ଆରମ୍ଭ ହେବ ବୋଟ୍ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର,୨୮ ।୨(ବ୍ୟୁରୋ): ସ୍ଥଳପଥ ଭଳି ପାଣିରେ ବି ଚାଲିବ ଆମ୍ବୁଲାନ୍ସ । ୧୦୮ କୁ ଫୋନ୍ କରି ମାଗଣାରେ ଆମ୍ବୁଲାନ୍ସ ସେବା ପାଇପାରିବେ ବିଚ୍ଛିନାଞ୍ଚଳ ଲୋକ । ଆମ୍ବୁଲାନ୍ସରେ ସବୁ ଅତ୍ୟାଧୁନିକ ସୁବିଧା ରହିବ । ଅକ୍ସିଜେନ୍ଠୁ ଆରମ୍ଭ କରି ସବୁ ଆଡଭାନ୍ସ ଲାଇଫ୍ ସପୋର୍ଟ ବ୍ୟବସ୍ଥା ଆମ୍ବୁଲାନ୍ସରେ ରହିଛି । ଆମ୍ବୁଲାନ୍ସ ଆସି ସାରିଥିବା ବେଳେ ଖାଲି ଜେଟି ଲାଗିଲେ, ରୋଗୀ ପରିବହନରେ ଲାଗିବ ଆମ୍ବୁଲାନ୍ସ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ୬ ଟି ଆମ୍ବୁଲାନ୍ସ ଚାଲିବ । କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ୨ ଟି ଲେଖାଁଏ ଆମ୍ବୁଲାନ୍ସ ଚାଲିବ । ଏହାବାଦ୍ କୋରାପୁଟ୍ ଓ କଳାହାଣ୍ଡିରେ ମଧ୍ୟ ଗୋଟିଏ ଲେଖାଁଏ ଆମ୍ବୁଲାନ୍ସ ଚାଲିବ । ଚେନ୍ନାଇ ଆଇଆଇଟି ଏଥିପାଇଁ ବୈଷୟିକ ପରାମର୍ଶ ଦେଇଥିବା ବେଳେ ମହିନ୍ଦ୍ରା ମେରାଇନ୍ ଏହାର ନିର୍ମାଣ କରିଛି । ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ତିଆରି ୩ ମାସରୁ ଅଧିକ ସମୟ ଲାଗିଛି । ଗୋଟିଏ ଆମ୍ବୁଲାନ୍ସ ପାଇଁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବୋଟ୍ ଆମ୍ବୁଲାନ୍ସ ଚଲାଇବାକୁ ଜଣେ ଡ୍ରାଇଭର ସହ ଫାର୍ମାସିଷ୍ଟ ରହିବେ । ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ଆବଶ୍ୟକ ହେଲେ ପ୍ରାଥମିକ ଚିକିତ୍ସା ମଧ୍ୟ ଦେଇପାରିବେ ଫାର୍ମାସିଷ୍ଟ । ଏହାର ପରିଚାଳନା ଦାୟିତ୍ୱ ଜିକିତ୍ସା ହେଲଥ୍ କେୟାର କରିବ ।
ରାଜ୍ୟର ଅନେକ ଅଞ୍ଚଳ ରହିଛି, ଯେଉଁଠି ରାସ୍ତାଘାଟ ନାହିଁ । ଏଭଳି ଅଞ୍ଚଳରେ ରୋଗୀ ପରିବହନ ପାଇଁ ସମସ୍ୟା ଆସୁଥିଲା । ଲୋକେ ପାଣିରେ ପଶି ଆଉ ଡଙ୍ଗାରେ ବିପଦସଂକୁଳ ଅବସ୍ଥାରେ ହସ୍ପିଟାଲ ପରିବହନ କରୁଥିବା ଦେଖାଯାଇଥିଲା । ତେଣୁ ପାଣିରେ ରୋଗୀ ପରିବହନ ପାଇଁ ଦୁଇ ବର୍ଷ ତଳେ ଯୋଜନା କରିଥିଲେ ସରକାର । ବୋଟ୍ ଆମ୍ବୁଲାନ୍ସରେ ରୋଗୀ ଆସିବା ପରେ ରୋଗୀଙ୍କୁ ସେଠାରୁ ନେଇ ହସ୍ପିଟାଲରେ ପହଞ୍ଚାଇବାକୁ ଆଉ ଏକ ଆମ୍ବୁଲାନ୍ସ ରହିବ । ଏହା ହେଲେ ରୋଗୀ ଅନେକ ମାତ୍ରାରେ ସୁରକ୍ଷିତ ଭାବେ ପରିବହନ ହୋଇପାରିବେ । ଏ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ବୋଟ୍ ଆମ୍ବୁଲାନ୍ସ ଚାଲିଲେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେବାରେ ସେତୁ ଭଳି କାମ କରିବ ।