ଆପ୍‌ରେ ହେବ ଚିଲିକା ପାଇଁ ଅନ୍‌ଲାଇନ୍‌ ଡଙ୍ଗା ବୁକିଂ, ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁବିଧା

ପୁରୀ ୩୦/୧୦: ଚିଲିକା ଭ୍ରମଣ କରିବାକୁ ଚାହୁଥିବା ପର୍ଯ୍ୟଟକମାନେ ମୋବାଇଲ୍‌ ଆପ୍‌ରେ ଡଙ୍ଗା ବୁକିଂ କରିପାରିବେ । ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଏହି ସୁବିଧା ଉପଲବ୍ଧ ହେବ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହି ମୋବାଇଲ ଆପ୍‌ ଲୋକାର୍ପଣ କରିବ । ଫଳରେ ଆଉ ଚିଲିକାରେ ପହଞ୍ଚିିବା ପରେ ଡଙ୍ଗା ବୁକିଂ ଜନିତ କଷ୍ଟ ଓ ଶୋଷଣର ଶିକାର ହେବାକୁ ପଡ଼ିବ ନାହିଁ । ପୁରୀ ସର୍କିଟ ହାଉସ୍‌ଠାରେ ଡଙ୍ଗା ମାଲିକଙ୍କ ସହ ବୈଠକ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୁରୀ ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ ଯୋଗଦେଇ ଯାତ୍ରୀ ଯେପରି ଚିଲିକା ଭ୍ରମଣର ଭଲ ଅନୁଭୂତି ନେଇ ଫେରିବେ ସେ ନେଇ ଡଙ୍ଗା ମାଲିକ ସଂଘ ମୁଖିଆ ଓ କର୍ମକର୍ତ୍ତାଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଡଙ୍ଗା ପଞ୍ଜୀକରଣ ଓ ନବୀକରଣ ସହ ମୋଟର ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କୌଣସି ମତେ ଯାତ୍ରୀଙ୍କ ଜୀବନ ବିପଦରେ ନ ପଡୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଡଙ୍ଗାରେ ଚିଲିକା ବୁଲିବାକୁ ଯାଉଥିବା ବ୍ୟକ୍ତିଙ୍କ ସମେତ ଚାଳକ ଯେପରି ଲାଇଫ ଜ୍ୟାକେଟ ପରିଧାନ କରିବେ ସେ ନେଇ ଡଙ୍ଗା ମାଲିକ ଓ ଚାଳକଙ୍କୁ ପରାମର୍ଶ ଦିଆଯାଇଥିଲା ।

ଖୁବ୍‌ ଶୀଘ୍ର ଡଙ୍ଗା ମାଲିକ ଓ ଅନ୍ୟ ଅଂଶୀଦାରମାନଙ୍କ ମତାମତ ନିଆଯାଇ ଏକ ଆପ୍‌ ବିକଶିତ କରାଯିବ । ଏହା ଦ୍ୱାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ । ଡଙ୍ଗାରେ ବିଭିନ୍ନ ସ୍ଥାନରେ ବୁଲିବା ଦର ତାଲିକା ପ୍ରଦର୍ଶିତ କରାଯିବ । ନକଲି ମୋତି କାରବାର କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ସ୍ଥଳେ ପ୍ରଶାସନ ନିଜ ଆଡୁ ମାମଲା ରୁଜୁ କରିବ । ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇ ଦେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ସ୍ଥାନୀୟ ଲୋକଙ୍କ ଆର୍ôଥକ ମାନଦଣ୍ଡ ସବଳ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ, ଜିଲ୍ଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଡଙ୍ଗା ମାଲିକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ।