ନଦୀରେ ଗାଡ଼ି ଚଳାଇବା ବେଳେ ଭାଙ୍ଗିଗଲା ବରଫ ପରସ୍ତ, ବୁଡ଼ିଯାଉଥିବା କାର୍ ଛାତ ଉପରେ ଚଢ଼ି ସେଲ୍ଫି ନେଲେ ଯୁବତୀ ,ଭିଡିଓ ଭାଇରାଲ…

ନୂଆଦିଲ୍ଲୀ ୨୦/୦୧: ସେଲ୍ଫି ନିଶା ଜଣେ ମହିଳାଙ୍କୁ ଏମିତି ଘାରିଲା ଯେ ମୃତ୍ୟୁ ମୁହଁରେ ବି ସେଲ୍ଫି ନେବାରୁ ସେ ନିଜକୁ ଅଟକାଇ ପାରିନାହାନ୍ତି । କାନାଡ଼ାରେ ଏହି ଘଟଣା ଘଟିଛି । ଏଠାରେ ବରଫାବୃତ ଏକ ନଦୀରେ କାର୍ ଚଳାଉଥିବା ଉକ୍ତ ମହିଳାଙ୍କୁ ଲୋକେ ବହୁତ କଷ୍ଟରେ ବଞ୍ଚାଇଛନ୍ତି ।
Listener video of a water rescue on the Rideau River in Manotick #ottnews #TheMorningRush @billcarrolltalk pic.twitter.com/81CdtxFSYX
— 580 CFRA (@CFRAOttawa) January 17, 2022
ରିଡ୍ୟୁ ନଦୀରେ ସେ କାର୍ ଚଳାଉଥିଲେ । ନଦୀ ମଝିରେ ପହଞ୍ଚିବା ପରେ ବରଫ ପରସ୍ତ ଭାଙ୍ଗିଗଲା ଓ କାର୍ ବୁଡ଼ିବାକୁ ଲାଗିଲା । ଏହା ସତ୍ତେ୍ୱ ମହିଳା ଜଣକ ବଞ୍ଚିବାକୁ ଚେଷ୍ଟା କଲେ ନାହିଁ । ବୁଡ଼ିଯାଉଥିବା କାର୍ ଛାତ ଉପରେ ଚଢ଼ି ସେଲ୍ଫି ନେବା ଆରମ୍ଭ କରିଦେଲେ । ବିପଦ ମୁଣ୍ଡ ଉପରେ ବୋଲି ତାଙ୍କର ଆଦୌ ଜ୍ଞାନ ରହିଲା ନାହିଁ । ଆଖପାଖ ଲୋକମାନେ ଯେତେବେଳେ ମହିଳାଙ୍କୁ ଏହି ଅବସ୍ଥାରେ ଦେଖିଲେ, ତାଙ୍କୁ ବଞ୍ଚାଇବାକୁ ଧାଇଁଆସିଲେ । ବୁଡ଼ି ଯାଉଥିବା କାର୍ରେ ସେଲ୍ଫି ନେବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟୁଜର୍ ତାଙ୍କର ବେପରୁଆ କାର୍ଯ୍ୟକଳାପକୁ ଖୁବ୍ ସମାଲୋଚନା କରୁଛନ୍ତି । ତେବେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହି ଘଟଣା ପରେ କାନାଡ଼ା ପୁଲିସ ଶୀତଦିନେ ସାବଧାନତାର ସହ କାର୍ ଚଳାଇବାକୁ ଟ୍ୱିଟ୍ ଜରିଆରେ ଅପିଲ କରିଛି । କୌଣସି ବରଫ ନିରାପଦ ନୁହେଁ ବୋଲି କହିଛି ।