ପୁଣି ରାଜଧାନୀରେ ଆତଙ୍କ ଖେଳାଇଲେ ଷଣ୍ଢ: ୬ ବାଇକ୍‌ ଭାଙ୍ଗିଲେ, ଗ୍ରୋସରୀ ଦୋକାନରେ ପଶିଗଲେ

ଭୁବନେଶ୍ୱର ୬/୩: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ମାର୍କେଟ୍‌ରେ ଦୁଇ ଷଣ୍ଢଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି । ଲଢ଼େଇରେ ଏକ ଗ୍ରୋସରୀ ଦୋକାନର ଲକ୍ଷାଧିକ ଟଙ୍କାର ସମଗ୍ରୀ ନଷ୍ଟ ହୋଇଥିବା ବେଳେ ୬ଟି ବାଇକ୍‌ ଭାଙ୍ଗିରୁଜି ଯାଇଛି । ଖବର ପାଇ ମଧ୍ୟ ବିଏମ୍‌ସି କିମ୍ବା ପୁଲିସ କେହି ପହଞ୍ଚି ନଥିଲେ । ଶେଷରେ ଲୋକେ ପାଣି ପକାଇ ଷଣ୍ଢ ଲଢ଼େଇ ବନ୍ଦ କରିବାରେ ସଫଳ ହୋଇଥିଲେ ।

ଗତକାଲି ଦିନ ସାଢ଼େ ୧୨ଟାବେଳେ ବମିଖାଲ ସନ୍ତୋଷୀ ମା’ଙ୍କ ମନ୍ଦିର ସମ୍ମୁଖ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ନିକଟରେ ହଠାତ୍‌ ଦୁଇ ଷଣ୍ଢ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା । ଲଢ଼େଇ ବେଳକୁ ବେଳ ବଢ଼ିବାରେ ଲାଗିଥିଲା । ଲଢ଼େଇ ହୋଇ ଦୁଇ ଷଣ୍ଢ ସେଠାରେ ଥିବା ପ୍ରଦୀପ ବେହେରାଙ୍କ ଗ୍ରୋସରୀ ଦୋକାନ ଭିତରକୁ ପଶି ଯାଇଥିଲେ । ଜୀବନ ବିକଳରେ ପ୍ରଦୀପ ଦୋକାନ ଛାଡ଼ି ବାହାରକୁ ପଳାଇ ଯାଇଥିଲେ । ଲଢେଇରେ ଦୋକାନ ସୋ-କେସ୍‌ ଠାରୁ ଆରମ୍ଭ କରି ଫ୍ରିଜ୍‌, ଚେୟାର ଆଦି ଭାଙ୍ଗି ଯାଇଥିଲା ।

ଏଥିସହ ଚାଉଳ, ଅଟା, ଡାଲି, ଆଇସ୍‌କ୍ରିମ୍‌ ଆଦି ବିଛାଡ଼ି ହୋଇ ତଳେ ପଡ଼ିଥିଲା। ଦୋକାନ ନିକଟରେ ଥୁଆ ହୋଇଥିବା ୬ଟି ବାଇକ୍‌ ତଳେ ପଡ଼ି ଭାଙ୍ଗିରୁଜି ଯାଇଥିଲା । ଷଣ୍ଢଙ୍କ ଘମାଘୋଟ ଲଢ଼େଇ ଦେଖି ମାର୍କେଟରେ ଆତଙ୍କ ଖେଳି ଯାଇଥିଲା । ପ୍ରଦୀପ ଏନେଇ ପ୍ରଥମ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ । କିନ୍ତୁ ସେମାନେ ବିଏମ୍‌ସିକୁ ଯୋଗାଯୋଗ କରିବାକୁ କହିଥିଲେ । ପ୍ରଦୀପ ବିଏମ୍‌ସି ଅଫିସକୁ ଫୋନ୍‌ କରିବାରେ ଏହା ଆମକାମ ନୁହେଁ ବୋଲି କହିଥିଲେ । ତେଣୁ ସ୍ଥାନୀୟ ଲୋକେ ମିଶି ପାଣି ପକାଇ ଦୁଇ ଷଣ୍ଢଙ୍କ ଲଢ଼େଇ ବନ୍ଦ କରିବାରେ ସଫଳ ହୋଇଥିଲେ । ଷଣ୍ଢ ଲଢ଼େଇରେ ପ୍ରଦୀପଙ୍କ ଦୋକାନର ଲକ୍ଷାଧିକ ଟଙ୍କାର ସମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି ।