ପାକିସ୍ତାନର ଲାହୋରରେ ଭୟଙ୍କର ବୋମା ବିସ୍ଫୋରଣ; ୩ ମୃତ, ଅନେକ ଆହତ…

ଇସଲାମାବାଦ: ପାକିସ୍ତାନର ଲାହୋରରେ ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଲାହୋରର ଅନାରକଲୀ ଅଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ମଧ୍ୟ ଖବର ରହିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ମାୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ ଅନୁଯାୟୀ ଏହି ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଲାହୋର ପୋଲିସର ମୁଖପାତ୍ର ରାଣା ଆରିଫ ମୃତ୍ୟୁସଂଖ୍ୟା ଏବଂ ଆହତଙ୍କ ସଂଖ୍ୟା ନିଶ୍ଚିତ କରିଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଏହି ଘଟଣାର ସୂଚନା ଦେଇଛନ୍ତି ଏବଂ ଇନ୍ସପେକ୍ଟର ଜେନେରାଲଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସୁବିଧା ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଘଟଣାର କିଛି ସମୟ ପରେ ଲାହୋରର ଡେପୁଟି କମିଶନର (ଡିସି) ଉମର ଶେର୍ ଚଠା ସିଭିଲ୍ ଡିଫେନ୍ସ ଅଫିସରଙ୍କୁ ଏହି ଅଞ୍ଚଳରେ ବୋମା ନିଷ୍କାସନ ସ୍କ୍ବାଡ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଅଞ୍ଚଳର ପୁଙ୍ଖାନୁପୁଙ୍ଖ ଏବଂ ସମ୍ପୁର୍ଣ୍ଣ ଯାଞ୍ଚ କରାଯିବ ବୋଲି କହିଛନ୍ତି ।