୭୫ ଡଲାର ଛୁଇଁଲା ତେଲ

ନୂଆଦିଲ୍ଲୀ,୨୫ା୪(ଏଜେନ୍ସି): ଇରାନ ତେଲକୁ ନେଇ ଆମେରିକାର କଠୋର ଆଭିମୁଖ୍ୟ ମଧ୍ୟରେ ଊଦ୍ଧ୍ୱର୍ମୁଖୀ ହୋଇଛି ଅଶୋଧିତ ତୈଳ । ଗୁରୁବାର କାରବାରରେ ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ ପିଛା ୭୫ ଡଲାର ଛୁଇଁଛି । ଚଳିତବର୍ଷରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଏହି ସ୍ତର ଛୁଇଁଛି । ଅନ୍ୟପକ୍ଷରେ, ୨୦୧୮ ଅକ୍ଟୋବରରୁ ଏହି ସ୍ତର ଛୁଇଁ ନ ଥିଲା ଅଶୋଧିତ ତୈଳ ।

ପୂର୍ବରୁ ଭାରତ ସମେତ ୮ଟି ରାଷ୍ଟ୍ରକୁ ଆମେରିକା ଇରାନ ତେଲ କଟକଣାରୁ ମୁକ୍ତ ରଖିଥିଲା । ଏହି ରାଷ୍ଟ୍ରଗୁଡିକ ତେହରାନ୍‌ରୁ ତେଲ କିଣି ସେମାନଙ୍କ ତୈଳ ଆବଶ୍ୟକତା ପୂରଣ କରୁଥିଲେ । କିନ୍ତୁ ରିହାତିକୁ ଆଉ ସମ୍ପ୍ରସାରଣ ନ କରିବା ପାଇଁ ନିଷ୍ପତ୍ତି ନେଇଛି ହ୍ୱାଇଟ୍‌ ହାଉସ୍‌ । ଫଳରେ ମେ’ ୨ ପରେ ଭାରତ ସହିତ ଅନ୍ୟ ସମସ୍ତ ରାଷ୍ଟ୍ର ଇରାନ ତୈଳ କଟକଣା ପରିସରଭୁକ୍ତ ହେବେ । ମେ ୨ ପରେ ଇରାନ୍‌ରୁ ତେଲ କିଣିଲେ ରାଷ୍ଟ୍ରଗୁଡିକୁ ଏହା ମହଙ୍ଗା ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି । ଆମେରିକାର ଏହି ନିଷ୍ପତ୍ତିର ପ୍ରଭାବ ଅଶୋଧିତ ତୈଳ ବଜାରରେ ଝଡ଼ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଗୁରୁବାର ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ୭୫.୦୧ ଡଲାର ଛୁଇଁଛି । ବୁଧବାର ତୁଳନାରେ ଏଥିରେ ୦.୪% ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ, ଯୁକ୍ତରାଷ୍ଟ୍ର ଆମେରିକା ୱେଷ୍ଟ ଟେକ୍ସସ ଇଣ୍ଟର୍‌ମିଡିଏଟ୍‌(ଡବ୍ଲ୍ୟୁଟିଆଇ) କ୍ରୁଡ୍‌ ଦରରେ ବ୍ୟାରେଲ ପିଛା ୫ ସେଣ୍ଟ ବୃଦ୍ଧି ଘଟିଛି । ବ୍ୟାରେଲ ପିଛା ଏହା ୬୫.୯୪ ଡଲାରରେ ପହଞ୍ଚିଛି ।
ଗୁରୁବାର ଏକ ପାଇପ୍‌ଲାଇନ୍‌ ଯୋଗେ ରୁଷିଆରୁ ପୋଲାଣ୍ଡ ଏବଂ ଜର୍ମାନିକୁ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଫଳରେ ବ୍ରେଣ୍ଟ ଦର ବୃଦ୍ଧି ପାଇଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।

ବିଗତ ଦିନରେ ଯୋଗାଣ ବୃଦ୍ଧି ଯୋଗୁ କମିଯାଇଥିବା ଦରକୁ ବଢ଼ାଇବା ପାଇଁ ତୈଳ ରପ୍ତାନିକାରୀ ରାଷ୍ଟ୍ର ସଂଘ(ଓପେକ୍‌) ଚଳିତବର୍ଷ ପ୍ରାରମ୍ଭରୁ ଉତ୍ପାଦନ ହ୍ରାସ କରି ଆସୁଛି । ଏହା ପ୍ରଭାବରେ ଜାନୁଆରୀରୁ ବେଣ୍ଟ କ୍ରୁଡ୍‌ ଦରରେ ପାଖାପାଖି ୪୦% ବୃଦ୍ଧି ଘଟିଛି । ଏଭଳି ସମୟରେ ଆମେରିକାର ଉପରୋକ୍ତ ନିଷ୍ପତ୍ତି ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଇରାନର ତେଲ ରପ୍ତାନିକୁ ଶୂନ କରିଦେବା ଉଦ୍ଦେଶ୍ୟରେ ଆମେରିକା ଏହି ନିଷ୍ପତ୍ତି ନେଇଛି ।
ଇରାନ୍‌ ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ବ୍ରେନ୍‌ ହୁକ୍‌ କହିଛନ୍ତି ଯେ, ଇରାନ୍‌ କଟକଣା ଯୋଗୁ ବଜାରରେ ଯେଉଁ ଅଭାବ ଦେଖାଦେବ ତାହା ପୂରଣ କରିବା ପାଇଁ ବଜାରରେ ପ୍ରଚୁର ଯୋଗାଣ ରହିଛି । ତେବେ ସାଉଦି ଆରବ ଏବଂ ଅନ୍ୟ ତୈଳ ରପ୍ତାନିକାରୀ ରାଷ୍ଟ୍ରଗୁଡିକ ଯୋଗାଣ ବଢ଼ାଇବା ପାଇଁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ୨୦୧୮ ଅକ୍ଟୋବରରୁ ମୂଲ୍ୟକୁ ବଢ଼ାଇବା ଉଦ୍ଦେଶ୍ୟରେ ସାଉଦି ଆରବ, ରୁଷିଆ, ସଂଯୁକ୍ତ ଆରବ ଏମିରେଟ୍‌ସ ଏବଂ ଇରାକ୍‌ ସେମାନଙ୍କ ଦୈନିକ ଉତ୍ପାଦନରେ ୧.୩ ନିୟୁତ ବ୍ୟାରେଲ ଖସାଇଛନ୍ତି ।
ଅନ୍ୟପକ୍ଷରେ, ଯୋଗାଣ ଅଭାବକୁ ନିୟନ୍ତ୍ରଣ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଏହାର ତୈଳ ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି କରିଛି । ୨୦୧୮ ପ୍ରାରମ୍ଭରୁ ଏହା ନିଜର ଦୈନିକ ଉତ୍ପାଦନରେ ୨ ନିୟୁତ ଡଲାରରୁ ଊଦ୍ଧ୍ୱର୍ ବୃଦ୍ଧି କରିଛି । ବର୍ତ୍ତମାନ ଏହା ଦିନକୁ ୧୨.୨ ନିୟୁତ ବ୍ୟାରେଲ ତେଲ ଦିନକୁ ଉତ୍ପାଦନ କରିଛି । ଫଳରେ ଏହା ରୁଷିଆ ଏବଂ ସାଉଦି ଆରବ ପରେ ବିଶ୍ୱର ସର୍ବବୃହତ୍‌ ରପ୍ତାନିକାରୀ ପାଲଟିଛି ।

   ସମ୍ବନ୍ଧିତ ଖବର


ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା