ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମା ମାଡ଼

ଭୁବନେଶ୍ୱର,୯ା୩(ବ୍ୟୁରୋ): ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଏକ ହୋଟେଲ୍ ଉପରକୁ ଗୋଟିଏ ବୋମା ଫିଙ୍ଗି ଚମ୍ପଟ ମାରିଛନ୍ତି । ବୋମାମାଡ଼ରେ ହୋଟେଲ୍ର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରୁ କିଛି କାଚ ଓ ସୁତୁଲି ଟୁକୁଡ଼ା ଜବତ କରିଛି । ହୋଟେଲ୍ରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ନେଇ ପୁଲିସ ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ, ବରମୁଣ୍ଡା ବସ୍ଷ୍ଟାଣ୍ଡ ଓଏସ୍ଆର୍ଟିସି ଅଫିସ ସମ୍ମୁଖରେ ଥିବା ‘ଜୟ ଜଗନ୍ନାଥ ହୋଟେଲ୍’ରେ ଲୋକମାନେ ଖିଆପିଆ କରୁଥିଲେ । ରାତି ସାଢ଼େ ୯ଟାରେ ଦୁଇ ଯୁବକ ଏକ ବାଇକ୍ରେ ଆସି ହୋଟେଲ୍ ଉପରକୁ ଲକ୍ଷ୍ୟକରି ଗୋଟିଏ ବୋମା ଫିଙ୍ଗି ପଳାଇଥିଲେ । ବୋମା ହୋଟେଲ୍ ସମ୍ମୁଖ ଫାଷ୍ଟ୍ଫୁଡ୍ ଦୋକାନର ଦୁଇଟି ଗ୍ୟାସ୍ ସିଲିଣ୍ଡର ମଝିରେ ପଡ଼ି ଫୁଟିଥିଲା । ପ୍ରଚଣ୍ଡ ଶବ୍ଦ ସହ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିଲା । ଭୟଭୀତ ହୋଇ ହୋଟେଲ୍ କର୍ମଚାରୀ ଓ ଖାଉଥିବା ଗ୍ରାହକମାନେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ । ହୋଟେଲ୍ ମିସ୍ତ୍ରୀ ଆକୁଳ ଗୁରୁଙ୍କ ପିଠିରେ କାଚଖଣ୍ଡ ବାଜି ସେ ସାମାନ୍ୟ ଆହତ ହୋଇଥିଲେ । ସୌଭାଗ୍ୟବଶତଃ ବୋମା ଲୋକଙ୍କ ଉପରେ କି ଗ୍ୟାସ୍ ସିଲିଣ୍ଡରରେ ମାଡ଼ ହୋଇ ନଥିଲା । ବୋମାମାଡ଼ ଶବ୍ଦରେ ବସ୍ଷ୍ଟାଣ୍ଡ୍ରେ ଯାତ୍ରୀମାନେ ମଧ୍ୟ ଭୟଭୀତ
ହୋଇ ପଡ଼ିଥିଲେ । ଖବରପାଇ ବସ୍ଷ୍ଟାଣ୍ଡ ଫାଣ୍ଡି ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଥିଲେ । ବସ୍ଷ୍ଟାଣ୍ଡ ଚାରିପଟ ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍ ପାଇ ନଥିଲା । ହୋଟେଲ୍ ସମ୍ମୁଖରେ ପଡ଼ିଥିବା କାଚ ଓ ସୁତୁଲି ଟୁକୁଡ଼ାକୁ ପୁଲିସ ଜବତ କରିଛି । ହୋଟେଲ୍ରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ପୁଲିସ ଜବତ କରି ନେଇଛି । ତେବେ ଅନ୍ଧାରଅିା ହୋଇଥବିାରୁ ବୋମାମାଡ଼ର ଚିତ୍ର ସ୍ପଷ୍ଟ ଦେଖା ଯାଉନାହିଁ । କେବଳ ଧୂଆଁ ଉଠୁଥିବା ଦେଖାଯାଇଛି । ଏନେଇ ହୋଟେଲ୍ ମାଲିକ ନିରଞ୍ଜନ ପାତ୍ର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବୋମାମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଛି କି ଅନ୍ୟ କିଛି କାରଣ ରହିଛି ସେନେଇ ପୁଲିସ ଖୋଳତାଡ଼ ଚଳାଇଛି । ନିରଞ୍ଜନ ପୂର୍ବରୁ ବସ୍ଷ୍ଟାଣ୍ଡରେ ଅନ୍ୟ ଜଣଙ୍କ ସହ ପାର୍ଟନରସିପ୍ରେ ଏକ ହୋଟେଲ୍ କରିଥିଲେ । କୌଣସି କାରଣକୁ ନେଇ ଉଭୟ ପାର୍ଟନରଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ତେଣୁ ନିରଞ୍ଜନ ପ୍ରାୟ ୮ ମାସ ହେବ ଅଲଗା ହୋଇ ହୋଟେଲ୍ କରିଛନ୍ତି । ତାଙ୍କ ହୋଟେଲରେ ମଧ୍ୟ ଭଲ ବ୍ୟବସାୟ ହେଉଛି । ପୂର୍ବ ବିବାଦ କି ଦାଦାବଟି ଆଦାୟ ପାଇଁ କେହି ହୋଟେଲ୍ ମାଲିକଙ୍କୁ ଭୟଭୀତ କରିବା ପାଇଁ ଏଭଳି କରିଥିବା ସନ୍ଦେହରେ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ।