ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ହେଲା ଡାକ୍ତରୀମାଇନା,୨ ଦିନ ପରେ ବି ପୁଲିସ୍‌ ହାତଖାଲି

ରାଉରକେଲା,୧୮/୦୯: ଛେଣ୍ଡ ଥାନା ଅନ୍ତର୍ଗତ ଓମ୍‌ଫେଡ଼ ରାସ୍ତାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋଲେରୋ ଭିତରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ୍‌ ଘଟଣାକୁ ନେଇ ଗତକାଲି ମାମଲା ରୁଜୁ କରିଥିଲା। ଗତକାଲି ପୀଡ଼ିତାଙ୍କ ଡାକ୍ତରୀମାଇନା କରିଥିଲା। ମାତ୍ର ଘଟଣାକୁ ଦୁଇଦିନ ବିତି ଯାଇଥିବା ବେଳେ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କୌଣସି ସୁରାକ୍‌ ପାଇନଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନଙ୍କ ଧରିବା ଲାଗି ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ସଠିକ୍‌ ସ୍ଥାନରେ ପହଞ୍ଚି ପାରିନି ।

ଏଠାରେ ସ୍ମରଣଯୋଗ୍ୟ ଯେ, ଗୁରୁଣ୍ଡିଆ ଥାନା ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କୁ ଗତ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ବୋଲେରୋ ଯୋଗେ ଅପହରଣ କରିବା ପରେ ରାଉରକେଲାର ଓମଫେଡ଼ ରୋଡ଼ରେ ତାଙ୍କୁ ଗାଡ଼ି ଭିତରେ ଗଣଦୁଷ୍କର୍ମ କରିଥିବା ନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆଗେଇଥିଲା। ହେଲେ ପୀଡ଼ିତା ଜଣକ ଦୁର୍ବୃତ୍ତମାନଙ୍କୁ ଚିହ୍ନି ନଥିବା ପୁଲିସକୁ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଅଡୁଆରେ ପଡ଼ି ଯାଇଛି ଛେଣ୍ଡ ଥାନା ପୁଲିସ୍‌ ।

ଅନ୍ୟପକ୍ଷରେ ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ରାତିରେ ପୀଡ଼ିତା ଜଣକ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଗୁରୁଣ୍ଡିଆ ରାସ୍ତାରେ ଯାଉଥିବା ବେଳେ ଏକ ବୋଲେରୋ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ରାସ୍ତା କଡ଼ରେ ଛାଡ଼ି ବୋଲେରୋରେ ଥିବା ଯୁବକମାନେ ତାଙ୍କୁ ବୋଲେରୋ ଯୋଗେ ରାଉରକେଲା ନେଇ ଆସିଥିଲେ। ଛେଣ୍ଡ ଥାନା ଅନ୍ତର୍ଗତ ଓମ୍‌ଫେଡ ରାସ୍ତାରେ ଯାଇ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ପୀଡ଼ିତା ଜଣକ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କୁ ସେହି ଅନ୍ଧାରିଆ ସ୍ଥାନରେ ଛାଡ଼ି ଦୁର୍ବୃତ୍ତମାନେ ଗାଡ଼ି ଧରି ଛୁ ମାରିଥିଲେ। ଭୋର ପ୍ରାୟ ୫ଟା ବେଳେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣରେ ବାହାରିଥିବା ବେଳେ ପୀଡ଼ିତା ଜଣକ ଏକୁଟିଆ ବସି କାନ୍ଦୁଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ପଚରାଉଚରା କରିବା ପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ କହିବା ପରେ ଲୋକେ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ । ପିସିଆର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ଛେଣ୍ଡ ପୁଲିସ୍‌ ଜିମା ଦେଇଥିଲେ ।

ପୁଲିସ୍‌ ଏନେଇ ତଦନ୍ତ କରୁଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଧରିବ ବୋଲି ଆଶା ବାନ୍ଧିଛି । ଏ ସମ୍ପର୍କରେ ଜୋନାଲ ଡିଏସ୍‌ପି ଶାନ୍ତା ନୂତନ ସାମନ୍ତଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଘଟଣାର ତଦନ୍ତ ଚାଲିଛି । କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି ।ମାତ୍ର ଖୁବଶୀଘ୍ର ଧରାପଡ଼ିବେ । ଦୁର୍ଘଟଣା ପରେ ଦୁର୍ବୃତ୍ତମାନେ ପୀଡିତାଙ୍କୁ ଗୁରୁଣ୍ଡିଆ ରାସ୍ତାରୁ ଅପହରଣ କରି ଆଣିଥିବା ସମ୍ପର୍କରେ ପଚାରିବାରୁ ସେ ନେଇ ତଦନ୍ତ ଚାଲିଛି ଏବଂ ସେଥିରେ ବାଧା ଉପୁଜିବ ବୋଲି କିଛି ନକହି କେବଳ ତଦନ୍ତ ଚାଲିଛି ବୋଲି କହିଥିଲେ ।

   ସମ୍ବନ୍ଧିତ ଖବର


ବାଇକ୍‌ ଦୁର୍ଘଟଣାରେ ଇଞ୍ଜିନିୟରିଂ ଛାତ୍ରର ମୃତ୍ୟୁ

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଫିସ୍‌ ସମେତ ୬ଟି ସ୍ଥାନରେ ଛାପା‌

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ଟ୍ରେଲର୍‌କୁ ପିଟିଲା ଟ୍ରକ୍‌,ଅଳ୍ପକେ ବର୍ତ୍ତିଲେ ଗଲେ ଡ୍ରାଇଭର୍‌ ଓ ହେଲପର୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ