ଫିଟିଲା ବମିଖାଲ ଓଭରବ୍ରିଜ୍: ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଏଣିକି କଟକ ରୋଡ୍ରେ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ମିଳିବ । ସହିଦନଗରରୁ ବମିଖାଲକୁ ଆସିବାକୁ ଆଉ ଲେଭଲ କ୍ରସିଂର ଜାମ୍ରେ ଦହଗଞ୍ଜ ହେବାକୁ ପଡ଼ିବନି । କଳ୍ପନା ଓ ରସୁଲଗଡ଼ ପଟୁ ବମିଖାଲ ଦେଇ ଯିବାବେଳେ ବି ଟ୍ରାଫିକ୍ ଯନ୍ତ୍ରଣାରୁ ଆଶ୍ୱସ୍ତି ମିଳିବ । ଆଜି ବହୁପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ୍ର ଉଦ୍ଘାଟନ ସହ ଏଭଳି ଆଶା ସମ୍ଭାବନା ଆଗକୁ ଆସିଛି ।
ରାଜଧାନାବାସୀଙ୍କୁ ଆଜି ବମିଖାଲ ଓଭରବ୍ରିଜ୍ ପ୍ରକଳ୍ପ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ଏହି ଡ୍ରିମ୍ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ନବୀନ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ କାର୍ ବ୍ରିଜ୍ ଉପରେ ଗଡ଼ିଥିଲା । ତା ପରେ ଆନୁଷ୍ଠାନିକ ଭାବେ ସାଧାରଣ ଲୋକଙ୍କ ଚଳାଚଳ ପାଇଁ ଏହି ଓଭରବ୍ରିଜ୍କୁ ଖୋଲା ଯାଇଥିଲା । ବ୍ରିଜ୍ ଖୋଲାଯିବା ସହ ଏହି ରାସ୍ତାରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବାକୁ ରାସ୍ତାର ଦୁଇ ପାଶ୍ୱର୍ ସର୍ଭିସ୍ ରୋଡ୍କୁ ଦୁଇ୍ ଲେନ୍ କରାଯାଇଛି ।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ତ୍ତ ସଚିବ ନଳିନୀ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର, ପୂର୍ତ୍ତ ବିଭାଗ ଡିଜିଭନ୍-୪ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ ପୂର୍ତ୍ତ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

୪୪ କୋଟି, ୭୫ଟି ସ୍ପାନ୍
ଏହି ଓଭରବ୍ରିଜ୍ ନିର୍ମାଣରେ ପ୍ରାୟ ୪୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଦେଢ଼ କିଲୋମିଟର ଲମ୍ବା ବିଶିଷ୍ଟ ଏହି ବ୍ରିଜ୍ରେ ମୋଟ ୭୫ଟି ସ୍ପାନ୍ ରହିଛି । ବ୍ରିଜ୍ ସମେତ ୩ ପାଶ୍ୱର୍ରେ ପ୍ରଶସ୍ତ ଆପ୍ରୋଚ୍ ରୋଡ୍ ତିଆରି ହୋଇଛି । ସହିଦନଗର ପାଶ୍ୱର୍ରେ ୮୯ ମିଟର, ରସୁଲଗଡ଼ ପାଶ୍ୱର୍ରେ ୧୩୪ ମିଟର ଓ କଳ୍ପନା ପଟରେ ୧୩୪ ମିଟର ଲମ୍ବାର ଆପ୍ରୋଚ୍ ରୋଡ ତିଆରି ହୋଇଛି । ବ୍ରିଜ୍ ଓ ଆପ୍ରୋଚ୍ ରୋଡର ମୋଟ ଚଉଡା ପ୍ରାୟ ୧୫୪୧ ମିଟର ରଖାଯାଇଛି । ବ୍ରିଜ୍ ତଳେ ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ ସର୍ଭିସ୍ ରୋଡ୍କୁ ଦୁଇ ଲେନ୍ କରାଯାଇଛି ।
ଝଲସିଲା ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍
ବ୍ରିଜ୍ ଉପରକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ଏହି ଲାଇଟ୍ ସବୁଦିନ ଏଭଳି ସଜେଇ ହୋଇରହିବ ବୋଲି କୁହାଯାଇଛି । ବ୍ରିଜ୍ ତଳେ ବି ଆଲୋକ ବ୍ୟବସ୍ଥା କରାଯାଇଛି ।
ବ୍ରିଜ୍ ତଳେ ପାର୍କିଂ ସୁବିଧା
ଜାତୀୟ ରାଜପଥରେ ଥିବା ଓଭରବ୍ରିଜ୍ର ମଝିରେ ମଝିରେ ଫାଙ୍କା ନଥିବାରୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି । କିନ୍ତୁ ଆଜି ଖୋଲିଥିବା ଏହି ନୂଆ ବ୍ରିଜ୍ର ପ୍ରତି ସ୍ପାନ୍ର ବ୍ୟବଧାନକୁ ଆବଦ୍ଧ ନ କରି ଖୋଲା ରଖାଯାଇଛି । ଖାଲି ସେତିକି ନୁହେଁ, ବ୍ରିଜ୍ ତଳେ ଗାଡ଼ି ପାର୍କିଂ ପାଇଁ ସୁବିଧା କରାଯାଇଛି । ଏଥିପାଇଁ ଏହାର ଚଟାଣରେ ସ୍ୱତନ୍ତ୍ର ଭାବେ ପେଭିଂ ଷ୍ଟୋନ୍ ଟାଇଲସ୍ ପକାଯାଇଛି ।
ଉଦ୍ଘାଟନ ଅପେକ୍ଷାରେ ୪ ନୂଆ ବଡ଼ ବିଲ୍ଡିଂ
ଦୀର୍ଘଦିନର ଅପେକ୍ଷା ପରେ ଆଜି ବମିଖାଲ ଓଭରବ୍ରିଜ୍ର ଉଦ୍ଘାଟନ ହୋଇଛି । ତେବେ ଆଗକୁ ଆହୁରି ବଡ ବଡ ପ୍ରକଳ୍ପ ଉଦ୍ଘାଟନ ହେବାର ଅଛି । ଚଳିତ ମାସରେ ୪ଟି ସରକାରୀ ବିଲ୍ଡିଂ ଉଦ୍ଘାଟନ ହେବ । ନିର୍ମାଣ ସୌଧ ସାମ୍ନାରେ ଛିଡ଼ା ହୋଇଥିବା ନୂଆ ନ’ ତାଲା ବା ସେକ୍ରେଟାରୀ ଆନେକ୍ସ ବିଲ୍ଡିଂ ଖୁବ୍ଶୀଘ୍ର ଉଦ୍ଘାଟନ ହେବ । ସେହିପରି ସଚିବାଳୟ ପାଖରେ ତିଆରି ହୋଇଥିବା ନୂଆ କନଭେନସନ୍ ସେଣ୍ଟର, ଏକାମ୍ର ହାଟ ପାଖ ହଷ୍ଟେଲ୍ ଓ ପୋଖରୀପୁଟରେ ବହୁତଳ ବିଶିଷ୍ଟ ହଜ୍ ହାଉସ୍ ଚଳିତ ମାସରେ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।