ଏବର୍ଷ ଶୁଭିବନି ‘ବୋଲ୍‌ ବମ୍‌, ହରହର ବମ୍‌’

ଭୁବନେଶ୍ୱର,୩୦/୦୬: ‘ବୋଲବମ୍‌ ହର ହର ବମ୍‌, ଭୋଲା ବାବା ପାର୍‌ କରେଗା’ । ଏଥର ଶ୍ରାବଣରେ ଏ ଶବ୍ଦ ରାଜରାସ୍ତାରେ ଶୁଭିବନି । ଗେରୁଆ ବସ୍ତ୍ର ଘଣ୍ଟ,ଘଣ୍ଟି ଓ ଘାଗୁଡ଼ି ପିନ୍ଧି କାନ୍ଧରେ ପାଣିଭାର ନେଇ ଯାଉଥିବା କାଉଡ଼ିଆଙ୍କ ଲମ୍ବା ଧାଡ଼ି ବି ଦେଖିବାକୁ ମିଳିବନି । କାରଣ କରୋନା କଟକଣା ଏଥିରେ ବାଧକ ସାଜିବ । ଏଥିପାଇଁ ଶୈବ ପୀଠରେ ମଧ୍ୟ କୌଣସି ବିଶେଷ ଆୟୋଜନ ହେବାର ଆଶା ନାହିଁ । କୁଆଖାଇ, ମହାନଦୀ, ଦେବୀ ଓ ଅନ୍ୟାନ୍ୟ ନଦୀରୁ ଆଉ କାଉଡ଼ିଆମାନେ ପାଣି ନେଇ ଶୈବ ପୀଠକୁ ଯାଉଥିବା ମଧ୍ୟ ଦେଖାଯିବନି । ତେଣୁ ମାନସିକଧାରୀ କାଉଡ଼ିଆ ମାନଙ୍କ ମନରେ ଅଶେଷ ଯନ୍ତ୍ରଣା । ମହାଦେବଙ୍କ କରୁଣା ହେଲାନି, ସେଥିପାଇଁ ମାନସିକ ପୂରଣରେ କରୋନା କଟକଣା ପ୍ରତିବନ୍ଧକ ସାଜିଲା । ପୁଣି ଅପେକ୍ଷା ଆର ବର୍ଷକୁ ।

ବିଶ୍ୱାସ ରହିଛି ଯେ, ମାନସିକ ରଖି ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା ପୂରଣ ହୋଇଥାଏ । ଏଥିପାଇଁ ଅନେକ ଭକ୍ତ ଶୈବ ପୀଠକୁ ପାରିଭାର ନେଇ ଯାତ୍ରା କରିଥାଆନ୍ତି । କିଏ ୫ବର୍ଷ ତ ଆଉ କିଏ ୭ବର୍ଷ ନହେଲେ ୧୫ ବର୍ଷ ମାନସିକ ରଖି ଏହି ଜଳଯାତ୍ରାରେ ଯାଇଥାଆନ୍ତି । ରାଜଧାନୀର ଶ୍ରୀଲିଙ୍ଗରାଜ ମନ୍ଦିର, କଟକର ଗଡ଼ଗଡ଼ିଆ ମହାଦେବ, ନୟାଗଡ଼ର ଲଡ଼ୁକେଶ୍ୱର, ପୁରୀର ଶ୍ରୀ ଲୋକନାଥ ମନ୍ଦିର, ଢେଙ୍କାନାଳର ଶ୍ରୀ କପିଳାସ ମହାଦେବ, ଜଗତସିଂହପୁରର ଶ୍ରୀ ଗୋରେଖନାଥଙ୍କ ନିକଟକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳ ନେଇ ଯାଇଥାନ୍ତି । ହେଲେ ଏଥର ସେମାନଙ୍କ ଯାତ୍ରାରେ ଅଙ୍କୁଶ ଲାଗିବା ଜଳଜଳ ଦେଖାଯାଉଛି । ଅନ୍ୟପକ୍ଷରେ ମାନସିକ ପୂରଣ ପାଇଁ ଧାର୍ଯ୍ୟ ଥିବା ଅବଧି ଶେଷ ହୋଇନଥିବା ଭକ୍ତ ଏବେ ଚିନ୍ତାରେ ପଡ଼ିଛନ୍ତି । କ’ଣ କରିବେ, କେମିତି ଶୈବ ପୀଠରେ ପାଣି ଢାଳିବେ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ।

୨୫ ବର୍ଷରୁ ଅଧିକ ବର୍ଷ ହେବ ଓଡ଼ିଶାରେ ଲୋକପ୍ରିୟ ହୋଇଛି ଏହି ବୋଲ୍‌ବମ୍‌ ଯାତ୍ରା । ବହୁ ପୂର୍ବରୁ ମାରୱାଡି ସମ୍ପ୍ରଦାୟ ଓ ଅନ୍ୟ ରାଜ୍ୟର କିଛି ଅଣଓଡ଼ିଆ ଭକ୍ତ ଏହି ଯାତ୍ରା କରୁଥିଲେ । ସେମାନେ ଓଡ଼ିଶାରେ ପ୍ରବାସୀ ଭାବରେ ରହି ପାଣି ନେଇ ଶୈବ ପୀଠରେ ଢାଳୁଥିଲେ । କାଳକ୍ରମେ ଏମାନଙ୍କୁ ଅନୁସରଣ କରି ଓଡ଼ିଶାର ଅନେକ ଭକ୍ତ ଏହି ଯାତ୍ରାରେ ସାମିଲ ହେଲେ । ଧୀରେ ଧୀରେ ଯୁବପିଢି ଅଧିକ ମାତ୍ରାରେ ଏଥିପ୍ରତି ଆକୃଷ୍ଟ ହେଲେ । ୧୯୯୫ ମସିହା ପରଠାରୁ ରାଜଧାନୀର ଶୈବ ପୀଠମାନଙ୍କୁ କାଉଡ଼ିଆଙ୍କ ଆଗମନ ହେଲା । କ୍ରମଶଃ ଲକ୍ଷାଧିକ ଭକ୍ତ ବିଭିନ୍ନ ନଦୀରୁ ପାଣିଭାର ନେଇ ବିଭିନ୍ନ ଶୈବ ପୀଠରେ ଢାଳିବା ଆରମ୍ଭ କଲେ ।

ଏହି ଯାତ୍ରାରେ ଯାଉଥିବା ଭକ୍ତମାନେ ମାସକ ସାରା ଆମିଷ ଓ ପିଆଜ ରସୁଣ ତ୍ୟାଗ କରିଥାନ୍ତି । ଅଲଗା ରୋଷେଇ କରି ଖାଇବା ବି ନଜିର ରହିଛି । ଯେଉଁମାନଙ୍କ ପାଇଁ ସମ୍ଭବ ହୁଏ ସେମାନେ ମାସକ ଯାକ ଅରୁଆ ଖାଆନ୍ତି । ଅନ୍ୟମାନେ କେବଳ ସୋମବାର ଦିନ ଅରୁଆ ଖାଇ ବ୍ରତ ରଖିନ୍ତି । କାଉଡ଼ିଆମାନେ ମାସ ସାରା ନିଶଦାଢ଼ି କିମ୍ବା ଚୁଟି କାଟନ୍ତି ନାହିଁ । କାହାରି ଘରେ ବି ଖାଆନ୍ତି ନାହିଁ । ଏବର୍ଷ କରୋନା କଟକଣା ଯୋଗୁ ପାଣି ଢାଳିବା ସମ୍ଭବର ନହେଉଥିବାରୁ କେବଳ ଉପାସନା ରଖି ଠାକୁରଙ୍କୁ ଆରାଧନା କରାଯିବ ବୋଲି ଅନେକ ଭକ୍ତ ମତ ଦେଇଛନ୍ତି ।

ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୬ ତାରିଖରେ ପଡ଼ୁଛି । ଏତେ କମ୍‌ ସମୟ ଭିତରେ କେହି ଭକ୍ତ ପାଣି ନେଇ ଯିବାକୁ ପ୍ରସ୍ତୁତି ବି କରିନାହାନ୍ତି । କାରଣ କଟକଣା କୋହଳ ହେବାର ପ୍ରଶ୍ନ ଉଠୁନି । ଯଦିବା କେହି ଭକ୍ତ ନଦୀ ପଠାକୁ ଯାଇ ସେଠାରେ ଶିବ ଲିଙ୍ଗ ପ୍ରସ୍ତୁତ କରି ପାଣି ଢାଳିବାକୁ ଯୋଜନା କରୁଥିବେ ତାହା ମଧ୍ୟ ସାମାଜିକ ଦୂରତା ରକ୍ଷା ନିୟମ କଡ଼ାକଡ଼ି କାରଣରୁ ସମ୍ଭବ ହେବନି । ତେଣୁ ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଏବର୍ଷ ଶ୍ରାବଣୀ ଯାତ୍ରା ଅଟକି ଯାଇଥିବା ଚର୍ଚ୍ଚା ହେଉଛି ।

ଏବିଷୟରେ ଆମେ ବିଭିନ୍ନ ମନ୍ଦିର ଟ୍ରଷ୍ଟ ଓ ବୁଦ୍ଧିଜୀବୀଙ୍କ ମତାମତ ଲୋଡ଼ିଥିଲୁ । ସେମାନେ କହିଲେ ନଦୀରେ ବହୁ ସଂଖ୍ୟକ ଲୋକ ଏକତ୍ର ହୋଇ ଗାଧୁଆପାଧୁଆ କରି ପାଣି ଉଠାଇଲେ ସଂକ୍ରମଣର ଆଶଙ୍କା ରହିଛି । ତା’ପରେ ସୋମବାରରେ ମନ୍ଦିରକୁ ଜଳଲାଗି କରିବାକୁ ଆସିଲେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ନାହିଁ । ଲକ୍ଷାଧିକ ଭକ୍ତ ଏକତ୍ର ହେଲେ ସଂକ୍ରମଣ ବ୍ୟାପିବା ଭୟ ରହୁଛି । ଏହିସବୁ କଥାକୁ ଦୃଷ୍ଟିରେ ରଖି ଭକ୍ତମାନେ ନିଜ ଘରେ ଉପାସନା କରିବା ହିଁ ଉଚିତ ହେବ । ତଥାପି ଭକ୍ତଙ୍କ ମନ ମାନୁନି । ମାନସିକ ଓ ଭକ୍ତି ଭାବକୁ ନେଇ ଏବେ ବି ସେମାନଙ୍କ ଆଶା ମଉଳି ନାହିଁ । ପ୍ରଶାସନ ଏଥିପାଇଁ କି ପ୍ରକାର ପଦକ୍ଷେପ ନେଉଛି ତାକୁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।

ଖୋଲିବନି କାଉଡ଼ିଆ ସେବା ଶିବିର

ଶ୍ରାବଣ ମାସ ଯାକ କାଉଡିଆ ଭାଇମାନେ କାଉଡ଼ି ନେଇ ରାସ୍ତାରେ ଯାଉଥିବାର ଦେଖାଯାଏ । ସେମାନେ ଓଡ଼ିଶାର ବିଭିନ୍ନ ଶୈବ ପୀଠକୁ ଯାଇ ଜଳଲାଗି କରନ୍ତି । ଆଉ ସେମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ଓ ଯୁବଗୋଷ୍ଠୀଙ୍କ ତରଫରୁ ସେବା ସୁଶ୍ରୂଷା କରାଯାଇଥାଏ । ଏଥିପାଁଇ ରାସ୍ତା କଡ଼ରେ ଖୋଲିଥାଏ କାଉଡ଼ିଆ ସେବା କେନ୍ଦ୍ର । ସାମାଜିକ ଦୂରତା ରକ୍ଷା ଓ କରୋନା କଟକଣା ପାଇଁ ଏହି ଶିବିର ଏବର୍ଷ ଖୋଲିବ ନାହିଁ ବୋଲି ଜଣାପଡିଛି ।
ମନ୍ଦିରରେ ହେବନି ସ୍ୱତନ୍ତ୍ର ରୀତିନୀତି

ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆଙ୍କ ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଏ । ସକାଳ ୩ଟାରୁ ମଙ୍ଗଳଆଳତୀ ସହ ଭୋର୍‌ ଚାରିଟାରୁ ସାହାଣ ମେଲା ଦର୍ଶନ ହୋଇଥାଏ । ସକାଳୁ ସକାଳୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସହ ଅନେକ ଶୈବପୀଠରେ ପାଣି ଢ଼ାଳିବା ପାଇଁ ରାତିରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥାଏ । ଶ୍ରୀଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ ମଣ୍ଟୁ ପୂଜାପଣ୍ଡା କୁହନ୍ତି ମନ୍ଦିର ପ୍ରଶାସନ ପକ୍ଷରୁ ସେମିତିି କିଛି ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନାହିଁ। କରୋନା କଟକଣା ପାଇଁ ଏବର୍ଷ କୌଣସି କାର୍ଯ୍ୟକ୍ରମ ହେବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।

ବଜାରରେ ଦିଶୁନି ବୋଲ୍‌ବମ୍‌ ପୋଷାକ, କାଉଡ଼ି ସାମଗ୍ରୀ

ଶ୍ରାବଣ ମାସ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ରାଜଧାନୀର ଅନେକ ଛୋଟ ବଡ଼ ଦୋକାନରେ ବୋଲ୍‌ବମ୍‌ ପୋଷାକ ଓ କାଉଡ଼ି ସାମଗ୍ରୀ ବିକ୍ରି ହୋଇଥାଏ । କାଉଡ଼ି ସାମଗ୍ରୀରେ ରହିଛି ବାହୁଙ୍ଗୀ, ଶିକା, ଘଡ଼ି, ପ୍ଲାଷ୍ଟିକ୍‌ ତିଆରି ସାପ ଓ ଡମ୍ବରୁ । ଦୋକାନୀମାନେ ଏସବୁ ସାମଗ୍ରୀ ଆଗୁଆ ଆଣିଥାଆନ୍ତି । ହେଲେ ଏଥର ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ସେମାନଙ୍କୁ ସାମଗ୍ରୀ ଆଣିବାରେ ପ୍ରତିବନ୍ଧକ ସାଜିଛି । ତା ସହିତ ବୋଲ୍‌ବମ୍‌ ହେବ କି ନା ସେନେଇ ଅନିଶ୍ଚିତତା ଥିବାରୁ ବଜାରରେ ଏସବୁ ଦେଖାଯାଉନି ।

ଇନ୍ଦ୍ରଧନୁ ମାର୍କେଟରେ ପୂଜା ସମାଗ୍ରୀ ଦୋକାନ ଦେଇଥିବା ବଚିତ୍ରାନନ୍ଦ ଗନ୍ତାୟତଙ୍କ କହିବାନୁସାରେ ଆରବର୍ଷ ବୋଲବମ ସମୟରେ ଆଣିଥିବା ମାଲ୍‌ରୁ ଅଧା ରହିଯାଇଥିଲା । ଭାବିଥିଲୁ ଏଥର ଲାଭ ଉଠିବ । କିନ୍ତୁ କରୋନା ପାଇଁ ସବୁ ଆଶା ମଉଳି ଯାଇଛି । ଠିକ୍‌ ସଜିନ୍‌ ସମୟରେ କରୋନା କଟକଣା ଯନ୍ତ୍ରଣା ଦେଉଛି ।

   ସମ୍ବନ୍ଧିତ ଖବର


ଚିରସ୍ମରଣୀୟ ଦାସିଆ ଅଜା

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ