ମିଠା ଦୋକାନ ଉପରକୁ ବୋମା ମାଡ: ଅଶାନ୍ତ ହେଉଛି କଟକ ସହର

କଟକ ୨୫/୦୭ : ଗଲା କିଛି ଦିନ ହେଲା କଟକ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ କାରଣରୁ ସହର ଦିନକୁ ଦିନ ଅଶାନ୍ତ ହୋଇପଡୁଛି । ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଖାନନଗର ଅଞ୍ଚଳରେ ଥିବା ଏକ ମିଠା ଦୋକାନ(ସୁଇଟ୍ସ ଷ୍ଟଲ୍‌) ଉପରେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ବୋମା ମାଡ଼ ପରେ ଦୋକାନ ପାଖରେ ଧୁଆଁମୟ ହୋଇଯାଇଥିଲେ ମଧ୍ୟ କୌଣସି ଧନଜୀବନ ହାନି ଘଟିନଥିବା ଜଣାପଡିଛି । ମାତ୍ର ଏହି ବୋମା ମାଡ଼ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବ୍ୟବସାୟୀଙ୍କ ସମେତ ଆଖପାଖରେ ବସବାସ କରୁଥିବା ଲୋକେ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ବାଦାମବାଡ଼ି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କର ଟେର୍‌ ପାଇପାରିନାହିଁ ।ଖବରରୁ ପ୍ରକାଶ, ଖାନନଗର ଅଞ୍ଚଳରେ ଥିବା ନାଥ ସାହୁ ମିଠା ଦୋକାନରେ ବ୍ୟବସାୟ ଚାଲିଥିବା ବେଳେ ଦୁଇ ଜଣ ଏକ ବାଇକ୍‌ରେ ଆସି ହଠାତ୍‌ ଦୋକାନ ଉପରକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଥିଲେ । ବୋମା ମାଡ଼ରେ ସ୍ଥାନୀୟ ଅଞ୍ଚଳ ଥରହରହୋଇଥିଲା । ବିସ୍ଫୋରଣ ଶବ୍ଦରେ ଦୋକାନ ଭିତରେ ଥିବା ଗ୍ରାହକଙ୍କ ସମେତ ଆଖପାଖରେ ଥିବା ଲୋକେ ଭୟରେ କିଏ କୁଆଡେ ଦୌଡୁଥିଲେ ।

ଉକ୍ତ ଘଟଣାରେ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ପ୍ରତାପ ସାହୁ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କିଛି ବିସ୍ଫୋରକ ସାମଗ୍ରୀ ଜବତ କରି ଘଟଣାର ତଦନ୍ତ ଚଳାଇଛି । ସେହିପରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଫଟୋ ଓ ଭିଡିଓ ରେକର୍ଡ ସଂଗ୍ରହ କରି ବୋମା ଫିଙ୍ଗିଥିବା ଅଭିଯୁକ୍ତମାନଙ୍କର ଚେହେରାର ସନ୍ଧାନ ଚଳାଇଛି । ପୂର୍ବ ବିବାଦକୁ ନେଇ ଏହି କାଣ୍ଡ ଘଟିଥିବାର ପୁଲିସ୍‌ ଅନୁମାନ କରୁଛି । ଅନ୍ୟପକ୍ଷରେ ଉକ୍ତ ଘଟଣାରେ ବାଦାମବାଡ଼ି ଥାନା ପୁଲିସ୍‌ ୨/୩ ଜଣ ଯୁବକଙ୍କୁ ଉଠାଇ ଆଣି ଏବେ ପଚରା ଉଚରା ଚଳାଇଛି । ଦିନରେ ବୋମାମାଡ଼, ରାତିରେ ଦୁଇ ଦୁଇ ଜଣ ଲୋକଙ୍କ ତଣ୍ଟି ହତ୍ୟା କରିବା ଘଟଣା ଘଟିବା କଟକ ସହରରେ କମିସନରେଟ୍‌ ପୁଲିସ୍‌ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ଫେଲ୍‌ ମାରିଥିବା ଚର୍ଚ୍ଚା ହେଉଛି ।

   ସମ୍ବନ୍ଧିତ ଖବର


ଦୁଇ ଇନ୍ସପେକ୍ଟରଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର

ଆଜିଠୁ ବୋର୍ଡ କର୍ମଚାରୀଙ୍କ ଆନ୍ଦୋଳନ,ଦାବି ପୂରଣ ନହେଲେ ମନ୍ତ୍ରୀଙ୍କ ବାସଭବନ ଘେରାଉ

ନକଲି ସାମ୍ବାଦିକଙ୍କ ଅଶ୍ଲୀଳ କାରନାମା: ବନ୍ଦ ଘରେ ମାଆ, ଝିଅଙ୍କୁ ନିର୍ଯାତନା,ଫଟୋ ଉଠାଇ କରୁଥିଲେ ବ୍ଲାକ୍‌ମେଲ୍‌

ନାବାଳିକା ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌: ଦୁଇ ନାବାଳକ ସମେତ ୩ ଗିରଫ