ପୁଣି ବ୍ରାଉନ୍‌ସୁଗର୍‌ ବେପାରରେ ପୁଲିସ ଅଫିସର ଲିଙ୍କ! ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

କେନ୍ଦ୍ରାପଡ଼ା ୨୪/୯: କେନ୍ଦ୍ରାପଡ଼ା ସହରରେ ମିଳୁଛି ବ୍ରାଉନ୍‌ସୁଗର୍‌ । ବ୍ରାଉନ୍‌ସୁଗର୍‌ ବିକ୍ରି କରିବା ଅଭିଯୋଗରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଆଜି ସକାଳେ ଚଢ଼ଉ କରି ଜଣକୁ ଗିରଫ କରିଛି । ଗିରଫ ଯୁବକ କେନ୍ଦ୍ରାପଡ଼ା ଟାଉନ ଥାନା ଗୋବରୀ ବାଇପାସ୍‌ ରୋଡ୍‌ ଇଦ୍‌ଗା ରାସ୍ତାର କବରସ୍ଥାନ ନିକଟ ମଧୁକରପୁର(ଆମ୍ୱାଡି)ର ଜାହିଦ ଖାନ(୩୫) । ତାଠାରୁ ୨୫ ଗ୍ରାମ ଓଜନର ବ୍ରାଉନ୍‍ସୁଗର ଜବତ କରାଯାଇଛି । ଯାହାର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ । କିନ୍ତୁ ବଡ଼ କଥା ଯେ, ଗିରଫ ହେବା ପରେ ସେ କହିଛି, ତାକୁ ନିଶା ବେପାରରେ ଜଣେ ପୂର୍ବତନ ଥାନାବାବୁ ସହଯୋଗ କରୁଥିଲେ । ଯାହାର ତଦନ୍ତ ଜରୁରି ହୋଇପଡ଼ିଛି ।

ଅବକାରୀ ପୁଲିସ ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସହର ତଥା ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ସମୟରେ ବ୍ରାଉନ୍‌ ସୁଗର ବିକ୍ରି ହୋଇଆସୁଥିବା ଅଭିଯୋଗ ହୋଇଆସୁଥିଲା । ଥରେ ସେବନ କଲେ ଶରୀରରେ ୨୪ ଘଣ୍ଟା ଯାଏ ଏହାର ପ୍ରଭାବ ଦେଖିବାକୁ ମିଳୁଥିବା କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି । ଜାହିଦ୍‌ କ୍ଷେତ୍ରରେ ଏକ ନୂଆ ଘଟଣା ସାମନାକୁ ଆସିଛି ଯେଉଁଥିରେ ପୁଲିସ ତାକୁ ସହଯୋଗ କରୁଥିବା ସେ ନିଜେ ଅଭିଯୋଗ ଆଣିଛନ୍ତି । ସେ ବ୍ରାଉନସୁଗର ବିକ୍ରି କରୁଥିବା ଜାଣି ତାକୁ ସଂପୃକ୍ତ ପୁଲିସ ଅଧିକାରୀ ଗିରଫ କରିବା ବଦଳରେ ପରୋକ୍ଷରେ ନିଶା ଦ୍ରବ୍ୟ ବିକ୍ରି କରିବାକୁ ସହଯୋଗ କରିଥିଲେ । ବ୍ରାଉନସୁଗର ବିକ୍ରିରେ ରିସ୍କ ଅଛି । ତେଣୁ ଏ ବେପାର ଛଡା଼ ଗଞ୍ଜେଇ ଆଦି ବେପାର କରିବାକୁ ବି ପରାମର୍ଶ ଦେଇଥିଲେ ଉକ୍ତ ପୁଲିସ ବାବୁ ଜଣକ । ଏହା ବଦଳରେ ମାସକୁ ମାସ ଭାଗ ପହଞ୍ଚି ଯାଉଥିଲା ତାଙ୍କ ପାଖରେ ।

କେନ୍ଦ୍ରାପଡ଼ା ଟାଉନ୍‍ ଥାନାର ନାକ ଅଗରେ ବ୍ରାଉନସୁଗର ବେପାର ଚାଲୁଥିଲେ ହେଁ ପୁଲିସ କେମିତି ଜାଣିନପାରିଲା ତାହା ପୂରା ଘଟଣାକୁ ରହସ୍ୟାବୃତ୍ତ କରିଛି । ପୁଣି ଅପରାଧ ଜଗତ ସହ ତା’ର ପରିଚିତ ନୂଆ ନୁହେଁ, ସେ ଏକାଧିକବାର ଜେଲ୍‌ ଯାଇସାରିଛି । ତା’ହେଲେ ପୁଲିସର ରହସ୍ୟମୟ ନିରବତା କ’ଣ ପାଇଁ ବୋଲି ପ୍ରଶ୍ନ ଉଠିଛି ।

କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲଙ୍କ କହିବା କଥା, କେନ୍ଦ୍ରାପଡ଼ାରେ ବ୍ରାଉନ ସୁଗର ବେପାର ର‌୍ୟାକେଟ କାମ କରୁଛି । ଟ୍ରେନ୍‍, ବସ, ବିଳାସପୂର୍ଣ୍ଣ ଗାଡ଼ି ଯୋଗେ ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସୁଛି । ୫୦ରୁ ୧୦୦ ଗ୍ରାମ କରି ଏମାନେ ବାହାରୁ ବ୍ରାଉନ୍‍ ସୁଗର ଆଣୁଛନ୍ତି । ନିଶା ବେପାରୀଙ୍କ ପାଖରେ ପହଞ୍ଚିବା ପରେ ସେମାନେ ପୁଡ଼ିଆ କରି ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କ ଜରିଆରେ ବିକ୍ରି କରୁଛନ୍ତି । କିଛି ବେପାରୀ ପରେ ସିଗାରେଟ୍‌ରେ ଜର୍ଦ୍ଦା ସହ ଭର୍ତ୍ତି କରି ବି ବିକ୍ରୟ କରୁଥିବା ଜେରା ବେଳେ ସୂଚନା ମିଳିଛି । ଏଯାବତ ଦୁଇ ଏଜେଣ୍ଟଙ୍କୁ ଠାବ କରାଯାଇଛି । ଖୁବ୍‌ଶୀଘ୍ର ର‌୍ୟାକେଟର ପର୍ଦ୍ଦଫାସ ହେବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ