ଆଜିଠୁ ବିଧାନସଭା, ୧୮ରେ ବଜେଟ୍‌

ଭୁବନେଶ୍ୱର,୧୩ । ୨(ବ୍ୟୁରୋ): ଷୋଡ଼ଶ ବିଧାନସଭାର ତୃତୀୟ ତଥା ବଜେଟ୍‌ ଅଧିବେଶନ ଆସନ୍ତକାଲି ଆରମ୍ଭ ହେବ । ବଜେଟ୍‌ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇଦିନ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ୧୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଆଗତ କରିବେ । ଏଥିପାଇଁ ନିକଟରେ ମନ୍ତ୍ରୀ ପରିଷଦ ବୈଠକରେ ପ୍ରାୟ ୧ ଲକ୍ଷ ୫୩ ହଜାର କୋଟିର ଚିଠା ବଜେଟକୁ ଅନୁମୋଦନ ମିଳିଛି ।

ଏ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବସିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୪ରୁ ୨୬ ଯାଏ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ଯାଏ ବସିବ । ପ୍ରଥମ ପର୍ଯ୍ୟାୟ ବୈଠକ ପରେ ବଜେଟ ନେଇ ବିଭାଗୀୟ ଷ୍ଟାଣ୍ଡିଂକମିଟି ରିପୋର୍ଟ ଆସିବ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହରେ ବଜେଟ୍‌ ଆଲୋଚନା ହେବ । ବଜେଟ୍‌ ଆଲୋଚନା ପାଇଁ ୧୪ଟି କାର୍ଯ୍ୟଦିବସ ରହିଛି । ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ । ଏ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ସହଯୋଗ କାମନା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏଥିପାଇଁ ସେ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ଏ ବୈଠକରେ ବିଧାନସଭାର କାର୍ଯ୍ୟବିଧି ଅନୁସାରେ ବିଧାୟକମାନେ ସହଯୋଗ କରିବାକୁ ଏବଂ ମୂଲ୍ୟବାନ ସମୟର ସୁବିନିଯୋଗ ପାଇଁ ସହଯୋଗ କାମନା କରିଥିଲେ । ବିରୋଧୀଙ୍କୁ ବିଶ୍ୱାସକୁ ନେଇ ବାଚସ୍ପତି ନିରପେକ୍ଷତା ଅବଲମ୍ବନ କଲେ ଆମେ ପୂର୍ଣ୍ଣ ସହଯୋଗ କରିବୁ ବୋଲି ବିରୋଧୀ ବିଧାୟକ କହିଛନ୍ତି ।

ଏ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ମିଶ୍ର, ବିଜେପି ବିଧାୟକ ବିଷ୍ଣୁ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଆସନ୍ତା ୨୯ରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଶୁଭ ଉଦ୍‌ଘାଟନ

ରାଜଧାନୀରୁ ବ୍ରାଉନ ସୁଗାର ଜବତ, ୨ ଗିରଫ

କାର୍ଯ୍ୟରେ ଅବହେଳା କରି ସସପେଣ୍ଡ୍ ହେଲେ ପୋଲିସ ଏସଆଇ

ଅଟୋରେ ପିଲା ଆସିଲେ ସ୍କୁଲ ହେବ ବ୍ୟାନ୍