ବାଉଳାରେ ବିଜେପିକୁ ଭୋଟ୍ ଦେଇ ଅଙ୍ଗୁଳି କାଟିଲେ ବିଏସ୍ପି ସମର୍ଥକ

ଲକ୍ଷେ୍ନ,୧୮ା୪: ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଜଣେ ସମର୍ଥକ ଭୁଲରେ ବିଜେପିକୁ ଭୋଟ୍ ଦେଇଦେବାରୁ ନିଜ ଅଙ୍ଗୁଳି କାଟିଦେଇଛନ୍ତି । ରାଜ୍ୟର ବୁଲନ୍ଦସର୍ ଅନ୍ତର୍ଗତ ଶିକରପୁର ଅଞ୍ଚଳର ଏକ ବୁଥ୍ରେ ଏହି ଘଟଣା ଘଟିଛି ।

ଘଟଣାଟି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଦଳିତ ଭୋଟର୍ ପୱନ କୁମାର (୨୫) ଅତି ଆଗ୍ରହର ସହ ଭୋଟ୍ ଦେବାକୁ ଯାଇଥିଲେ । ବିଏସ୍ପିର ଜଣେ ଦୃଢ଼ ସମର୍ଥକ ହୋଇଥିବାରୁ ସେ ବିଏସ୍ପି-ଆର୍ଏଲ୍ଡି ମେଣ୍ଟ ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ୍ ଦେଇଥାନ୍ତେ । କିନ୍ତୁ ଭୁଲ ବଶତଃ ସେ ବିଜେପି ପ୍ରାର୍ଥୀ ଭୋଲା ସିଂହଙ୍କୁ ଭୋଟ୍ ଦେଇଥିଲେ । ଭୋଲା ସିଂହ ଏବେ ଏଠାରେ ଲୋକସଭା ସାଂସଦ ରହିଛନ୍ତି । ନିଜର ଏଭଳି ଭୁଲ ପାଇଁ ସେ ବହୁତ ପଶ୍ଚାତ୍ତାପ କରିଥିଲେ । ମନକୁ ବହୁତ ବାଧିଥିଲା । ତେଣୁ ମନ ଦୁଃଖରେ ସେ ଘରକୁ ଫେରିଥିଲେ । ଶେଷରେ କିଛି ସମୟ ପରେ ଘରେ ପଡ଼ିଥିବା ଏକ ଚପରରେ ନିଜ ଆଙ୍ଗୁଠିକୁ କାଟିଦେଇଥିଲେ ।

ଏ ବାବଦରେ ଟ୍ୱିଟର୍ରେ ସେ ସମସ୍ତଙ୍କୁ ଜଣାଇଛନ୍ତି । ଏଭଳି ଏକ ବଡ଼ ଭୁଲ ଯୋଗୁ ଶେଷରେ ନିଜକୁ ଦଣ୍ଡିତ କରିବାକୁ ପଡ଼ିଲା । ପୱନ୍ ନିଜକୁ ବିଏସ୍ପିର ଜଣେ ଦୃଢ଼ ସମର୍ଥକ ବୋଲି ଦାବି କରିଛନ୍ତି । ପୱନଙ୍କ ଘର ଶିକରପୁର ଅଞ୍ଚଳର ଅବ୍ଦୁଲ୍ଲାପୁର ହୁଲସାନ୍ ଗ୍ରାମରେ ବୋଲି ଜଣାପଡ଼ିଛି ।