ମଣ୍ଡପ ବେଆଇନ। କାହାର ପ୍ଲାନ୍‌ ଅନୁମୋଦନ ନାହିଁ ତ’ ଆଉ କିଏ ଟ୍ରେଡ୍‌ ଲାଇସେନ୍ସ କରିନି। କାଁଭାଁ କିଛି ଛାଡ଼ିଦେଲେ ପାର୍କିଂ କରିବାକୁ କେଉଁଠି ଜାଗା ନାହିଁ । ରାସ୍ତାରେ ଗାଡ଼ି ପାର୍କିଂ ହେଉଛି । ଟ୍ରାଫିକ ସମସ୍ୟା ଗୁରୁତର ହେଲାଣି । ଏସବୁ ଅଭିଯୋଗର ଅକାଟ୍ୟ ପ୍ରମାଣ ପାଇବା ପରେ ବିଏମ୍‌ସି ବେଆଇନ କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଲୋକେ ବିବାହ ପାଇଁ ମଣ୍ଡପ ବୁକିଂ କରିଥିବାରୁ ମଣ୍ଡପ ସିଲ୍‌ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛି ବିଏମ୍‌ସି ।
  

ଏବେ ବିବାହ ଋତୁ ଚାଲିଛି । ପୁଅ, ଝିଅ ଓ ଅନ୍ୟ ସମ୍ପର୍କୀୟଙ୍କ ବାହାଘର ପାଇଁ ଲୋକେ ବିଭିନ୍ନ ବିବାହ ମଣ୍ଡପକୁ ବୁକିଂ କରି ସାରିଛନ୍ତି । କେହି କେହି ୨/୪ ମାସ ଆଗରୁ ମଣ୍ଡପ ବୁକିଂ କରିସାରିଛନ୍ତି । କିନ୍ତୁ ବିଏମ୍‌ସି ଯାଞ୍ଚରୁ ସହରର ୮୦ଟି ମଣ୍ଡପ ନିୟମ ପାଳନ କରୁନଥିବା ଜଣାପଡିଥିଲା । ଆଇନ ଉଲଙ୍ଘନ ପାଇଁ ଏହି ସବୁ ମଣ୍ଡପକୁ ସିଲ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା । ସଂପୃକ୍ତ ଡେପୁଟି ଜୋନାଲ କମିଶନରମାନେ ନିଜ ଜୋନ୍‌ରେ ଥିବା ମଣ୍ଡପକୁ ନୋଟିସ୍‌ କରିଥିଲେ । ବେଆଇନ ମଣ୍ଡପ ସିଲ୍‌ ପାଇଁ ଜୋନ୍‌ୱାରୀ ସ୍ୱତନ୍ତ୍ର ଟିମ୍‌ ଗଢାଯାଇଥିଲା । ଆଜିଠାରୁ ସିଲ୍‌ ଅଭିଯାନ ଆରମ୍ଭ ହୋଇଥାଆନ୍ତା । କିନ୍ତୁ ଏହି ଖବର ପ୍ରଚାରିତ ହେବା ମାତ୍ରେ ଆଗରୁ ମଣ୍ଡପ ବୁକିଂ କରିଥିବା ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା ।
  

ଗତକାଲି ବିଏମ୍‌ସି ଅଫିସ୍‌ ଖୋଲିବା ଆଗରୁ ବୁକିଂ କରିଥିବା ଲୋକେ ଆସି ଲାଇନ୍‌ ଲଗାଇଥିଲେ । ମୁଖ୍ୟାଳୟ ସମେତ ଜୋନ୍‌ ଅଫିସ୍‌ରେ ବି ପ୍ରବଳ ଭିଡ଼ ହୋଇଥିଲା । ଲୋକେ ସେମାନଙ୍କ ଅଭିଯୋଗ ଜଣାଇଥିଲେ । ମଣ୍ଡପ ଏବେ ସିଲ୍‌ କଲେ ବିବାହ ଆୟୋଜନରେ ସମସ୍ୟା ହେବ । ଶେଷ ମୁହୂର୍ତ୍ତରେ ବୁକିଂ ବାତିଲ କଲେ ଅଡୁଆ ପରିସ୍ଥିତି ଉପୁଜିବ । ଏଣୁ ଆଗୁଆ ବୁକିଂ କରିଥିବା ଲୋକଙ୍କ ପାଇଁ ସିଲ୍‌ ନିଷ୍ପତ୍ତିକୁ ସାମିୟକ ଭାବେ ସ୍ଥଗିତ ରଖାଯାଉ ବୋଲି ଲୋକେ ଅଭିଯୋଗ କରିଥିଲେ ।
 

 ବିଏମ୍‌ସି କମିଶନର ଛୁଟିରେ ଥିବାବେଳେ ଅନ୍ୟ ଉପରିସ୍ଥ ଅଧିକାରୀମାନେ ଏହାକୁ ନେଇ ଦୋଛକିରେ ପଡିଥିଲେ । ତେବେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏବେ ପାଇଁ ସିଲ୍‌ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ନୋଟିସ୍‌ ପାଇଥିବା କୌଣସି ମଣ୍ଡପ ଆଉ ନୂଆ ବୁକିଂ ରଖି ପାରିବେନି। ଏ ନେଇ ସେମାନଙ୍କୁ ସାନି ନୋଟିସ୍‌ ହେବ । ବିଏମ୍‌ସି କମିଶନର ଫେରିବା ପରେ ମଣ୍ଡପ ସିଲ୍‌ ନିଷ୍ପତ୍ତି ନିଆଯିବ ବୋଲି ବିଏମସି ସୂତ୍ରରୁ ଜଣାପଡିଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

୨୪ ଘଣ୍ଟାରେ ଆଉ ୭୩୦ ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ରେ ପହଞ୍ଚିଲା

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା