ଦୁର୍ଦ୍ଦାନ୍ତ ନିଶା ବେପାରୀ ସନ୍ତୋଷ ଗିରଫ: ୩୦୦ ଗ୍ରାମ୍‌ ବ୍ରାଉନ୍‌ସୁଗର, ୨ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର ୧୧/୯ : କମିଶନରେଟ୍‌ ପୁଲିସ୍‌ର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଓ କୁଖ୍ୟାତ ନିଶା ବେପାରୀ ସନ୍ତୋଷ ପଣ୍ଡା ଏବେ ସ୍ପେଶାଲ ସ୍କ୍ୱାଡ୍‌ ପଞ୍ଝାରେ । ଖଣ୍ଡଗିରି ଥାନା ଓ ସ୍ପେଶାଲ ସ୍କ୍ୱାଡ୍‌ ପୁଲିସ ମିଳିତ ଭାବେ ଚଢ଼ାଉ କରି ସୋମବାର ବିଳମ୍ବିତ ରାତିରେ ତାକୁ ଗିରଫ କରିଛି । ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗା ଥାନା ବିଦ୍ୟାଧରପୁର ଗାଁରେ । ପୁଲିସ ତା’ନିକଟରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏହାର ଦାମ୍‌ ୨୦ ଲକ୍ଷ ଟଙ୍କା ହେବ । ଏହାବ୍ୟତୀତ ସନ୍ତୋଷ ଠାରୁ ପୁଲିସ ୨ଲକ୍ଷ ୧୪ ହଜାର ୩୬୦ ଟଙ୍କା, ୫ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି ।

ସୂଚନା ମୁତାବକ, ସନ୍ତୋଷ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗର ଆଣି ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀରେ ବେପାରୀଙ୍କୁ ଯୋଗାଉଥିଲା । ୨୦୧୧ରେ ବେଲିଆ ମାଝି ଗ୍ୟାଙ୍ଗ୍‌ରେ ସାମିଲ ହୋଇଥିଲା ସନ୍ତୋଷ । ତା’ପରେ ଖୋର୍ଦ୍ଧା ଅଞ୍ଚଳରେ ଡକାୟତି କରି ଆତଙ୍କ ଖେଳାଇଥିଲା । ପରେ ଖୋର୍ଦ୍ଧା ପୁଲିସ୍‌ ସନ୍ତୋଷକୁ ଗିରଫ କରିଥିଲା । ହେଲେ ବେଲିଆ ଚକମା ଦେଇ ଫେରାର ହୋଇ ଯାଇଥିଲା । ଅଦାଲତ ସନ୍ତୋଷକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ।

୨୦୧୪ରେ ସନ୍ତୋଷ ପାରୋଲରେ ଯାଇ ଫେରାର ହୋଇଗଲା । ତା’ପରେ ବେଲିଆ ସହ ପୁଣି ଯୋଡ଼ି ହୋଇ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଆତଙ୍କ ଖେଳାଇଲେ । ଖୋର୍ଦ୍ଧା ଟାଙ୍ଗିରେ ଥିବା ଏସ୍‌ବିଆଇ ଗାଡ଼ିର ସୁରକ୍ଷାକର୍ମୀଙ୍କୁ ଗୁଳିକରି ଦୁହେଁ ୬୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିଭଳି ୨୦୧୮ରେ ଖୋର୍ଦ୍ଧା ପଲ୍ଲା ଛକରେ ଜଣଙ୍କୁ ଗୁଳି କରି ବେଲିଆ ଓ ସନ୍ତୋଷ ଫେରାର ହୋଇ ଯାଇଥିଲେ । ପରେ ଖୋର୍ଦ୍ଧାର ତାପଙ୍ଗ ଅଞ୍ଚଳରେ ଥିବା ଖଣି ମାଫିଆଙ୍କ ସହ ଦୁହେଁ ମିଶି ଅପରାଧିକ ସାମ୍ରାଜ୍ୟ ବଢ଼ାଇ ବ୍ରାଉନସୁଗର ବ୍ୟବସାୟ କଲେ । ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ ଚଢ଼ଉ ପରେ ଦୁହେଁ ଭୁବନେଶ୍ୱରରେ ଆସି ଡେରା ପକାଇଲେ । ୨ ଦିନ ତଳେ ବେଲିଆକୁ ଡିସିପି ଅନୁପ ସାହୁଙ୍କ ଟିମ୍‌ ଏନ୍‌କାଉଣ୍ଟର କରିଥିଲେ । ତା’ଠାରୁ ସନ୍ତୋଷ ବିଷୟରେ ଖବର ପାଇଥିଲା ସ୍ପେଶାଲ୍‌ ସ୍କ୍ୱାଡ୍‌ । ଉକ୍ତ ତଥ୍ୟକୁ ଆଧାର କରି ପୁଲିସ୍‌ ତାକୁ ଗିରଫ କରିଥିଲା ।

ସନ୍ତୋଷ ନାଁରେ କମିଶରେଟ୍‌ ପୁଲିସ୍‌ର ବିଭିନ୍ନ ଥାନାରେ ଲୁଟ୍‌, ଡକାୟତି, ଅପହରଣ ଓ ନିଶା ବ୍ୟବସାୟ ଭଳି ସଂଗୀନ ମାମଲା ରହିଛି ।

   ସମ୍ବନ୍ଧିତ ଖବର


ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ